ନିଟ୍‌ ୟୁଜି ମାମଲାରେ ଦିନକୁ ଦିନ ନୂଆ ନୂଆ ଘଟଣା ସାମ୍ନାକୁ ଆସିବାରେ ଲାଗିଛି। ପରୀକ୍ଷାର୍ଥୀଙ୍କ ସମେତ ସେମାନଙ୍କ ଅଭିଭାବକ ରାଜରାସ୍ତାରେ ବିକ୍ଷୋଭ କରୁଛନ୍ତି । ଏହାରି ମଧ୍ୟରେ ତଦନ୍ତ ପ୍ରକ୍ରିୟା ଜାରି ରହିଛି । ପୋଲିସ ବିହାର ସମେତ ଅନ୍ୟ ରାଜ୍ୟରୁ ପ୍ରଶ୍ନପତ୍ର ଲିକ୍‌ ଅଭିଯୋଗରେ ଜଡ଼ିତ ଅଭିଯୁକ୍ତଙ୍କୁ ଗିରଫ କରୁଛି । ଏହି ମାମଲାରେ ବିହାର କନେକ୍ସନ ରହିଥିବା ବେଳେ ଏବେ ମହାରାଷ୍ଟ୍ରର କନେକ୍ସନ ଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ ମହାରାଷ୍ଟ୍ରର ଲାତୁର ଅଞ୍ଚଳରୁ ଦୁଇଜଣ ଶିକ୍ଷକଙ୍କୁ ହେପାଜତକୁ ନେଇ ପଚରାଉଚରା କରିଛି ଏଟିଏସ୍‌। ଏହି ଦୁଇଜଣ ଜିଲା ପରିଷଦ ସ୍କୁଲରେ କାର୍ଯ୍ୟରତ ଅଛନ୍ତି। ସେମାନଙ୍କୁ ଅନେକ ସମୟ ଜେରା କରିବା ପରେ ଏଟିଏସ୍‌ ଛାଡ଼ିଛି। ଆବଶ୍ୟକ ପଡ଼ିଲେ ପୁଣି ଡକାଯିବ ବୋଲି କହିଛି ।

ଶୁକ୍ରବାର ଏହି ମାମଲାରେ ଜଡ଼ିତ ଥିବା ୫ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି । ଏଥିସହିତ ନିଟ୍‌ ମାମଲାରେ ମୋଟ ୧୮ ଜଣଙ୍କୁ ଗିରଫ କରାଗଲାଣି। ମିଳିଥିବା ସୂଚନା ଅନୁସାରେ ଏହି ୫ ଜଣଙ୍କୁ ଝାଡ଼ଖଣ୍ଡର ଦେଓଘର ଅଞ୍ଚଳରୁ ଗିରଫ କରାଯାଇଛି। ସେମାନଙ୍କୁ ଅଧିକ ପଚରାଉଚରା କରିବା ପାଇଁ ପାଟନା ନିଆଯାଇଛି। ପୂର୍ବରୁ ରାଞ୍ଚିରୁ ବାପ-ପୁଅ ଦୁଇଜଣଙ୍କୁ ଏହି ମାମଲାରେ ଗିରଫ କରାଯାଇଥିଲା।

ସୂଚନା ଥାଉକି, ଏହି ପେପର ଲିକ୍‌ ଘଟଣା ଏକ ଫୋନ୍‌ କଲ୍‌ ପରେ ସନ୍ଦେହ ଘେରକୁ ଆସିଥିଲା ବୋଲି ଜଣାପଡ଼ିଛି। ମେ ୫ ତାରିଖରେ ନିଟ୍‌ ପରୀକ୍ଷା ଆରମ୍ଭ ହେବାର ୩ ଘଣ୍ଟା ପୂର୍ବରୁ ପାଟନା ପୋଲିସକୁ ଏକ ଫୋନ୍‌ କଲ୍‌ ଆସିଥିଲା। ଫୋନ୍‌ କରିଥିବା ବ୍ୟକ୍ତି ନିଜ ନାଁ ନକହି ୪ ଅପରାଧୀ ଏକ ଏସ୍‌ୟୁଭିରେ ତାଙ୍କର ଠିକଣା ସ୍ଥଳକୁ ଯାଉଥିବା କହିଥିଲେ। ହେଲେ ସମ୍ପୂର୍ଣ୍ଣ ତଥ୍ୟ ଦେଇନଥିଲେ। ଏହି ଫୋନ୍‌ କଲ୍‌ ହିଁ ପ୍ରବେଶିକା ପରୀକ୍ଷାରେ ଅନିୟମିତତା ଧରାପାକାଇ ଦେଇଥିବା କୁହାଯାଉଛି।

ପାଟନାର ଶାସ୍ତ୍ରୀ ନଗର ପୋଲିସ ଟିମ୍‌ ଫୋନ୍‌ରେ ମିଳିଥିବା ଏହି ସୂଚନାକୁ ନେଇ ତୁରନ୍ତ ଆକ୍ସନ ମୋଡକୁ ଆସିଥିଲା । ଏସ୍‌ୟୁଭିରେ ଥିବା ୪ ଜଣ ଲୋକଙ୍କୁ ଧରିଥିଲା । ସେମାନଙ୍କୁ ଯେତେବେଳେ ପୋଲିସ୍‌ ଜୋର ଦେଇ ପଚରାଉଚରା କରିଥିଲା ସେତେବେଳେ ସତ ସାମ୍ନାକୁ ଆସିଥିଲା । ସେମାନେ ପୋଲିସକୁ ଏକ ସ୍ଥାନକୁ ନେଇ ଯାଇଥିଲେ । ସେଠାରେ ନିଟ୍‌ ୟୁଜି ଦେବା ପାଇଁ ୩୦ ପରୀକ୍ଷାର୍ଥୀ ରହିଥିଲେ । ଏମାନେ ନିଟ୍‌ ପ୍ରଶ୍ନ ଏବଂ ତାର ଉତ୍ତର ପାଇଁ ୩୦ ରୁ ୫୦ ଲକ୍ଷ ଲେଖାଏଁ ଦେଇଥିବା କୁହାଯାଉଛି । ସେମାନଙ୍କୁ ରାମକୃଷ୍ଣ ନଗରରେ ରଖାଯାଇଥିବା ପୋଲିସ କହିଛି । ରାତି ସାରା ସେମାନଙ୍କୁ ପ୍ରଶ୍ନ ଉତ୍ତର ମନେରଖିବାକୁ କୁହାଯାଇଥିଲା ।

Leave a Reply

Your email address will not be published. Required fields are marked *