ପୁଅ-ଝିଅଙ୍କ ପାଇଁ ବହୁବାର ଏବଂ ବହୁକ୍ଷେତ୍ରରେ ବାପାମାନେ ବହୁତ ପସ୍ତେଇଛନ୍ତି। ଭିପି ସିଂଙ୍କ ସମୟରେ ତାଙ୍କ ପୁଅଙ୍କୁ ସେଣ୍ଟ କିଟୁ ମାମଲାକୁ ନେଇ କଂଗ୍ରେସ ଘେରିବାକୁ ଚେଷ୍ଟା କରିଥିଲା । କାର୍ତ୍ତି ଦେଶାଇଙ୍କୁ ନେଇ ପ୍ରଧାନମନ୍ତ୍ରୀ ମୋରାଜୀଙ୍କ ବିରୋଧରେ ମୋହଁ ଖୋଲିଥିଲେ ଜନତାପାର୍ଟିର କିଛି ନେତା । ପୁଅମାନଙ୍କ ଯୋଗୁଁ ଦେବୀଲାଲ ହେଲେ ବଦନାମ । ବହୁ ସମୟରେ ଉତପାଡିଆ ପୁଅଙ୍କ ଲାଗି ବାପାଙ୍କର ରାଜନୀତି ଗୋଲ ହେଇଚି । ଏବେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସଙ୍କୁ ପୁତ୍ରରୂପୀ ରାହୁ ଘାରିଛି।

ବାପା ମନ୍ତ୍ରୀ ଥିଲେ ପୁଅମାନେ ସୁପରମନ୍ତ୍ରୀ ବୋଲି ଭାବନ୍ତି । ବାହୁବଳ ଦେଖାନ୍ତି । ପିଟାପିଟି ବି କରନ୍ତି । ଶାସକ ଦଳ ଯୋଗୁ ପୁଲିସ ବି କିଛି କରେ ନାହିଁ । ରାଜ୍ୟପାଳ ରଘୁବର ନିଜ ପୁଅ ଲଳିତ କୁମାରଙ୍କ ଦାଦାଗିରି ଲାଗି ଏବେ ପସ୍ତେଇ ହଉଛନ୍ତି । ଝାଡଖଣ୍ଡ ସାରା ଧୁମ ଚର୍ଚ୍ଚାରେ ରଘୁବର ଓ ଲଳିତ କୁମାର । ଆଗକୁ ଝାଡଖଣ୍ଡ ନିର୍ବାଚନ ଆସୁଛି । ରଘୁବର ସେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ରହି ସାରିଛନ୍ତି।

ଭାଜପାର ସେ ଜଣେ ଟାଣୁଆ ନେତା । ଆଗକୁ ନିର୍ବାଚନରେ ସେ ପୁଣି ବଡ଼ ଭୂମିକା ନେବାକୁ ଯାଉଛନ୍ତି । ଏଥିପାଇଁ ବିରୋଧୀ ଦଳକୁ ପୁଅ ଲଳିତଙ୍କ କୁକର୍ମ କାହାଣୀ ଭଲ ଅସ୍ତ୍ର ଯୋଗାଇ ଦେଇଛି। ଖବରକାଗଜରେ ପୁଅଠୁ ବାପାଙ୍କ ଫଟୋ ବଡ । ପୁଅ ଲଳିତ ବି ଭାରି କଦର୍ଯ୍ୟ କାମ କରିଛନ୍ତି । ନିଜକୁ ସୁପର ରାଜ୍ୟପାଳ ବୋଲି ଭାବିଲେ ଯାହା ହବା କଥା ତାହା ହେଲା । ଓଡ଼ିଆ ଏଏସଓ ବୈକୁଣ୍ଠ ପ୍ରଧାନଙ୍କୁ ମାରିବା ସହ ଓଡ଼ିଶାଙ୍କ ଉଦ୍ଦେଶ୍ୟରେ ଖରାପ ଗାଳି କରିଛନ୍ତି ଲଳିତ । ଜୋତା ଛଟେଇବା କଥା ମଧ୍ୟ ଯାଇଛି । ଏବାବଦରେ ଥାନାରେ ଏତଲା ବି ହେଇଛି। ଏମିତି ଅବସ୍ଥା ଯେ, ରଘୁବର ବାଧ୍ଯ ହେଇ ବୈକୁଣ୍ଠ ଦମ୍ପତିଙ୍କ ଡକେଇ ନ୍ୟାୟ ପ୍ରତିଶ୍ରୁତି ସହ ଦଫାରଫା କରିବାକୁ ଚେଷ୍ଟା କରିଛନ୍ତି । ୟା’ ଭିତରେ ବୈକୁଣ୍ଠଙ୍କୁ ପୁରୀ ରାଜଭବନରୁ ସରକାର ବଦଳି କରିଛନ୍ତି । କିନ୍ତୁ ବଦଳି ଏକ ନ୍ୟାୟ କି ? ସେହି ବଦମାସ ପୁଅ ବୈକୁଣ୍ଠଙ୍କ ପାଦ ତଳେ ପଡି କ୍ଷମା ମାଗିବା ଦରକାର। ପୁଅମାନଙ୍କ ଯୋଗୁ ବାପା କେତେ ମାନସିକ ଯନ୍ତ୍ରଣାରେ ଥିବେ ସେକଥା ଲଳିତ କେମିତି ବୁଝିବେ ?

ଅଣଓଡି଼ଆଙ୍କର ଓଡ଼ିଆମାନଙ୍କ ପ୍ରତି ଏତେ ହୀନ ଭାବନା କାହିଁକି ? ବହୁବର୍ଷ ତଳେ ନବୀନ ବାବୁଙ୍କର ଓଡ଼ିଆ ବିରୋଧୀ କେସେଟ ବହୁ ଲୋକ ଶୁଣିଛନ୍ତି । ସେଥ‌ିପାଇଁ ତ ନବୀନ ବାବୁ ନା ଓଡ଼ିଆରେ କହିଛନ୍ତି ନା ଓଡ଼ିଆ ଲେଖୁଛନ୍ତି ? ତେବେ ଯାହାହେଉ ଲଳିତ କୁମାରଙ୍କୁ ସବୁ ମିଳିମିଶି ଭଲ ପାନେ ଦବା ଦରକାର। ଗୁଣ୍ଡାଗିରି ତାଙ୍କ ରାଜ୍ୟରେ ଦେଖାନ୍ତୁ । ବାପା ହିସାବରେ ପୁଅକୁ ଉତ୍ତମ ବ୍ୟବହାର ଶିକ୍ଷା ଦିଅନ୍ତୁ ରଘୁବର ।

Leave a Reply

Your email address will not be published. Required fields are marked *