ମାନ୍ୟବର ରାଜ୍ୟପାଳଙ୍କ ଅଭିଭାଷଣ ସଂପର୍କିତ ଧନ୍ୟବାଦ ପ୍ରସ୍ତାବ ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମନ୍ତବ୍ୟ ଦେଇଛନ୍ତି । ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନରେ ଗୃହରେ ମାନ୍ୟବର ରାଜ୍ୟପାଳଙ୍କ ଅଭିଭାଷଣକୁ ସ୍ୱାଗତ କରୁଛି ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଓଡିଶାର ସାଢେ ୪ କୋଟି ଜନସାଧାରଣଙ୍କ ଆଶା, ଆକାଂକ୍ଷା ଓ ସ୍ୱପ୍ନକୁ ସାକାର କରିବା ପାଇଁ ଆମର ନୂଆ ସରକାର ଗଠିତ ହୋଇଛି। ଆମର ଗଣତାନ୍ତ୍ରିକ ବ୍ୟବସ୍ଥାର ଏକ ସୁନ୍ଦର ପ୍ରତିଫଳନ ହେଉଛି ଆମ ସରକାର। ଓଡିଆ ଅସ୍ମିତା, ବିକାଶ ଓ ସୁଶାସନର ପ୍ରତିଷ୍ଠା ଦିଗରେ ଆମର ନୂଆ ସରକାର ପ୍ରତିବଦ୍ଧତାର ସହ ଉଦ୍ୟମ ଆରମ୍ଭ କରିଛି। ଆମର ଭାଷା, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟର ସୁରକ୍ଷା ଓ ପ୍ରସାର ମାଧ୍ୟମରେ ଓଡିଆ ଅସ୍ମିତାକୁ ସୁରକ୍ଷିତ କରିବାର ଲକ୍ଷ୍ୟ ହେଉଛି ଆମର ପ୍ରଥମ କର୍ତ୍ତବ୍ୟ। ତେଣୁ ବିକାଶ ସହିତ ଅସ୍ମିତାକୁ ପ୍ରାଥମିକତା ଦେଇ ନୂଆ ସରକାର ଗଠନର ପ୍ରଥମ ଦିନରୁ ହିଁ ଆମେ ପଦକ୍ଷେପ ନେବା ଆରମ୍ଭ କରିଛୁ। ଓଡିଆ ଅସ୍ମିତାର ସୁରକ୍ଷା ଓ ପ୍ରସାର ପାଇଁ ସରକାର ୨୦୦ କୋଟି ଟଙ୍କାର ଏକ କର୍ପସ ପାଣ୍ଠି ଗଠନ କରିବା ସହିତ ଓଡିଆ ଅସ୍ମିତା ଭବନ ମଧ୍ୟ ପ୍ରତିଷ୍ଠା କରିବ। ଏହା ସହିତ ଓଡିଆ ଅନୁବାଦ ଏକାଡେମୀ, ତାଳପତ୍ର ପାଣ୍ଡୁଲିପି ସଂଗ୍ରହାଳୟ, ପାଇକ ବିଦ୍ରୋହ ସ୍ମାରକୀର ବିକାଶ ଆଦି ପଦକ୍ଷେପ ନିଆଯିବ। ଜାତୀୟ ଓ ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟରେ ଓଡିଆ ଚେୟାର ପ୍ରତିଷ୍ଠା କରାଯିବ। ୨୦୩୬ ମସିହାରେ ଆମ ରାଜ୍ୟରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପାଳିତ ହେବ। ଗତ ୨୪ ବର୍ଷ ଥିଲା ଏକ ବିରାଟ କାଳଖଣ୍ଡ। ଓଡିଶାର ସାମାଜିକ ଓ ଆର୍ଥିକ ସ୍ଥିତି ଉପରେ ଯଦି ପୂର୍ବ ସରକାର ଗୁରୁତ୍ବ ଦେଇଥାନ୍ତେ, ତାହେଲେ ଆଜି ଆମ ପାଖରେ ଅନେକ ଅସମାହିତ ପ୍ରଶ୍ନ ନଥାନ୍ତା । ସେତେବେଳେ ଆମେ ବିରୋଧୀ ଦଳରେ ଥିଲୁ, ଆମେ ପ୍ରଶ୍ନ କରୁଥିଲୁ। ଆଉ ସରକାରୀ ଦଳର ସଦସ୍ୟମାନେ ଅହଂକାର ଦେଖାଉଥିଲେ । ଆଜି ପରିସ୍ଥିତି ବଦଳିଯାଇଛି । ୨୦୩୬କୁ ଓଡିଶା ଇତିହାସର ଏକ ଉଜ୍ଜ୍ୱଳମୟ ସମୟ କରିବା ପାଇଁ ଆମ ସରକାର ପ୍ରତିବଦ୍ଧ। ଏହି ଲକ୍ଷ୍ୟ ପୂରଣ ଦିଗରେ ଆଗାମୀ ୫ ବର୍ଷ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହି ୫ ବର୍ଷରେ ହିଁ ୨୦୩୬ ପାଇଁ ଆମର ବିକଶିତ ଓଡିଶାର ସ୍ୱପ୍ନ ପୂରଣର ମୂଳଦୁଆ ପ୍ରତିଷ୍ଠା ହେବ। ୨୦୪୭ ବିକଶିତ ଭାରତ ପରିପ୍ରେକ୍ଷୀରେ ଆମେ ଓଡିଶାକୁ ଏକ ନମ୍ବର କରିବାର ଲକ୍ଷ୍ୟ ନେଇ ଦୃଢତାର ସହ ଉଦ୍ୟମ କରିବୁ। ଏଥିପାଇଁ ଏହି ୫ ବର୍ଷରେ ପ୍ରତ୍ୟେକ ମୁହୁର୍ତ୍ତକୁ ଆମେ ଓଡିଶାର ବିକାଶ ଓ ଅସ୍ମିତାର ପ୍ରତିଷ୍ଠା ଦିଗରେ ବିନିଯୋଗ କରିବୁ। ବିକଶିତ ଓଡିଶାର ଲକ୍ଷ୍ୟ ପୂରଣ ଦିଗରେ ଆମର ନିଷ୍ଠା ଓ ପ୍ରତିବଦ୍ଧତା ଉଲ୍ଲେଖନୀୟ। ସରକାର ଗଠନର ପ୍ରଥମ ଦିନରେ ହିଁ ଆମେ ଓଡିଶାର ଜନସାଧାରଣଙ୍କୁ ଦେଇଥିବା ୪ଟି ମୁଖ୍ୟ ପ୍ରତିଶ୍ରୁତି ପାଳନ କରିଛୁ।ଶପଥ ଗ୍ରହଣ ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍ ବୈଠକରେ ଆମେ ଏହି ପ୍ରତିଶ୍ରୁତିଗୁଡିକୁ ଗ୍ରହଣ କରି ପଦକ୍ଷେପ ନେବା ଆରମ୍ଭ କରିଛୁ। ସେଗୁଡିକ ହେଲା- ପୁରୀ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିବା, ଶ୍ରୀମନ୍ଦିରର ରକ୍ଷଣାବେକ୍ଷଣ ପାଇଁ ୫୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ କରିବା, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା କରିବା ଏବଂ ସୁଭଦ୍ରା ଯୋଜନାରେ ମହିଳାମାନଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରିବା। ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡିଆ ଜାତିର ପ୍ରଥମ ପରିଚୟ। ମହାପ୍ରଭୁଙ୍କୁ ନେଇ ଓଡିଶାର ଜନସାଧାରଣଙ୍କ ଭାବାବେଗ ସର୍ବଜନ ବିଦିତ। ସେ ଭାବାବେଗରେ ଲାଗିଥିବା ଆଘାତକୁ ଦୂର କରିବା ପାଇଁ ଆମ ସରକାର ଶପଥ ଗ୍ରହଣ ଦିନର ସନ୍ଧ୍ୟାରେ କ୍ୟାବିନେଟ ନିଷ୍ପତ୍ତି ନେଇ ତା ପର ଦିନ ମଙ୍ଗଳ ଆଳତି ସମୟରେ ମନ୍ତ୍ରୀମଣ୍ଡଳର ସଦସ୍ୟଙ୍କ ଉପସ୍ଥିତିରେ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିଥିଲେ। ଲୋକଙ୍କ ଭାବାବେଗକୁ ସମ୍ମାନ ଦେବାରେ ଆମ ସରକାରର ପଦକ୍ଷେପ ଅଦ୍ୱିତୀୟ। ଆମ ସରକାର ପ୍ରଥମ ଦିନରୁ ହିଁ ସାଧାରଣ ଲୋକଙ୍କ ସୁଖଦୁଃଖ ଶୁଣିବା ସହିତ ସେମାନଙ୍କ ସୁବିଧା ଅସୁବିଧା ଦୂର କରିବା ଦିଗରେ ପ୍ରଚେଷ୍ଟା କରୁଛି। ଆମର ଅଭିଯୋଗ ଶୁଣାଣି ବ୍ୟବସ୍ଥାକୁ ନିୟମିତ କରାଯାଇ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ପ୍ରୟାସ କରୁଛୁ। ଆମର ବଜେଟ୍ ପ୍ରକ୍ରିୟା ପାଇଁ ମଧ୍ୟ ହଜାର ହଜାର ଲୋକ, ଅର୍ଥନୈତିକ ବିଶେଷଜ୍ଞ, ବୁଦ୍ଧିଜୀବୀ ଓ ବିଭିନ୍ନ ବର୍ଗର ପ୍ରତିନିଧିମାନଙ୍କ ମତାମତ ଗ୍ରହଣ କରାଯାଇଛି। ଅନଲାଇନ ଜରିଆରେ ୧୨ ହଜାରରୁ ଅଧିକ ଲୋକ ବଜେଟ ଉପରେ ତାଙ୍କର ମତାମତ ଦେଇଥିଲେ। ଯାହାକି ପୂର୍ବ ବର୍ଷର ମତାମତ ତୁଳନାରେ ୬ ଗୁଣ । ଆମର ପ୍ରତ୍ୟେକ ଉଦ୍ୟମରେ ସାଧାରଣ ଜନତାଙ୍କ ମତାମତକୁ ଗୁରୁତ୍ୱ ଦେବାର ପ୍ରକ୍ରିୟା ଜାରି ରହିବ। ଏହା ଦ୍ୱାରା ଆମ ଗଣତନ୍ତ୍ର ଆହୁରି ସୁଦୃଢ ହେବ ବୋଲି ମୋର ବିଶ୍ୱାସ। ରାଜ୍ୟର ସବୁ ବର୍ଗର ଜନସାଧାରଣଙ୍କ ଉନ୍ନତି ଆମର ଲକ୍ଷ୍ୟ। ବିଶେଷ କରି ଆମର ଅନ୍ନଦାତା, ଆମର କୃଷକ ଭାଇଭଉଣୀମାନଙ୍କ ବିକାଶ ଓ ଆର୍ଥିକ ଉନ୍ନତି ଆମର ପ୍ରାଥମିକତା। ସେମାନଙ୍କ ବିକାଶ ପାଇଁ ଆମେ ‘ସମୃଦ୍ଧ କୃଷକ ନୀତି’ ପ୍ରଚଳନ କରିବା ସହିତ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛୁ। ଏହି ଟଙ୍କା ଧାନ ସଂଗ୍ରହର ୪୮ ଘଣ୍ଟା ମଧ୍ୟରେ ପ୍ରଦାନ କରାଯିବ। ପୂର୍ବ ସରକାର ୧୦୦ ଟଙ୍କା ବୋନସ୍ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ପୂରଣ କରିପାରିଲେ ନାହିଁ। କିନ୍ତୁ ଆଜି ଆମେ ୮୦୦ ଟଙ୍କା ଅଧିକ ଦେଇପାରୁଛୁ। ମଣ୍ଡି ଗୁଡିକରେ ସ୍ବଚ୍ଛତାର ସହ ଧାନ କିଣା ପ୍ରକ୍ରିୟା ଉପଲବ୍ଧ କରାଇବା ପାଇଁ ବିଭିନ୍ନ ଆଧୁନିକ ଯନ୍ତ୍ରପାତିର ବ୍ୟବହାର କରାଯିବା ସହିତ ପ୍ରକ୍ରିୟାକୁ ସରଳ କରାଯିବ। ମହିଳାମାନେ ଆମ ଲୋକ ସଂଖ୍ୟାର ୫୦ ପ୍ରତିଶତ। ସେମାନଙ୍କ ଉନ୍ନତି ବିନା ରାଜ୍ୟର ଉନ୍ନତି ଚିନ୍ତା କରିବା ଅସମ୍ଭବ। ସୁଭଦ୍ରା ଯୋଜନାରେ ମହିଳାମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବା ପାଇଁ ଆମେ ନିଷ୍ପତ୍ତି ନେଇଛୁ। ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମତିଥିରେ ଏହି ଯୋଜନା କାର୍ଯ୍ୟକାରୀ କରିବାର ଲକ୍ଷ୍ୟ ରଖାଯାଇଛି। ଏହା ଦ୍ୱାରା ମହିଳାମାନଙ୍କ ଆର୍ଥିକ ସ୍ୱାଧୀନତା, ସଶକ୍ତିକରଣ ଓ ନିଜସ୍ୱ ଉଦ୍ୟମରେ ସ୍ୱପ୍ନ ସାକାର କରିବାର ଲକ୍ଷ୍ୟ ପୂରଣ ହୋଇପାରିବ। ଏହା ସହିତ ସ୍ୱୟଂସହାୟକ ଗୋଷ୍ଠୀ ଜରିଆରେ ରାଜ୍ୟରେ ଆଗାମୀ ୩ ବର୍ଷରେ ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବାର ଲକ୍ଷ୍ୟ ମଧ୍ୟ ରଖାଯାଇଛି। ଶିକ୍ଷା ହେଉଛି ବିକାଶର ମୂଳମନ୍ତ୍ର। ବର୍ତ୍ତମାନ ସମୟର ଆବଶ୍ୟକତାକୁ ଅନୁଭବ କରି ରାଜ୍ୟ ସରକାର ଓଡିଶାରେ ‘ଜାତୀୟ ଶିକ୍ଷା ନୀତି-୨୦୨୦’ ଢାଞ୍ଚାରେ ଏକ ରାଜ୍ୟସ୍ତରୀୟ ଶିକ୍ଷାନୀତି ପ୍ରଣୟନ କରିବେ। ଉଚ୍ଚ ଶିକ୍ଷା ବିଶେଷକରି ଆଇନ, ଡାକ୍ତରୀ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମକୁ ଓଡିଆ ଭାଷାରେ ଉପଲବ୍ଧ କରାଇବା ଆମର ଲକ୍ଷ୍ୟ। ଏହା ସହିତ ବିଦ୍ୟାଳୟଗୁଡିକରେ କାଉନ୍ସେଲିଂ ସେଣ୍ଟର ପ୍ରତିଷ୍ଠା, ୨୦୩୦ ସୁଦ୍ଧା ସମସ୍ତ ଅଙ୍ଗନବାଡିକୁ ‘ସକ୍ଷମ ଅଙ୍ଗନବାଡି’ରେ ପରିଣତ କରାଯିବ। ଶିକ୍ଷା କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବା ପାଇଁ ସରକାରୀ ବିଦ୍ୟାଳୟରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପ୍ଲାଟଫର୍ମ ସୃଷ୍ଟି କରାଯିବ। ରାଜ୍ୟରେ ୮୦୦ଟି ସରକାରୀ ବିଦ୍ୟାଳୟକୁ ପିଏମ ଶ୍ରୀ ବିଦ୍ୟାଳୟ ଭାବେ ବିକଶିତ କରାଯିବ। ୧.୫୦ ଲକ୍ଷ ସରକାରୀ ପଦବୀ ପୂରଣ କରାଯିବ। ଆସନ୍ତା ୨ ବର୍ଷ ମଧ୍ୟରେ ଆମ ସରକାର ୬୫ ହଜାର ସରକାରୀ ପଦବୀ ପୂରଣ କରିବେ। ଓଡିଶାର କ୍ରୀଡା ସଂସ୍କୃତିକୁ ପ୍ରୋତ୍ସାହିତ କରିବା ଏବଂ ବିଶ୍ୱସ୍ତରୀୟ କ୍ରୀଡାବିତ ସୃଷ୍ଟି କରିବା ପାଇଁ ଆମ ସରକାର କାର୍ଯ୍ୟକ୍ରମ ହାତକୁ ନେବେ। ଏଥିରେ ଗ୍ରାମାଞ୍ଚଳରେ କ୍ରୀଡା ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ୱ ଦିଆଯିବ। ଓଡିଶାବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ‘ଆୟୁଷ୍ମାନ ଭାରତ- ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା’ କାର୍ଯ୍ୟକାରୀ କରିବେ। ଡାକ୍ତର ଅଭାବ ପୂରଣ ପାଇଁ ରାଜ୍ୟରେ ୩୦୦୦ ନୂଆ ନିଯୁକ୍ତି ଦିଆଯିବ। ସ୍ୱାସ୍ଥ୍ୟ ଉପକେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକୁ ଆରୋଗ୍ୟ ମନ୍ଦିରରେ ପରିଣତ କରାଯିବ। ସ୍ୱାସ୍ଥ୍ୟସେବାର ସବୁସ୍ତରରେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରାଯିବ। ବଜେଟରେ ଗରିବ, ମହିଳା, ଯୁବବର୍ଗ ଓ ଅନ୍ନଦାତା ବା କୃଷକ ସମାଜକୁ ପ୍ରାଧାନ୍ୟ ଦିଆଯାଇଛି । ଓଡିଶାକୁ ଗ୍ରାମାଞ୍ଚଳ ପାଇଁ ୧୦ ଲକ୍ଷ ଓ ସହରାଞ୍ଚଳ ପାଇଁ ୫ ଲକ୍ଷ ଆବାସର ବ୍ୟବସ୍ଥା କରାଯାଇଛି । ଏଥିରେ ଓଡିଶାକୁ ୧୯,୫୦୦ କୋଟି ଟଙ୍କା ମିଳିବ। ପୂର୍ବୋଦୟ ବିକାଶ ଯୋଜନାରେ ଓଡିଶାକୁ ଗୁରୁତ୍ବ ଦିଆଯାଇଛି । ସେହିପରି ରେଳ ବଜେଟରେ ମଧ୍ୟ ୨୦୧୪ ମସିହା ପୂର୍ବରୁ ଓଡିଶାକୁ ମାତ୍ର ୮୩୮ କୋଟି ଟଙ୍କା ମିଳୁଥିଲା । ୨୦୨୪-୨୫ ଆର୍ଥିକ ବର୍ଷରେ ଆମକୁ ୧୦,୫୨୬ କୋଟି ଟଙ୍କା ମିଳିଛି । ଏହା ପୂର୍ବ ଅପେକ୍ଷା ୧୨.୫ ଗୁଣ ଅଧିକ। ଓଡିଶାରେ ରେଳ କ୍ଷେତ୍ରରେ ଶତ ପ୍ରତିଶତ ବିଦ୍ୟୁତିକରଣ କରାଯାଇଛି । ଏ ବର୍ଷ ମଧ୍ୟ ୫୯ଟି ଷ୍ଟେସନକୁ ଅମୃତ ଷ୍ଟେସନ ଭାବରେ ବିକଶିତ କରାଯିବାର ନିଷ୍ପତ୍ତି ନିଆଯାଇଛି । ଓଡିଶାର ସବୁ ବର୍ଗର ଲୋକଙ୍କ ବିକାଶ ଏବଂ ସବୁ ଅଞ୍ଚଳ ମଧ୍ୟରେ ଆର୍ଥିକ ସମାନତା ଆଣିବା ପାଇଁ ଆମ ସରକାର ଉଦ୍ୟମ ଜାରି ରଖିବ। ଲୋକଙ୍କ ସହଯୋଗରେ ଲୋକଙ୍କ ସରକାର ଲୋକଙ୍କ ଆଶା ଆକାଂକ୍ଷା ପୂରଣ କରିବା ଦିଗରେ ସମ୍ପୂର୍ଣ୍ଣ ଭାବେ ସଫଳ ହେବ। ମାନ୍ୟବର ରାଜ୍ୟପାଳ ଏକ ସମୃଦ୍ଧ, ସଶକ୍ତ ଓ ବିକଶିତ ଓଡିଶା ପାଇଁ ଆମକୁ ଆହ୍ବାନ ଦେଇଛନ୍ତି। ଆମେ ସେହି ଆହ୍ବାନକୁ ଗ୍ରହଣ କରି କଠିନ ପରିଶ୍ରମ କରି ଆମର ପୂର୍ବ ଗୌରବକୁ ଫେରାଇ ଆଣିବୁ ଏବଂ ୨୦୩୬ରେ ଏକ ବିକଶିତ ଓଡିଶା ଗଠନ କରିବୁ । Post navigation ନାବାଳକ ଗାଡ଼ିଚାଳକ ସାବଧାନ: ଧରାପଡ଼ିଲେ ଜୋରିମାନା ମହିଳା ସାମ୍ବାଦିକାଙ୍କ ଆତ୍ମହତ୍ୟା