ସ୍ଥାନୀୟ ହୋଟେଲ ମେ ଫେୟାରର ଅର୍କିଡ଼ ସଭାଗୃହରେ ଶନିବାର ଦିନ ଆୟୋଜିତ ଭବ୍ୟ ଉତ୍ସବରେ ଦୈନିକ ସମ୍ବାଦପତ୍ର ନିର୍ଭୟର ୧୦ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ନିର୍ଭୟର ସମ୍ପାଦକ ନବୀନ ଦାସଙ୍କ ପୌରହିତ୍ୟରେ ଆୟୋଜିତ ହୋଇଥିବା ମୁଖ୍ୟ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଗଣମାଧ୍ୟମର କର୍ଭବ୍ୟ ଏବଂ କାର୍ଯ୍ୟଧାରାର ଗୁରୁତ୍ବ ବାବଦରେ ବକ୍ତବ୍ୟ ରଖୁବା ବେଳେ ନିର୍ଭୟକୁ ଏକ ଆଦର୍ଶ ଗଣମାଧ୍ଯମ ବୋଲି ବତାଇଥିଲେ। ଗତ ସରକାରବେଳେ କିଛି ଗଣମାଧ୍ଯମ ସରକାରଙ୍କର ଏଚଏମଭି ବା ହିଜ୍ ମାଷ୍ଟର୍ସ ଭଏସ ବନିଥିଲେ। ନିର୍ଭୟ ତାହା କରିପାରିନଥୁବାରୁ ବିଜ୍ଞାପନ ପାଇପାରୁନଥିଲା । କିଛି ମିଡିଆକୁ ବିଜ୍ଞାପନ ନଦେବାକୁ ହୁଇପ ହୋଇଥିଲା । ଏବେ କିନ୍ତୁ ଲୋକଙ୍କ ସରକାର କ୍ଷମତାକୁ ଆସିଛି । ଆଉ ମିଡିଆକୁ ଧମକ ନାହିଁ କି କଣ୍ଠରୋଧ କରିବାର ସମୟ ନାହିଁ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।

ଦୀର୍ଘ ୧୦ ବର୍ଷ ଭିତରେ ନିର୍ଭୟ ଅନେକ ଦୁର୍ନୀତି ଏବଂ ବ୍ୟବସ୍ଥାଗତ ତ୍ରୁଟିକୁ ସାରା ରାଜ୍ୟରେ ଉଜାଗର କରି ତାହାର ଦାୟିତ୍ଵ ସମ୍ପାଦନ କରିପାରିଛି। ମଠ ମନ୍ଦିର ଭଙ୍ଗା ହେଉ, ବ୍ରହ୍ମବିଭ୍ରାଟ ହେଉ କିମ୍ବା କୋଭିଡ ପରିଚାଳନାରେ ଅନିୟମିତତା ସବୁ ନିର୍ଭୟ ପ୍ରକାଶ କରି ସାହସ ଦେଖାଇପାରିଛି । ନିଜ ନାମକରଣକୁ ସାର୍ଥକ କରି ଭୟହୀନ ନିର୍ଭୟ ଆଜି ସତ୍ୟର ପ୍ରକୃତ ସନ୍ଧାନୀ ସାଜିଛି । ଶାସକ ଧାରା ବିରୋଧରେ ଯାଇ ଦୁର୍ନୀତିକୁ ଉଦଘାଟନ କରିବା ସହଜ କଥା ନୁହେଁ। ହେଲେ ନିର୍ଭୟ ଚାପରେ ନଆସି ସାହସର ସହ ସବୁର ମୁକାବିଲା କରିଚାଲିଛି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ମାଝୀ। ନିର୍ଭୟ ସମ୍ପାଦକ ନବୀନ ଦାସଙ୍କୁ ତାଙ୍କ ସତ୍ୟନିଷ୍ଠତା ପାଇଁ ପ୍ରଶଂସା କରିବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଥିଲେ ନିର୍ଭୟ ଭାବେ କଥା ରଖିବା, କେବେ ବି ସହଜ ବିଷୟ ନୁହେଁ । ତାଙ୍କ ପ୍ରାକ୍ ବିଧାୟକ ଜୀବନରେ କିପରି ନିର୍ଭୟ ସମ୍ପାଦକଙ୍କ ସ‌ହଯୋଗ ଓ ପରାମର୍ଶ ହାସଲ କରିଆସିଥିଲେ ତାହାର ସେ କରିଥିଲେ ଅବତାରଣା ।

ନିର୍ଭୟର ସମସ୍ତ ବିଭାଗ ସହ ନିର୍ଭୟ ଗୁମର କଥାକୁ ମଧ୍ୟ ଉଚ୍ଚପ୍ରଶଂସା କରି ସେ ଏହାର ଜଣେ ଦର୍ଶକ ବୋଲି କହିଥିଲେ ପ୍ରଚଣ୍ଡ କରତାଳି ମଧ୍ଯରେ। ସମ୍ପାଦପତ୍ର ସମାଜର ଦର୍ପଣ, ସେ ଉତ୍କଳ ଦୀପିକା ହେଉ ବା ବର୍ତ୍ତମାନର ନିର୍ଭୟ ସମସ୍ତେ ସାମାଜିକ କ୍ଷେତ୍ରରେ ନିଜର ଦାୟିତ୍ଵ ନିର୍ବାହ କରିଚାଲିଛନ୍ତି । ନିଜ ୧୦୦ ଦିନର ପୂର୍ତି ଅବସରରେ କିପରି ପ୍ରତିଶ୍ରୁତି ପାଳନର ଧାରା ଆରମ୍ଭ କରାଯାଇସାରିଛି ତାହାର ପୂର୍ଣ ବିବରଣୀ ଦେଲାବେଳେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମଗୁଡିକୁ ପ୍ରଶଂସା କରିଥିଲେ ଯେ, ସେମାନଙ୍କ ଯୋଗୁ ଲୋକ ସରକାର, ଲୋକଙ୍କ ମୁଖ୍ୟମନ୍ତ୍ରୀ ଏବଂ ଲୋକଙ୍କ ବଜେଟ ଭଳି ସକରାତ୍ମକ ଖବର ପ୍ରକାଶ ପାଇପାରିଛି।ଗଣମାଧ୍ଯମଗୁଡିକ ନିଜ ଏଜେଣ୍ଡା ହାସଲ ଦିଗରେ କାର୍ଯ୍ୟ ନକରି ଗଠନମୂଳକ ଖବର ଏବଂ ସତ୍ୟାସତ୍ୟ ଯାଞ୍ଚ କରି ସମ୍ବାଦ ପରିବେଷଣ କରିବା ପାଇଁ ପରାମର୍ଶ ଦେଇଥିଲେ ମୁଖ୍ୟମନ୍ତ୍ରୀ।

ଅହଂକାରର ପରାଜୟ ଘଟିଛି

ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଇଷ୍ଟର୍ଣ୍ଣ ମିଡିଆ ଗ୍ରୁପର ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକ ନିର୍ଭୟ ତାହାର ନାମ ଯଥାର୍ଥ କରିପାରିଥିବାରୁ ବଧେଇ ଜଣାଇଲା ବେଳେ କହିଥିଲେ ସାମ୍ବାଦିକର ଧର୍ମ ଡରାଇବା ନୁହେଁ ଶ୍ରଦ୍ଧା ହାସଲ କରିବା । ବେଳେବେଳେ ସଫଳତା ଅହଂକାର ସୃଷ୍ଟି କରେ ବୋଲି କହିଥିଲେ ସୌମ୍ୟ ରଞ୍ଜନ । ମୁଦ୍ରିତ ଗଣମାଧ୍ୟମର ଭବିଷ୍ୟତ ଆଶଙ୍କାରେ ଥିଲା ବେଳେ ଡିଜିଟାଲ ଗଣମାଧ୍ଯମ ଆଜିର ଆହ୍ବାନ ହୋଇଛି। ସମୟ ସହ ତାଳ ଦେଇ ଚାଲିବା ଗଣମାଧ୍ୟମର ଦାୟିତ୍ଵ ହେବା ଦରକାର। ସେ କହିଥିଲେ ଜନାଦେଶକୁ ବୁଝିବା ଓ ବିଶ୍ଳେଷଣ କରିବାର ସାହସ ଓ ମାନସିକତା ରହୁନାହିଁ। ଟଙ୍କା ଥିଲେ, କ୍ଷମତା ଥିଲେ ସବୁକିଛିକୁ ନିୟନ୍ତ୍ରିତ କରାଯାଇପାରିବ ବୋଲି ମନକୁ ଆସିଯାଉଛି । ଏଥରର ନିର୍ବାଚନ ବାର୍ଭା ଦେଇଛି ଅହଂକାରର ସବୁବେଳେ ପତନ ଘଟିଥାଏ । ସେ କହିଥିଲେ ସବୁବେଳେ ମାଟି ବଡ଼, ପାର୍ଟି ନୁହେଁ।

ମା, ମାତୃଭୂମି ଓ ମାତୃଭାଷାର ବିକଳ୍ପ ନାହିଁ

ଦେଶର ଅନ୍ୟତମ ଶିକ୍ଷାବିତ୍ ତଥା ଶିକ୍ଷା, ସାଂସ୍କୃତି ଉତ୍ଥାନ ନ୍ୟାସର ରାଷ୍ଟ୍ରୀୟ ସଚିବ ଡ. ଅତୁଲ କୋଠାରୀ ମୁଖ୍ୟ ବକ୍ତାଭାବେ ଯୋଗଦେଇ ଏକ ରାଷ୍ଟ୍ର, ଏକ ନିର୍ବାଚନ ଉପରେ ରଖୁଥିଲେ ନିଜ ଅଭିଭାଷଣ । ସେ କହିଥିଲେ ଦେଶର ବିକାଶ ସକାଶେ ତଥା କଳାଧନକୁ ରୋକିବା ଏବଂ ରାଜନୈତିକ ଅସ୍ଥିରତା ଦୂର କରିବା ପାଇଁ ଏକାଠି ନିର୍ବାଚନର ଆବଶ୍ୟକ‌ତା ରହିଛି। ଲୋକସଭା ଓ ବିଧାନସଭା ଗୁଡିକର ନିର୍ବାଚନ ଏକାଠି ଏବଂ ସମସ୍ତ ସ୍ଥାନୀୟ ନିର୍ବାଚନ ଏକାଠି କରାଯିବା ଦରକାର। ଅଧୁକ ଇଭିଏମ ମେସିନ, ଅଧ‌ିକ ସୁରକ୍ଷାବଳ ଏବଂ ଅଧୁକ ନିର୍ବାଚନ ଅଧୁକାରୀ ଭଳି ଅନେକ ଚ୍ୟାଲେଞ୍ଜ ଏଥିପାଇଁ ରହିଛି। ହେଲେ ତାହାକୁ ଦୂର କରାଯାଇ ଏକାଠି ନିର୍ବାଚନ କରାଯିବା ଦରକାର। ରାମନାଥ କୋବିନ୍ଦଙ୍କ ଅଧ୍ଯକ୍ଷତାରେ ଏ ବାବଦରେ ଯେଉଁ କମିଟି ବସିଥିଲା ସେ କମିଟିକୁ ସାକ୍ଷାତ କରିଥିବା ୮୦ଭାଗ ଲୋକ ଓ ଦଳ ଏକାଠି ନିର୍ବାଚନ ଶପଥରେ ମତ ଦେଇଛନ୍ତି । ଏକ ସମୟରେ ନିର୍ବାଚନ ଦ୍ବାରା କେନ୍ଦ୍ର ସରକାରଙ୍କ ପ୍ରଭାବ ପୂର୍ଣ ଭାବେ ପଡିବ ବୋଲି ଏହାକୁ ସମାଲୋଚନା କରାଯାଉଛି । ତାହା ନିରାଧାର ବୋଲି କହିଥିଲେ । ଭାରତୀୟ ଭୋଟର ଖୁବ୍ ପରିପକ୍ବ ବୋଲି ସେ ଦେଇଥିଲେ ମତ। ନୂତନ ଶିକ୍ଷାନୀତି ପ୍ରଣୟନରେ ବିଶେଷ ଭୂମିକା ରଖୁଥ‌ିବା ଡାକ୍ତର ଅତୁଲ କୋଠାରୀ ଓଡ଼ିଶାରେ ଏହାକୁ ତୁରନ୍ତ ଲାଗୁ କରିବାକୁ ଜୋର ଦେଇଥିଲେ | ସେ କହିଥିଲେ ମା’, ମାତୃଭୂମି ଓ ମାତୃଭାଷାର ବିକଳ୍ପ ନାହିଁ । ମାତୃଭାଷାରେ ଶିକ୍ଷାଦାନ ନିହାତି ଆବଶ୍ୟକ ବୋଲି କହି ଦେଶରେ ସବୁ ବିଷୟରେ ରାଜନୀତି ପ୍ରବେଶ ବଡ଼ ଦୁଭାଗ୍ୟଜନକ ବୋଲି ସେ କହିଥିଲେ। ଏହି ଉତ୍ସବରେ ନିର୍ଭୟର ସହଯୋଗୀ ସମ୍ପାଦକ ସମ୍ବିତ ମହାପାତ୍ର ସଂଯୋଜନା କରିଥିଲା ବେଳେ ନିଆରା ଚିକିତ୍ସକ ଡାକ୍ତର ଶଙ୍କର ରାମଚନ୍ଦାନୀଙ୍କୁ ନିର୍ଭୟ ଓଡ଼ିଶା ଗୌରବ ପ୍ରଦାନ କରାଯାଇଥିଲା। ସେହିପରି ନିର୍ଭୟ ସତୀର୍ଥ ସମ୍ମାନ ବରିଷ୍ଠ ସାମ୍ବାଦିକ ସୁବ୍ରତ ଦାସ ଏବଂ ଓଟିଭିର କାର୍ଯ୍ୟକ୍ରମ ଆପଣ ଏକା ନୁହଁନ୍ତିକୁ ପ୍ରଦାନ ହୋଇଥିଲା। ଏହି ସମାରୋହରେ ନିର୍ଭୟର ସମସ୍ତ ଖବରଦାତାଙ୍କ ସହ ରାଜ୍ୟର ବହୁ ବିଶିଷ୍ଟ ରାଜନେତା, ସାମ୍ବାଦିକ, ଶିଳ୍ପପତି ଓ ‘ନିର୍ଭୟ’ର ଅନେକ ଶୁଭେଚ୍ଛୁ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *