ଅନୁଗୁଳରେ ପ୍ରସ୍ତାବିତ ୧,୦୮୦ ମେଗାୱାଟ କ୍ୟାପ୍ଟିଭ୍ ତାପଜ ବିଦ୍ୟୁତ୍ ପ୍ରକଳ୍ପ ପାଇଁ ନାଲ୍କୋ ଏବଂ ଏନ୍ଏଲ୍ସି ଇଣ୍ଡିଆ ଲିମିଟେଡ୍ ମଧ୍ୟରେ ହେବାକୁ ଥିବା ୫୦:୫୦ ଯୌଥ ଉଦ୍ୟୋଗର ଯଥାର୍ଥତା ଓ ସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର। କୋଇଲା, ଖଣି ଓ ଇସ୍ପାତ ସଂସଦୀୟ ସ୍ଥାୟୀ କମିଟିର ସଦସ୍ୟ ଭାବେ ସେ ଆଜି ନାଲକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ବ୍ରିଜେନ୍ଦ୍ର ପ୍ରତାପ ସିଂହଙ୍କୁ ଏକ ପତ୍ର ଲେଖି ଏହି ପ୍ରକଳ୍ପର ଆର୍ଥିକ ଓ ବୈଷୟିକ ଯଥାର୍ଥତା ଉପରେ ବିସ୍ତୃତ ସ୍ପଷ୍ଟୀକରଣ ଲୋଡ଼ିଛନ୍ତି। ନଭେମ୍ବର ୧୬ ତାରିଖରେ ଲେଖାଯାଇଥିବା ଏହି ପତ୍ରରେ ଡ. ପାତ୍ର ଏହି ଚୁକ୍ତିର ବ୍ୟବସାୟିକ ଯଥାର୍ଥତା ଉପରେ ପ୍ରଶ୍ନ କରିଛନ୍ତି। ସେ ଦର୍ଶାଇଛନ୍ତି ଯେ ନାଲକୋ ପାଖରେ ପୂର୍ବରୁ ୧,୨୦୦ ମେଗାୱାଟର କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟ, ଆବଶ୍ୟକୀୟ ଭିତ୍ତିଭୂମି ଏବଂ କୋଇଲା ଲିଙ୍କେଜ୍ ରହିଛି। ଏହାଛଡ଼ା କମ୍ପାନୀ ନିଜସ୍ୱ ଉତ୍କଳ-ଡି ଏବଂ ଉତ୍କଳ-ଇ ଖଣିରୁ ୨୦୨୫-୨୬ ଆର୍ଥିକ ବର୍ଷରେ ୪ ନିୟୁତ ଟନ୍ କୋଇଲା ଉତ୍ପାଦନ କରିଛି। ଏଭଳି ସ୍ଥିତିରେ କେବଳ ନାଲକୋର ନିଜସ୍ୱ ଆବଶ୍ୟକତା ପାଇଁ ଉଦ୍ଦିଷ୍ଟ ଏହି ପାୱାର ପ୍ରକଳ୍ପକୁ ନିଜେ ସ୍ୱତନ୍ତ୍ର ଭାବେ ନିର୍ମାଣ ଓ ପରିଚାଳନା ନକରି, କାହିଁକି ୫୦ ପ୍ରତିଶତ ଅଂଶଧନ ଅନ୍ୟ ସଂସ୍ଥାକୁ ଦିଆଯାଉଛି ବୋଲି ସେ ମୌଳିକ ପ୍ରଶ୍ନ କରିଛନ୍ତି। ପ୍ରାୟ ୧୨,୦୦୦ କୋଟିରୁ ୧୭,୦୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପର ଅନୁମୋଦିତ ମୂଲ୍ୟ ଏବଂ ଉଭୟ ମଡେଲର ତୁଳନାତ୍ମକ ବୈଷୟିକ-ଆର୍ଥିକ ଆକଳନ ସମ୍ପର୍କରେ ସେ ତଥ୍ୟ ମାଗିଛନ୍ତି। ନାଲକୋର ନିଜସ୍ୱ ଖଣି ଥିବା ସତ୍ତ୍ୱେ ଏନଏଲସିଆଇଏଲ ସହ ଅଲଗା କୋଇଲା ଯୋଗାଣ ଚୁକ୍ତି କାହିଁକି କରାଯାଉଛି ଏବଂ ଏନଏଲସିଆଇଏଲର ମଛକାଟା ଖଣିର ବର୍ତ୍ତମାନ ସ୍ଥିତି କ’ଣ, ସେନେଇ ସେ ସ୍ପଷ୍ଟୀକରଣ ଚାହିଁଛନ୍ତି। ଏହା ସହିତ ପ୍ରକଳ୍ପରେ ବ୍ୟବହୃତ ହେବାକୁ ଥିବା ନାଲକୋର ଜମି, ଜଳ, ରେଳ ସଂଯୋଗ ଓ ଅନ୍ୟାନ୍ୟ ଭିତ୍ତିଭୂମିର ମୂଲ୍ୟାଙ୍କନ କିପରି ହେବ ଏବଂ ଏନଏଲସିଆଇଏଲର ଯୋଗଦାନ କ’ଣ ରହିବ, ତାହା ଜଣାଇବାକୁ ସେ କହିଛନ୍ତି। ଅନ୍ୟପକ୍ଷରେ, ପ୍ରକଳ୍ପରେ ମାତ୍ର ୫୦ ପ୍ରତିଶତ ଅଂଶଧନ ରଖି ନାଲକୋ କାହିଁକି ୨୫ ବର୍ଷ ପାଇଁ ଉତ୍ପାଦିତ ଶତ ପ୍ରତିଶତ ବିଦ୍ୟୁତ୍ କିଣିବାକୁ ଚୁକ୍ତିବଦ୍ଧ ହେବ, ସେନେଇ ସାଂସଦ ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ବିଦ୍ୟୁତ୍ ଶୁଳ୍କ ନିର୍ଦ୍ଧାରଣ, ଲାଭ ବଣ୍ଟନ ଏବଂ ବିପଦ ବଣ୍ଟନ ବ୍ୟବସ୍ଥା ନାଲକୋର ଦୀର୍ଘକାଳୀନ ସ୍ୱାର୍ଥକୁ କିପରି ସୁରକ୍ଷା ଦେବ, ତାହା ସ୍ପଷ୍ଟ କରିବାକୁ ସେ ଦାବି କରିଛନ୍ତି। ନାଲକୋର ସମ୍ପ୍ରସାରଣ କାର୍ଯ୍ୟରେ ପୂର୍ବରୁ ହୋଇଥିବା ବିଳମ୍ବକୁ ଦୃଷ୍ଟିରେ ରଖି ୨୦୩୦-୩୧ ସୁଦ୍ଧା ପ୍ରସ୍ତାବିତ ସ୍ମେଲଟର ସମ୍ପ୍ରସାରଣ ସହ ତାଳ ଦେଇ ଏହି ବିଦ୍ୟୁତ୍ ପ୍ରକଳ୍ପ କିପରି ଠିକ୍ ସମୟରେ କାର୍ଯ୍ୟକ୍ଷମ ହେବ, ସେନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। ସାର୍ବଜନୀନ କ୍ଷେତ୍ରର ଏତେ ବଡ଼ ନିବେଶ କେବଳ ଦୁଇଟି ସରକାରୀ ଉଦ୍ୟୋଗ ମଧ୍ୟରେ ସହଭାଗୀତାର ସୁବିଧା ପାଇଁ ନହୋଇ, ନାଲକୋ ଓ ଏହାର ଅଂଶଧନକାରୀଙ୍କ ସ୍ପଷ୍ଟ ଆର୍ଥିକ ଲାଭ ଆଧାରରେ ହେବା ଉଚିତ ବୋଲି ଡ. ସସ୍ମିତ ପାତ୍ର ମତ ଦେଇଛନ୍ତି। ଓଡ଼ିଶାର ଦୀର୍ଘକାଳୀନ ଅର୍ଥନୈତିକ ସ୍ୱାର୍ଥ ଏବଂ ନାଲକୋର ରଣନୈତିକ ସମ୍ପତ୍ତିର ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ବଜାୟ ରଖିବା ପାଇଁ ବୋର୍ଡ ଦ୍ୱାରା ଅନୁମୋଦିତ ନିଷ୍ପତ୍ତି ଓ ବୈଷୟିକ-ଆର୍ଥିକ ରିପୋର୍ଟ ସହ ଶୀଘ୍ର ଲିଖିତ ଉତ୍ତର ଦେବାକୁ ସେ ନାଲକୋ ସିଏମଡିଙ୍କୁ ଅନୁରୋଧ କରିଛନ୍ତି। Post navigation Deep Depression Forms Over Bay of Bengal: ବଙ୍ଗୋପସାଗରରେ ସୃଷ୍ଟି ହେଲା ଗଭୀର ଅବପାତ: ଭୀଷଣ ବାତ୍ୟା ଆଶଙ୍କା