ଦକ୍ଷିଣ-ପୂର୍ବ ଏବଂ ସଂଲଗ୍ନ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଏହି ସିଷ୍ଟମ ଆହୁରି ଶକ୍ତିଶାଳୀ ହୋଇ ଆଜି ବାତ୍ୟା ରୂପ ନେବାର ସମ୍ଭାବନା ରହିଛି ଏବଂ ଆସନ୍ତାକାଲି ସୁଦ୍ଧା ଏହା ଭୀଷଣ ବାତ୍ୟାରେ ପରିଣତ ହୋଇପାରେ। ବର୍ତ୍ତମାନ ଏହି ଗଭୀର ଅବପାତ ଘଣ୍ଟାପ୍ରତି ୮ କିଲୋମିଟର ବେଗରେ ଆଗକୁ ବଢ଼ୁଛି। ଗୋପାଳପୁରଠାରୁ ପ୍ରାୟ ୯୭୦ କିଲୋମିଟର ଏବଂ ବିଶାଖାପାଟଣମଠାରୁ ପ୍ରାୟ ୮୬୦ କିଲୋମିଟର ଦୂରରେ ଏହା କେନ୍ଦ୍ରୀଭୂତ ରହିଛି। ପାଣିପାଗ ବିଶେଷଜ୍ଞମାନଙ୍କ ମତରେ, ପରବର୍ତ୍ତୀ ୪ ଦିନ ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ଆନ୍ଧ୍ରପ୍ରଦେଶ ଉପକୂଳମୁହାଁ ହେବାର ପ୍ରବଳ ସମ୍ଭାବନା ରହିଛି। ଏହି ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆଇଏମଡି ପକ୍ଷରୁ ଆନ୍ଧ୍ରପ୍ରଦେଶ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଓଡ଼ିଶା ଉପକୂଳ ପାଇଁ ‘ପ୍ରି-ସାଇକ୍ଲୋନ୍ ୱାଚ୍’ ଜାରି କରାଯାଇଛି। ଏହି ଗଭୀର ଅବପାତଟି ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି ଜାରି ରଖି ନଭେମ୍ବର ୧୬ ତାରିଖ ସନ୍ଧ୍ୟା ସୁଦ୍ଧା ଦକ୍ଷିଣ ଏବଂ ପାର୍ଶ୍ୱବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ବାତ୍ୟାର ରୂପ ନେବାର ଯଥେଷ୍ଟ ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଏହା ଆହୁରି ଘନୀଭୂତ ହୋଇ ନଭେମ୍ବର ୧୭ ତାରିଖ ସନ୍ଧ୍ୟା ସୁଦ୍ଧା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଭୀଷଣ ବାତ୍ୟା ରେ ପରିଣତ ହେବାର ସମ୍ଭାବନା ରହିଛି। ସମୁଦ୍ର ଭିତରେ ବଢ଼ୁଥିବା ଏହି ହଲଚଲକୁ ଦୃଷ୍ଟିରେ ରଖି ଉପକୂଳବର୍ତ୍ତୀ ଅଞ୍ଚଳରେ ସତର୍କତା ଜାରି କରାଯାଇଛି। ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯିବା ସହ ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି। ପାଣିପାଗ ବିଭାଗର ପରବର୍ତ୍ତୀ ବୁଲେଟିନ୍ ଉପରେ ଏବେ ସମସ୍ତଙ୍କ ନଜର ରହିଛି। Post navigation VP CP Radhakrishnan Arrives in BBSR: ଦିନିକିଆ ଓଡ଼ିଶା ଗସ୍ତରେ ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ୍