ସରକାର ବଦଳିବା ପରେ ବଦଳୁଛି ଲକ୍ଷ୍ମୀ ବସର ନାଁ ସହ ରଙ୍ଗ । ରାଜ୍ୟରେ ଯାତ୍ରୀ ପରିବହନ ବ୍ୟବସ୍ଥାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ଲକ୍ଷ୍ମୀ ବସ ଯୋଜନା’ ଆରମ୍ଭ କରିଥିଲେ । ଏହି ଯୋଜନା ଦ୍ୱାରା ଅନେକ ଗାଁ ଓ ପଞ୍ଚାୟତକୁ ଜିଲ୍ଲା ସଦର ମହକୁମାରୁ ସିଧାସଳଖ ଉନ୍ନତମାନର ବସ୍ ସେବା ମିଳୁଥିଲା। ଯେଉଁ ଗ୍ରାମଗୁଡ଼ିକୁ ବ୍ଲକ୍ ସଦରରୁ ବସ୍ ସେବା ନଥିଲା, ସେହି ଗ୍ରାମଗୁଡ଼ିକୁ ଲୋକେ ଅତି ଆରାମରେ ଓ କମ୍ ମୂଲ୍ୟରେ ଯାତାୟତ କରି ପାରୁଥିଲେ । ବିଜେପି ସରକାର ଇତିମଧ୍ୟରେ ଶାସନକୁ ଆସିଛନ୍ତି। ଶାସନକୁ ଆସିବାମାତ୍ରେ ନିର୍ବାଚନରେ ବିଜେଡି ପରାଜିତ ହେବା ପରଦିନ ରାତାରାତି ଲକ୍ଷ୍ମୀବସ୍ଗୁଡ଼ିକରୁ ‘ଶଙ୍ଖ’ ଲୋଗୋ ଷ୍ଟିକର ହଟାଇ ଦିଆଯାଇଥିଲା ।କିଛିଦିନ ତଳେ ନୂତନ ସରକାର ଲକ୍ଷ୍ମୀ ବସ୍ ନାଆଁ ବଦଳାଇକି ମୁଖ୍ୟମନ୍ତ୍ରୀ ବସ୍ ସେବା କରିବାପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏବେ ନାଆ ସହିତ ରଙ୍ଗ ବଦଳି ଥିବାର ଦେଖିବାକୁ ମିଳିଛି। ସରକାର ନିର୍ଦ୍ଦେଶ ଦେଇଛନ୍ତି କି ନାହିଁ, ଜଣାନାହିଁ । କିନ୍ତୁ ଦେଖାଯାଇଛି ଯେ ଏ ବସ୍ଗୁଡ଼ିକ ସବୁଜରୁ ଗେରୁଆକୁ ରୂପାନ୍ତରିତ କରାଯାଉଛି। ଢେଙ୍କାନାଳ ବସ୍ଷ୍ଟାଣ୍ଡ ଭିତରେ ରହିଥିବା ପ୍ରାୟ ୨୮ ଲକ୍ଷ୍ମୀବସ୍କୁ ଗେରୁଆ ରଙ୍ଗ କରାଯାଉଛି।ହେଲେ ଏସଂପର୍କରେ ଆର୍ଟିଓଙ୍କ ପାଖରେ କୌଣସି ସୂଚନା ନାହିଁ। ଦାୟିତ୍ଵରେ ରହିଥିବା ଓଏସ୍ଆରଟିସି ମ୍ୟାନେଜର୍ଙ୍କ ପାଖରେ ବି କୌଣସି ସୂଚନା ନାହିଁ। ବସ ରଙ୍ଗ ବଦଳାଇବା ପାଇଁ କିଏ କହିଲା, ତାହା ଜଣାପଡ଼ିନାହିଁ। ଢେଙ୍କାନାଳ ଓଏସ୍ଆର୍ଟିସି ମ୍ୟାନେଜର ରଶ୍ମିତା ପ୍ରିୟଦର୍ଶନୀ କହିଛନ୍ତି, ଲିଖିତଭାବେ କୌଣସି ସୂଚନା ନାହିଁ। ପରିବହନ ମନ୍ତ୍ରୀ ଯାହା କହିଛନ୍ତି ସେହି ଖବର ଲେଖିଦିଅନ୍ତୁ | ଯଦି ଅଧିକ ସୂଚନା ଆବଶ୍ୟକ ଓଏସ୍ଆର୍ଟିସି ଭୁବନେଶ୍ବର ସହ ଯୋଗାଯୋଗ କରନ୍ତୁ ବୋଲି ସେ କହିଥିଲେ। କିନ୍ତୁ କାହା ସହ ଯୋଗାଯୋଗ କରାଯିବ ତାଙ୍କ ନମ୍ବର ଦିଅନ୍ତୁ ମାଗିବାରେ ତାହା ତାଙ୍କୁ ଜଣାନାହିଁ ବୋଲି କହିଥିଲେ। ସେହିପରି ଢେଙ୍କାନାଳ ଆର୍ଟିଓ ପ୍ରଣୟ କୁମାର ମିଶ୍ର କହିଛନ୍ତି, ଲକ୍ଷ୍ମୀବସ୍ ଓଏସ୍ଆର୍ଟିସି ଅଧୀନରେ ରହିଛି| ଏଠି ରହିଥିବା ତାଙ୍କ ମ୍ୟାନେଜର୍ଙ୍କ ସହ ସେ କଥା ହୋଇଛନ୍ତି କିନ୍ତୁ ରଙ୍ଗ ବଦଳିବା ନେଇ ସେ କିଛି କହିନାହାନ୍ତି । Post navigation ଆକ୍ସନ ମୋଡ଼ରେ ନୂଆ ମୁଖ୍ୟ ଶାସନ ସଚିବ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ବସିବ ରଥଯାତ୍ରାର ଶେଷ ସମନ୍ବୟ ବୈଠକ