ରାଉରକେଲାରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ନିଜ ଆଡୁ ମାମଲା ରୁଜୁ କଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ । ତଦନ୍ତ କରି ୭ ଦିନ ମଧ୍ୟରେ ରିପୋର୍ଟ ଦେବା ପାଇଁ ୩ ଅଧିକାରୀଙ୍କୁ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ନୋଟିସ୍ । ସୁନ୍ଦରଗଡ ସିଡିଏମଓ, ସିଡିପିଓ ଓ ପ୍ଲାଣ୍ଟସାଇଟ ଥାନା ଅଧିକାରୀଙ୍କୁ ତଦନ୍ତ, କାର୍ଯ୍ୟାନୁଷ୍ଠାନ ଓ ଷ୍ଟାଟସ ରିପୋର୍ଟ ଦେବାକୁ ଦିଆଗଲା ନୋଟିସ୍ ।

ସୂଚନା ଅନୁଯାୟୀ, ରାଉରକେଲାରେ ଦୁଇ ନାବାଳିକା ଗତ ଶନିବାର ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାରେ ରାଉରକେଲା ମେନ୍‌ ରୋଡ୍‌ ମାର୍କେଟ୍‌କୁ ଚପଲ କିଣିବାକୁ ଯାଇଥିଲେ । ବିର୍ସା ମୁଣ୍ଡା ଛକରେ ଓହ୍ଲାଇ ଚାଲି ଚାଲି ମାର୍କେଟ୍‌କୁ ଯାଇଥିଲେ । ଚପଲ କିଣି ସାରିବା ପରେ ପୁଣି ବିର୍ସା ମୁଣ୍ଡା ଛକକୁ ଆସିଥିଲେ ।  ଘରକୁ ଫେରିବା ଲାଗି ବସ୍‌ କିମ୍ବା ଅଟୋରିକ୍ସାକୁ ଅପେକ୍ଷା କରିଥିବାବେଳେ ଗୋପବନ୍ଧୁପାଲି ଅଞ୍ଚଳର ସାଜନ ସିଂ, ରାଜେନ୍ଦ୍ର ସିଂ ଏବଂ ଗାନ୍ଧୀରୋଡ୍‌ ଅଞ୍ଚଳର ଭୋଲୁ ମୁଣ୍ଡା ଅଟୋରିକ୍ସାରେ ଆସି ସେମାନଙ୍କୁ ଘରେ ଛାଡ଼ି ଦେବାକୁ କହି କୌଶଳକ୍ରମେ ଅପହରଣ କରି ନେଇଥିଲେ । ବିର୍ସା ମୁଣ୍ଡା ଆଥଲେଟିକ୍‌ ଷ୍ଟାଡିୟମ୍‌ ଓ ରାଉରକେଲା ବସ୍‌ଷ୍ଟାଣ୍ଡ ମଧ୍ୟରେ ଥିବା ଏକ ନିଛାଟିଆ ଜାଗାରେ ଦୁଇ ନାବାଳିକାଙ୍କ ମଧ୍ୟରୁ ଜଣଙ୍କୁ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ । ସାଙ୍ଗରେ ଥିବା ବାନ୍ଧବୀଙ୍କୁ ଅସଦାଚରଣ କରିବା ସହ ଅକଥନୀୟ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିଲେ । ପ୍ରାୟ ୨ ଘଣ୍ଟା ଧରି ୩ ଅପହରଣକାରୀଙ୍କ କବ୍‌ଜାରେ ନାବାଳିକା ଦୁଇଜଣ ରହିଥିଲେ । ଘଟଣା ପ୍ରଘଟ କଲେ ଜୀବନରୁ ମାରି ଦେବାକୁ ଧମକ ମଧ୍ୟ ଦେଇଥିଲେ । ସେଠାରେ ଥିବା ବେଳେ ସୁଯୋଗ ପାଇ ଦୁଇ ପୀଡ଼ିତା ଖସି ସେହି ଜାଗାରୁ ଖସି ପଳାଇ ଆସିଥିଲେ । ଏହାପରେ ପୀଡ଼ିତା ନାବାଳିକା ଦ୍ୱୟ ଏ ବାବଦରେ ମାଲ ଗୋଦାମ ଅଞ୍ଚଳରେ ରହୁଥିବା ତାଙ୍କ ସମ୍ପର୍କୀୟଙ୍କୁ ଖବର ଦେବା ପରେ ପ୍ଲାଣ୍ଟ ସାଇଟ୍ ଥାନାରେ ଏତଲା ଦିଆ ଯାଇଥିଲା। ପୁଲିସ ତଦନ୍ତ କରି ତିନି ଜଣଙ୍କୁ ଅଟକ ରଖିଥିଲା।

 

Leave a Reply

Your email address will not be published. Required fields are marked *