ଉତ୍ତରପ୍ରଦେଶର ମିର୍ଜାପୁରରେ ଗୁରୁବାର ବିଳମ୍ବିତ ରାତିରେ ଏକ ଟ୍ରାକ୍ଟର-ଟ୍ରଲର ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୧୦ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। କଚ୍ଛୱା ସୀମା ନିକଟରେ ଘଟିଥିବା ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି। ଟ୍ରାକ୍ଟର-ଟ୍ରଲର୧୩ ଜଣ ଶ୍ରମିକଙ୍କୁ ନେଇ ବାରାଣାସୀ ଅଭିମୁଖେ ଯାଉଥିବା ବେଳେ ଏକ ଟ୍ରକ୍ ଭାରସାମ୍ୟ ହରାଇ ପଛପଟୁ ଧକ୍କା ଦେଇଥିଲା। ଏ ନେଇ ଆରକ୍ଷୀ ଅଧୀକ୍ଷକ ଅଭିନନ୍ଦନ କୁମାର ସିଂହ ସୂଚନା ଦେଇଛନ୍ତି। ୧୩ ଜଣ ଦିନ ମଜୁରିଆ ଭଦୋହି ଜିଲ୍ଲାରେ କାମ ସାରି ଘରକୁ ଫେରୁଥିଲେ। ସେମାନେ ବାରଣାସୀସ୍ଥିତ ନିଜ ଗାଁ ମିର୍ଜାମୁରାଦ ଅଭିମୁଖେ ଯାଉଥିଲେ ବୋଲି ଶ୍ରୀ ସିଂହ କହିଛନ୍ତି । ମୃତଦେହଗୁଡ଼ିକୁ ଶବ ଗୃହକୁ ପଠାଯାଇ ଏତଲା ରୁଜୁ କରାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦୁର୍ଘଟଣାକୁ ଦୁଃଖଦାୟକ ଘଟଣା ବୋଲି କହିବା ସହ ସଡ଼କ ଦୁର୍ଘଟଣାରେ ମୃତକଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଏହା ସହ ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି ବୋଲି ସେ କହିଛନ୍ତି। ରାଜ୍ୟ ସରକାରଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ପ୍ରଶାସନ ପୀଡ଼ିତଙ୍କୁ ସବୁ ପ୍ରକାର ସହାୟତା କରିବାରେ ଲାଗିପଡ଼ିଛନ୍ତି।

ଏଥିସହ ଉତ୍ତର ପ୍ରଦେଶର ମିର୍ଜାପୁର ଜିଲ୍ଲାରେ ଘଟିଥିବା ଏହି ଅଭାବନୀୟ ଘଟଣାରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ଦୁଃଖ ପ୍ରକାଶ କରିଛନ୍ତି। ଦୁର୍ଘଟଣାରେ ଆହତ ଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଶ୍ରୀମତୀ ପଟେଲ।

By Nirvay

Leave a Reply

Your email address will not be published. Required fields are marked *