ସୁଭଦ୍ରା ଯୋଜନାକୁ ନେଇ ଆଜି ଶଙ୍ଖ ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିକୁ ସମାଲୋଚନା କରିଛନ୍ତି ବିଜେଡି ନେତ୍ରୀ ଲୋପାମୁଦ୍ରା ବକ୍ସିପାତ୍ର। ସୁଭଦ୍ରା ଯୋଜନାରେ ଓଡ଼ିଶାର ମହିଳାଙ୍କୁ ପ୍ରବଞ୍ଚନା କରାଯାଇଛି ଓ ଠକାମିର ଶିକାର ହୋଇଥିବା ଓଡ଼ିଶାର ମହିଳାଙ୍କ ଆଖିରେ ଧୂଳି ଦେଇ ଆଡ଼ମ୍ବରପୂର୍ଣ୍ଣ କାର୍ଯ୍ୟକ୍ରମ ହେଉଛି। ସେ କହିଛନ୍ତି ଯେ, ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ, କର୍ମକର୍ତ୍ତା ଏବଂ କେନ୍ଦ୍ରୀୟ ନେତାମାନେ ଓଡ଼ିଶାର ପ୍ରତ୍ୟେକ ମହିଳାଙ୍କୁ ବିଜେପି ସରକାର ଆସିଲେ ବର୍ଷକୁ ୫୦ ହଜାର ଟଙ୍କା ଦିଆଯିବ ବୋଲି ବିଭିନ୍ନ ସଭା, ସମିତିରେ ପ୍ରତିଶ୍ରୁତି ଦେଇଥିଲେ। ବିଜେପି ତା’ର ନିର୍ବାଚନୀ ଇସ୍ତାହାରରେ ୨ ବର୍ଷରେ ଓଡ଼ିଶାର ପ୍ରତ୍ୟେକ ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର ଦିଆଯିବ ଏବଂ ଏହାକୁ ସେମାନେ ବିଭିନ୍ନ ମାଧ୍ୟମରେ ଖର୍ଚ୍ଚ କରିପାରିବେ ବୋଲି ପ୍ରକାଶ କରିଥିଲେ ।

କିନ୍ତୁ ଦୁଃଖର ବିଷୟ, ଓଡ଼ିଶାର ମା’ ଓ ଭଉଣୀମାନଙ୍କୁ ଡବଲ ଇଞ୍ଜିନ ସରକାର ଆଜି ପ୍ରତାରଣା କରିଛି। ୧୮ରୁ ୨୧ ଏବଂ ୬୦ରୁ ୮୦ ବର୍ଷ ବୟସର ମହିଳାଙ୍କୁ ଯୋଜନାରୁ କେଉଁ ଆଧାରରେ ବାଦ୍ ଦିଆଯାଇଛି ? ବିଭିନ୍ନ ମାନଦଣ୍ଡ ସ୍ଥିର କରି ପ୍ରାୟ ୧ କୋଟି ମହିଳାଙ୍କୁ ବାଦ୍ ଦେବା ତଥା ବର୍ଷକୁ ୨ଟି କିସ୍ତିରେ ୫ ହଜାର ଟଙ୍କା ଲେଖାଏଁ ଦେବା ପାଇଁ ସ୍ଥିର କରି ଓଡ଼ିଶାର ମହିଳାମାନଙ୍କୁ ଏବେ ଭଣ୍ଡାଉଛନ୍ତି । ମହିଳାମାନେ ଭାବିଥିଲେ ଏକକାଳୀନ ୫୦ ହଜାର କିମ୍ବା ୨୫ ହଜାର ଟଙ୍କା ପାଇଲେ କୌଣସି କୁଟୀର ଶିଳ୍ପ କିମ୍ବା କ୍ଷୁଦ୍ର ବ୍ୟବସାୟଟେ କରି ସ୍ଵାବଲମ୍ବୀ ହେବ ଅଥବା ନିଜ ପରିବାରର କୌଣସି ଆବଶ୍ୟକତାଟିଏ ପୂରଣ କରିପାରିବ । ୫ ହଜାର ଟଙ୍କାରେ ମହିଳା କ’ଣ ଉଦ୍ୟୋଗୀ ହୋଇପାରିବେ କି ? ଏତିକି ଟଙ୍କାରେ ମହିଳାମାନେ କିପରି ସଶକ୍ତ ହେବେ, ଏହା କ’ଣ ମହିଳାଙ୍କୁ ପ୍ରତାରଣା ନୁହେଁ କି ? ମା’ ସୁଭଦ୍ରାଙ୍କ ନାଁ ନେଇ ମା’ମାନଙ୍କୁ ଠକୁଛି ବିଜେପି।

ରାଜ୍ୟର ମହିଳାଙ୍କୁ ବିଜେପି ସରକାର ପ୍ରତିଶୃତି ଦେଇ ପ୍ରତାରଣା କରୁଥିବାରୁ ବିଜେଡି ଏହାକୁ ତୀବ୍ର ନିନ୍ଦା କରୁଛି ବୋଲି ବିଜେଡି ନେତ୍ରୀ ଲୋପାମୁଦ୍ରା ବକ୍ସିପାତ୍ର କହିଛନ୍ତି।

Leave a Reply

Your email address will not be published. Required fields are marked *