ରାଜ୍ୟ କାର୍ଯ୍ୟାଳୟରେ ଆଜି ରକ୍ଷାବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ରକ୍ଷା ବନ୍ଧନ ହେଉଛି ସେବା, ସୁରକ୍ଷା, ସଂକଳ୍ପ ଓ ପ୍ରେରଣାର ଉତ୍ସବ। ଭଉଣୀଟିଏ ଯେପରି ରାକ୍ଷୀ ବାନ୍ଧିବା ପରେ ଭାଇ ତା’ର ସୁରକ୍ଷା ପାଇଁ ସଂକଳ୍ପ ନେଇଥାଏ, ସେହିପରି ରାଜ୍ୟବାସୀଙ୍କ ସୁରକ୍ଷା ପାଇଁ ବିଜେପି ସରକାର ସଂକଳ୍ପବଦ୍ଧ। ରକ୍ଷା ବନ୍ଧନ ଆମ ସାମାଜିକ ବ୍ୟବସ୍ଥାର ଏକ ବହୁତ ବଡ଼ କଡ଼ି । ଫୁଲ ଯେପରି ମିଶି ଗୋଟିଏ ହାର ହୋଇଥାଏ, ୫ ଆଙ୍ଗୁଳି ମିଶି ଯେପରି ମୁଠି ହୁଏ, ସେହିପରି ସମସ୍ତଙ୍କ ସୁରକ୍ଷାର ପାଇଁ ରାକ୍ଷୀ ପୂର୍ଣ୍ଣିମାରୁ ପ୍ରେରଣା ମିଳିଥାଏ ।

ଶ୍ରୀ ସାମଲ କହିଛନ୍ତି, ରକ୍ଷା ବନ୍ଧନ ହେଉଛି ରକ୍ଷାର କବଚ। ବିପଦବେଳେ ପରସ୍ପରକୁ ସାହାଯ୍ୟ କରିବା, ଅସୁବିଧା ସମୟରେ ସହାୟତା କରିବା ପାଇଁ ଆମ ସମସ୍ତଙ୍କୁ ଶପଥ ନେବାକୁ ହେବ। ଧର୍ମ, ସଂସ୍କୃତି, ପରମ୍ପରାକୁ ଯୋଡ଼ି ସମସ୍ତଙ୍କ ମଧ୍ୟରେ ରାଷ୍ଟ୍ରୀୟ ଭାବନା ଜାଗ୍ରତ କରିବା, ଜାତୀୟତାବାଦ ମନ୍ତ୍ର ଉଦ୍ରେକ କରି ଦେଶ ମାତୃକା ପାଇଁ ସେବା କରିବାକୁ ଏହି ରକ୍ଷା ବନ୍ଧନ ଉତ୍ସବରୁ ପ୍ରେରଣା ମିଳିଥାଏ । ରାଜ୍ୟବାସୀଙ୍କ ସୁରକ୍ଷା ଦାୟିତ୍ୱ ଏବେ ବିଜେପି ନେଇଛି । ସେମାନଙ୍କ ଅସୁବିଧା ଓ ସମସ୍ୟାଗୁଡ଼ିକୁ ଦୂର କରିବା ପାଇଁ କାର୍ଯ୍ୟକର୍ତ୍ତାମାନେ ଆଗେଇ ଆସିବାକୁ ଶ୍ରୀ ସାମଲ ଆହ୍ୱାନ ଦେବା ସହ ସମସ୍ତ ଓଡ଼ିଶାବାସୀଙ୍କୁ ରାକ୍ଷୀ ପୂର୍ଣ୍ଣିମାରେ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା.ଐଶ୍ୱର୍ଯ୍ୟା ବିଶ୍ୱାଳଙ୍କ ନେତୃତ୍ୱରେ ମହିଳା କାର୍ଯ୍ୟକର୍ତ୍ତାମାନେ ରାଜ୍ୟ ସଭାପତି ଶ୍ରୀ ସାମଲ ଓ କାର୍ଯ୍ୟାଳୟରେ ଉପସ୍ଥିତ ଅନ୍ୟମାନଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ।

Leave a Reply

Your email address will not be published. Required fields are marked *