କେନ୍ଦ୍ରର ଏଡିଏ ସରକାର ଆନ୍ଧ୍ର ପ୍ରଦେଶରେ 0.୫ ମିଲିଅନ ଟନ (MTPA -ବାର୍ଷିକ ନିୟୁତ ଟନ୍) କ୍ଷମତା ବିଶିଷ୍ଟ ଏକ ନୂତନ ଆଲୁମିନିୟମ୍ ସ୍ମେଲ୍ଟର (ଧାତୁ ଗଳାଇବା କାରଖାନା) ପ୍ରତିଷ୍ଠା କରିବାକୁ ଯୋଜନା କରୁଛି । ଏହି ପ୍ରସ୍ତାବ ଅନୁଯାୟୀଊକ୍ତ ପ୍ରକଳ୍ପ ପାଇଁ ଓଡ଼ିଶାର ଖଣିରୁ ବକ୍ସାଇଟ୍ କଞ୍ଚାମାଲର ବ୍ୟବହାର କରିବ । ସ୍ମେଲ୍ଟର ପାଇଁ ପ୍ରାୟ ୧୮,୦୦୦ କୋଟି ଟଙ୍କା ଏବଂ ଏହା ସହିତ ଜଡ଼ିତ ୧,୦୦୦ ମେଗାୱାଟ୍ କ୍ଷମତା ବିଶିଷ୍ଟ କ୍ୟାପଟିଭ୍ ପାୱାର ପ୍ଲାଣ୍ଟ (ନିଜସ୍ୱ ବିଦ୍ୟୁତ୍ କେନ୍ଦ୍ର) ପାଇଁ ପ୍ରାୟ ୧୧,୦୦୦ କୋଟି ଟଙ୍କା ସହ ମୋଟ ନିବେଶ ପ୍ରାୟ ୨୯,୦୦୦ କୋଟି ଟଙ୍କା ବିନିଯୋଗ କରିବ ।

ସେହିଭଳି କମ୍ପାନୀ ୩୭ ହଜାର କୋଟି ଟଙ୍କା ନିବେଶ କରି ଅନୁଗୁଳରେ ଏହାର ସଂପ୍ରସାରଣ କାର୍ଯ୍ୟ କରିବେ ବୋଲି ଘୋଷଣା କରିଛନ୍ତି । ସଂପ୍ରସାରଣ ଯୋଜନା ଅନୁୟାୟୀ ଅନୁଗୋଳରେ ୧୨,୧୬୩ କୋଟି ଟଙ୍କା ବ୍ୟୟରେ ଆଲୁମିନିୟମ ସ୍ମେଲଟର କ୍ଷମତାକୁ ୦.୫ ନିୟୁତ ଟନ ବଢ଼ାଇବା ସହ କମ୍ପାନି ୧୭,୦୦୦ କୋଟି ଟଙ୍କା ବ୍ୟୟରେ ପାୱାର ପ୍ଲାଣ୍ଟ କ୍ଷମତାକୁ ୧୦୮୦ ମେଗାୱାଟକୁ ବଢ଼ାଇବା, ଦାମନଯୋଡ଼ିଠାରେ ୧ ନିୟୁତ ଟନ ବିଶିଷ୍ଟ ଆଲୁମିନା ରିଫାଇନାରିର ପଞ୍ଚମ ଷ୍ଟ୍ରିମ ପାଇଁ ୫୬୬୨ କୋଟି ଟଙ୍କା ଏବଂ ୩.୫ ନିୟୁତ ଟନ କ୍ଷମତା ବିଶିଷ୍ଟ କୋରାପୁଟ ଜିଲ୍ଲାର ପଟାଙ୍ଗୀ ବକ୍ସାଇଟ୍ ଖଣି ପାଇଁ ୧୯୨୧ କୋଟି ଟଙ୍କା ନିବେଶ କରାଯାଇ ୨୦୩୦ ସୁଦ୍ଧା ସମ୍ପ୍ରସାରଣ ପ୍ରକଳ୍ପଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ଉପରେ ଯୋଜନା କରାଯାଇଛି ।

ତେବେ ଓଡିଶା ପ୍ରଦେଶ କଂଗ୍ରେସ ପକ୍ଷରୁ କୁହାଯାଇଛି ଆନ୍ଧ୍ରରେ କେନ୍ଦ୍ର ସରକାର ନାଲକୋ ପ୍ରତିଷ୍ଠା କରନ୍ତୁ କିନ୍ତୁ ଓଡିଶାର ଖଣିଜ ସଂପଦକୁ ବ୍ୟବହାର କରି ନୂହେଁ । ଓଡିଶାର ଖଣିଜ ସଂପଦ ଓଡିଶା ପାଇଁ ରହିଛି ଏବଂ ଓଡିଶା ପାଇଁ ବ୍ୟବହାର ହେଉ । ସେହିଭଳି କେନ୍ଦ୍ର ସରକାର ଅନୁଗୁଳଠାରେ ସଂପ୍ରସାରଣ ଯୋଜନା କାର୍ଯ୍ୟକାରୀ କରିବାକୁ ନେଇ ଯେଊଁ ଯୋଜନା କରିଛନ୍ତି ଏହାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ନାଲକୋ ଏବଂ ଏନଏଲସି ଇଣ୍ଡିଆ ଲିମିଟେଡ଼ (NLC India Limited) ମଧ୍ୟରେ ହେବାକୁ ଥିବା ଏହି ପ୍ରସ୍ତାବିତ ୫୦:୫୦ ମିଳିତ ଉଦ୍ୟୋଗ (Joint Venture)ରେ ୧,୦୮୦ ମେଗାୱାଟ୍‌ର କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟ (CPP) ପ୍ରତିଷ୍ଠା କରିବାକୁ ଯେଊଁ ନିଷ୍ପତ୍ତି ନିଆଯାଇଛି ଏହାକୁ ମିଳିତ ଊଦ୍ୟୌଗରେ ପ୍ରକଳ୍ପ ସ୍ଥାପନ ନ କରି କେବଳ ନାଲକୋ ହିଁ ଏହାର ପ୍ରତିଷ୍ଠା କରୁ ବୋଲି ଦଳ ପକ୍ଷରୁ କଂଗ୍ରେସର ବରିଷ୍ଠ ମୁଖପାତ୍ର ଜଗଦାନନ୍ଦ ପ୍ରଦାନ ଦୃଢ ଦାବି କରିଛନ୍ତି ।

ଭବନେଶ୍ବର କଂଗ୍ରେସ ଭବନଠାରେ ପ୍ରଦେଶ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏକ ସାମ୍ବାଦିକ ସମ୍ମଳନୀରେ ଦଳର ବରିଷ୍ଠ ମୁଖପାତ୍ର ତଥା ପ୍ରଦେଶ କଂଗ୍ରେସ ରିସର୍ଚ୍ଚ ବିଭାଗ ମୁଖ୍ୟ ଜଗଦାନନ୍ଦ ପ୍ରଧାନ କହିଛନ୍ତି ଯେ ନାଲକୋ ପାରମ୍ପରିକ ଭାବରେ ଓଡ଼ିଶାର କୋରାପୁଟ ଜିଲ୍ଲାରେ ଥିବା ନିଜସ୍ୱ ପଞ୍ଚପଟମାଳି ବକ୍ସାଇଟ୍ ଖଣି ଏବଂ ଦାମନଯୋଡ଼ି ସ୍ଥିତ ଆଲୁମିନା ରିଫାଇନାରୀ ଉପରେ ନିର୍ଭର କରିଥାଏ । ବର୍ତ୍ତମାନ କମ୍ପାନୀ ଦାମନଯୋଡ଼ି ରିଫାଇନାରୀର କ୍ଷମତା ବୃଦ୍ଧି କରିବା ପାଇଁ ଏକ ‘୫ମ ଷ୍ଟ୍ରିମ୍’ (୧ ଏମଟିପିଏ କ୍ଷମତା ବିଶିଷ୍ଟ) ଯୋଡ଼ୁଛି । ତେବେ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ମଧ୍ୟରେ ବକ୍ସାଇଟ୍ କିମ୍ବା ଆଲୁମିନାର ଆନ୍ତଃ-ରାଜ୍ୟ ବ୍ୟବହାର ସମ୍ବନ୍ଧୀୟ ପ୍ରସ୍ତାବଗୁଡ଼ିକ ସହ ସମ୍ବଳ ଆବଣ୍ଟନକୁ ନେଇ ଶ୍ରୀ ପ୍ରଧାନ ଊଠାଇଛନ୍ତି ପ୍ରଶ୍ନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାରେ ଏଠି ସମସ୍ତ ପ୍ରକାରର ଭିତ୍ତି ଭୂମି ଯଥା କୋଇଲା ଖଣି, ବିଦ୍ୟୁତ ପାଣି, ଜମି ଇତ୍ୟାଦି ଥାଇ ମଧ୍ୟ ୟୁପିଏ ସରକାରଙ୍କ ସମୟରୁ ଗତ 2013 ମସିହାଠାରୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନ ମୋହନ ସିଂହଙ୍କ ସମୟରୁ ସଂପ୍ରସାରଣ କାର୍ଯ୍ୟପାଇଁ ଘୋଷଣା କରାଯାଇଥିବା ସଂପ୍ରସାରଣ କାର୍ଯ୍ୟକୁ ଆଜି ସୁଧା ଆରମ୍ଭ କରାହୋଇ ପାରିନାହିଁ । ଏହାର ସଂପ୍ରସାଣ କାର୍ଯ୍ୟ ଆରମ୍ଭ କରିବାକୁ 14 ବର୍ଷ ବିତିଗଲାଣି ଏବଂ 13 ହଜାର କୋଟି ଟଙ୍କାରୁ ବୃଦ୍ଧି ହୋଇ ସଂପ୍ରସାରଣ ପାଇଁ 37 ହଜାର କୋଟିରେ ପଂହଚିଲାଣି । ତଥାପି ଏହାର ସଂପ୍ରସାରଣ କାର୍ଯ୍ୟ ଆରମ୍ଭ ହୋଇପାରୁ ନାହିଁ ।

ଗତ 2011 ମସିହାରେ ତତକାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସମୟରେ 5 ହଜାର କୋଟି ଟଙ୍କା ବ୍ୟୟରେ ଦ୍ବିତୀୟ ଓ ତୃତୀୟ ପର୍ୟ୍ୟାୟ ଲାଇନ ସଂପ୍ରସାରଣ କରି 960ଟି ପଟ୍ ସହିତ 4 ଲକ୍ଷ 60 ହଜାର ମେଟ୍ରିକ ଟନର ଉତ୍ପାଦନ କ୍ଷମତା ବୃଦ୍ଧି କରାଯାଇଥିଲା । ଦାମନଯୋଡି ରିଫାଇନେରିରୁ 21 ଲକ୍ଷ ମେଟ୍ରିକ ଟନ ଆଲୁମିନା ଉତ୍ପାଦନ କରାଯାଊଥିଲା ।

ମୁଖପାତ୍ର ଶ୍ରୀ ପ୍ରଧାନ କହିଛନ୍ତି ଯେ, କେନ୍ଦ୍ରରେ ୟୁପିଏ ସରକାରଙ୍କ ସମୟରେ 2013 ମସିହାରେ ଊଭୟ ସ୍ମେଲଟର ଓ ସିପିପି ପ୍ଲାଣ୍ଟରେ 13 ହଜାର କୋଟି ଟଙ୍କାର ସଂପ୍ରସାରଣ କରିବା ପାଇଁ ଯୋଜନା କରାଯାଇଥିଲା । ତେବେ 2013 ମସିହାରେ ମନମୋହନ ସିଂହଙ୍କ ସରକାର ଚାଲିଯିବା ପରେ ମୋଦୀ ସରକାର ଆସିବା ପରଠାରୁ ଏହି ସଂପ୍ରସାରଣ ଯୋଜନାକୁ ଶୀତଳ ଭଣ୍ଡାରରେ ରଖଦିଆଯାଇଥିଲା ।କମ୍ପାନୀର ସଂପ୍ରସାରଣ ପରିବର୍ତ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର କମ୍ପାନୀର ବିଭିନ୍ନ ବିନିଯୋଗ (Disinvestment) ପ୍ରକ୍ରିୟା ସମେତ ବାଏ-ବ୍ୟାକ୍ (Buy Back) ନୀତି ମାଧ୍ୟମରେ, କମ୍ପାନୀରେ ଭାରତ ସରକାରଙ୍କ ଅଂଶଧନ ୨୦୧୬ ରୁ ୨୦୧୯ ମଧ୍ୟରେ ୮୧% ରୁ ହ୍ରାସ ପାଇ ବର୍ତ୍ତମାନ ୫୧.୨୮% ରେ ପହଢାଇ ଦେଇଛନ୍ତି । 49%କୁ ଆସିଲେ ଏହାର ମାଲିକାନା ସଂପୂର୍ଣ୍ଣଭାବେ ଘରୋଇ କମ୍ପାନୀ ହାତକୁ ଚାଲିଯିବ ବୋଲି ସେ କହିଛନ୍ତି । ସେହିଭଳି 2013ଠାରୁ ସ୍ମେଲଟର ପ୍ଲାଣ୍ଟ ସଂପ୍ରସାରଣ ନକରି ତା ସରପ୍ଲସ ଆଲୁମିନା ବଳକା ଆଲୁମିନା ନାଲକୋର ପ୍ରତିଯୋଗୀ ଘରୋଇ କମ୍ପାନୀମାନଙ୍କୁ ଏବେ କମ ରେଟରେ ବିକ୍ରି କରି ଦିଆ ଯାଊଥିବା ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି ।

ତେବେ କେନ୍ଦ୍ର ସରକାର ନିକଟରେ ଏବେ ଏହି ସଂପ୍ରସାରଣ ଯୋଜନା କାର୍ଯ୍ୟକାରୀ କରିବାକୁ ଯେଊଁ ମୁଣ୍ଡ ଖେଳେଇଛନ୍ତି ଏହାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛି କଂଗ୍ରେସ । ନାଲକୋ ଏବଂ ଏନଏଲସି ଇଣ୍ଡିଆ ଲିମିଟେଡ଼ (NLC India Limited) ମଧ୍ୟରେ ହେବାକୁ ଥିବା ଏହି ପ୍ରସ୍ତାବିତ ୫୦:୫୦ ମିଳିତ ଉଦ୍ୟୋଗ (Joint Venture)ରେ ୧,୦୮୦ ମେଗାୱାଟ୍‌ର କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟ (CPP) ପ୍ରତିଷ୍ଠା କରିବାକୁ ଯେଊଁ ନିଷ୍ପତ୍ତି ନିଆଯାଇଛି ଏହାକୁ ମିଳିତ ଉଦ୍ୟୋଗରେ ପ୍ରକଳ୍ପ ସ୍ଥାପନ ନ କରି କେବଳ ନାଲକୋ ହିଁ ଏହାର ପ୍ରତିଷ୍ଠା କରୁ ବୋଲି ଦଳ ପକ୍ଷରୁ ଶ୍ରୀ ପ୍ରଧାନ ଦାବି କରିଛନ୍ତି ।

ମୁଖପାତ୍ର ଶ୍ରୀ ପ୍ରଧାନ କହିଛନ୍ତି ଯେ, ନାଲକୋକୁ ଅନ୍ୟ କମ୍ପାନୀ ସହ ଭାଗୀଦାରୀ କରାଗଲେ ନାଲକୋ ନିଜର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଦ୍ୟୁତ ଉତ୍ପାଦନ କ୍ଷେତ୍ର ଉପରୁ ସାମରିକ ଓ କାର୍ଯ୍ୟକ୍ଷମ ନିୟନ୍ତ୍ରଣ ହରାଇବ । ଭବିଷ୍ୟତରେ ମ୍ୟାନେଜମେଣ୍ଟ ତଥା ପରିଚାଳନା କ୍ଷେତ୍ରରେ ଦ୍ୱନ୍ଦ୍ୱ ଏବଂ ଅନିଶ୍ଚିତତା ସୃଷ୍ଟି ହେବ ଯାହା ଦ୍ବାରା କମ୍ପାନୀର ଲାଭକୁ ପ୍ରଭାବିତ କରିବ । ବର୍ତ୍ତମାନ ଏନଏଲସି ଇଣ୍ଡିଆ ଲିମିଟେଡ଼ ହାତରେ ନାଲକୋର ପରିଚାଳନା ବିଭାଗର ଊଚ୍ଚସ୍ତରୀୟ ପଦପଦବୀଗୁଡିକ ରହିଲେ ନାଲକୋର ସଂପୂର୍ଣ୍ଣ କ୍ଷମତା ଏହି କମ୍ପାନୀ ହାତରେ ରହିବ। ଏହାର ଅର୍ଥ କେନ୍ଦ୍ରର ବିଜେପି ସରକାର ନାଲକୋ ପ୍ରକଳ୍ପକୁ ଅନ୍ୟ ଏକ କମ୍ପାନୀ ଆଗରେ ମୁଣ୍ଡ ବିକି ଦେଇଛନ୍ତି ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି ।

ସେହିଭଳି ନାଲକୋ ପାଖରେ ବିଗତ ଚାରି ଦଶନ୍ଧି ଧରି ୧,୨୦୦ ମେଗାୱାଟ୍ କ୍ଷମତା ସମ୍ପନ୍ନ କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟକୁ ସଫଳତାର ସହ ପରିଚାଳନା କରିବାର ବ୍ୟାପକ ଅଭିଜ୍ଞତା ରହିଛି । କମ୍ପାନୀ ପାଖରେ ପର୍ଯ୍ୟାପ୍ତ ଜମି, କୋଇଲା ଯୋଗାଣ ବ୍ୟବସ୍ଥା, ଜଳ ଉତ୍ସ, ପାଉଁଶ ନିଷ୍କାସନ ବ୍ୟବସ୍ଥା ଏବଂ ରେଳ ସଂଯୋଗୀକରଣ ଭଳି ସମସ୍ତ ଆନୁଷଙ୍ଗିକ ଭିତ୍ତିଭୂମି ମହଜୁଦ ରହିଛି । ତେଣୁ ଏହି ସମ୍ପ୍ରସାରଣ ପ୍ରକଳ୍ପ ପାଇଁ ଅନ୍ୟ କୌଣସି ସଂସ୍ଥା ସହ ମିଳିତ ଉଦ୍ୟୋଗ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି ।

ପ୍ରଦେଶ କଂଗ୍ରେସ ପକ୍ଷରୁ କେନ୍ଦ୍ର ସରକାରଙ୍କର ଏହି ସଂପ୍ରସାରଣ ଯୋଜନାକୁ କଟାକ୍ଷ କରି କୁହାଯାଇଛି ଯେ ସରକାରଙ୍କର ଏହି ସଂପ୍ରସାରଣ ଯୋଜନା କେବଳ ଓଡିଶାବାସୀଙ୍କୁ ଭୂଆଁ ବୁଲାଇବା ଛଡା ଅନ୍ୟ କିଛି ନୁହେଁ । ରାଜ୍ୟରେ ନାଲକୋ ପ୍ଲାଣ୍ଟର ସ୍ଥାପନ କଂଗ୍ରେସ ସରକାରଙ୍କ ଅମଳରେ ହୋଇଛି । ଏହି ରାଷ୍ଟ୍ରିୟ କମ୍ପାନୀକୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଗତ 1981 ମସିହାରେ ଦାମନଯୋଡିଠାରେ ବକସାଇଟ ଖଣିର ଶୁଭ ଊଦଘାଟନ କରିଥିଲେ । ଗତ 1989 ମସିହାରେ ତତକାଳୀନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀ ପ୍ରକଳ୍ପକୁ ଅନୁଗୁଳଠାରେ ଜାତି ଊଦ୍ଦେଶ୍ୟରେ ଊତ୍ସର୍ଗ କରିଥିଲେ । ଗତ 2003 ମସିହାରେ ବାଜପେୟୀଙ୍କ ଏନଡିଏ ସରକାରଙ୍କ ଅମଳରେ ନାଲକୋକୁ ଘରୋଇ କରଣ କରିବାକୁ ହେଊଥିବା ମସୁଧାକୁ କଂଗ୍ରେସ ନେତୀ ସୋନିଆ ଗାନ୍ଧୀ ବିରୋଧ କରି ଘରୋଇ କରଣ ପ୍ରକ୍ରିୟାକୁ ବନ୍ଦ କରିଥିଲେ । ବର୍ତ୍ତମାନର ଏଲଓପି ତଥା କଂଗ୍ରେସ ନେତା ରାହୁଳ ଗାନ୍ଧୀ ଅନୁଗୋଳର ନାଲକୋକୁ ଆସି ଏହାକୁ ନବ ରତ୍ନ କମ୍ପାନୀରେ ଘୋଷଣା କରିଥିଲେ ।

ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନରେ ଥିବା ଏକ ପ୍ରମୁଖ ‘ନବରତ୍ନ’ କମ୍ପାନୀ ଅଟେ । ଏହା ୭ ଜାନୁଆରୀ ୧୯୮୧ ରେ ପ୍ରାୟ 2400 କୋଟି ଟଙ୍କାରେ ପ୍ରତିଷ୍ଠିତ ହୋଇଥିଲା । ନାଲକୋ ସ୍ମେଲଟରର 4 ଲକ୍ଷ 60ହଜାର ମେଟ୍ରିକ ଟନର ଆଲୁମିନିଅମ ଊତ୍ପାଦନ ପାଇଁ 10 ଲକ୍ଷ ମେଟ୍ରିକ ଟନ ଆଲୁମିନା ପାଊଡର ଆବଶ୍ୟକ ପଡିଥାଏ । ବଡ ଦୁଃଖର କଥା 2013 ମସିହାରୁ ବାର୍ଷିକ ବଳକା 11 ଲକ୍ଷ ମେଟ୍ରିକ ଟନ ହିସାବରେ ବର୍ତ୍ତମାନ ଏହାର ମୂଲ୍ୟ ସମୁଦାୟ 50 ହଜାର କୋଟି ଟଙ୍କା ମୂଲ୍ୟ ହେବ । ଯଦି ଆମେ ତାକୁ ସଂପ୍ରସାରଣ କରାଯାଇ ସ୍ମେଲଟିଙ୍ଗ କରାଯାଇଥାନ୍ତା ବା ଆଲୁମିନିଏମ ମେଟାଲ କରାଯାଇଥାନ୍ତା ତାର ଆଲୁମିନିଅମର ମୂଲ୍ୟ 2500 ଡଲାର ହୋଇଥିଲେ କେତେ ହୋଇଥାନ୍ତା । ଏବେ ବଳକା 20 ଲକ୍ଷ ମେଟ୍ରିକ ଟନ ଆଲୁମିନା ପାଊଡରକୁ ପୁଣି ସ୍ବଳ୍ପ ମୂଲ୍ୟରେ ଘରୋଇ କମ୍ପାନୀମାନଙ୍କୁ ହାତରେ ଟେକି ଦିଆଯାଊଛି । ଏପଟେ ନାଲକୋର ସଂପ୍ରସାରଣ କାର୍ଯ୍ୟ ସଂପର୍ଣ୍ଣ ହେଲାବେଳକୁ ବକସାଇଟ ନଥିବ । ତେଣୁ ପ୍ଲାଣ୍ଟ ବନ୍ଦ ହେବାକୁ କେହି ଆଊ ରୋକି ପାରିବେ ନାହିଁ ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି ।

ପୂର୍ବରୁ ବାଜପେୟୀ ସରକାର ଗତ 2003 ମସିହାରେ ନାଲକୋକୁ ଘରୋେଇ କଂମ୍ପାନୀ ହାତକୁ ଟେକି ଦେବା ପାଇଁ ଊଦ୍ୟମ କରୁଥିବାବେଳେ ରାଜ୍ୟ କଂଗ୍ରେସ ସହ ସ୍ତାନୀୟ କର୍ମଚାରୀମାନଙ୍କ ଅନୁରୋଧରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଏହି ଘରୋଇ କରଣ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଭାବେ ୟୁପିଏ ସରକାରଙ୍କୁ ସମୟରେ ବନ୍ଦ କରିଦେଇଥିଲେ । ଏବେ କେନ୍ଦ୍ର ଏନଡିଏ ସରକାର ନାଲକୋକୁ ରୁଗଣ କରିଦେଇ ଏହାର ମାଲିକାନା ଘରୋଇ କମ୍ପାନୀ ହାତକୁ ଟେକି ଦେବାକୁ ଊଦ୍ୟମ କରୁଛନ୍ତି ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି ।

ତାଳଚେରର ଭରତପୁର କୋଇଲ ଖଣି ସହିତ ନାଲକୋର କୋଲ ଲିଙ୍କେଜ ରହିଛି । ବର୍ତ୍ତାମନ ନାଲକୋର ନିଜସ୍ବ କୋଇଲା ଖଣିରୁ କୋଇଲା ଊତ୍ପାଦନ ହେବା ପରେ ଲିଙ୍କେଜ କୋଇଲା ଖଣିରୁ ଊତ୍ପାଦନ ହେଊଥିବା କୋଇଲାକୁ ଅନ୍ୟ କମ୍ପାନୀକୁ କାହିଁକି ବିକ୍ରି କରିଦିଆଊଛି। ସଂପ୍ରସାରଣ ଯୋଜନାକୁ କାର୍ଯ୍ୟକାରୀ ନକରି ଆନ୍ଧ୍ରକୁ ମନ ବଲାଇବା, ଅନୁଗୁଳର ସ୍ମଲଟର ପ୍ଲାଣ୍ଟକୁ ସଂପ୍ରସାରଣ ନକରିବା ଓ ନାଲକୋର ନିଜସ୍ବ ତାପଜ ବିଦ୍ୟୁତ କେନ୍ଦ୍ରକୁ ଘରୋଇ କମ୍ପାନୀକୁ ଟେକି ଦେବା ପ୍ରକ୍ରିଯାରୁ ଓଡିଶାରେ ନାଲକୋକୁ ରୁଗଣ କରି ଦେଇ ଏହା ଘରୋଇ କମ୍ପାନୀ ହାତରେ ସଂପୂର୍ଣ୍ଣଭାବେ ଟେକି ଦେବାକୁ କେନ୍ଦ୍ରର ବିଜେପି ସରକାର ଚକ୍ରାନ୍ତ କରିଛନ୍ତି ବୋଲି ସେ କହିଛନ୍ତି ।

ନ୍ୟାସନାଲ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (NALCO) ୧୯୮୭ ମସିହାରେ ବ୍ୟବସାୟିକ କାର୍ଯ୍ୟକ୍ରମ ଆରମ୍ଭ କରିବା ପରଠାରୁ, ଗତ ୩୯ ବର୍ଷ ଧରି କ୍ରମାଗତ ଭାବେ ପ୍ରତିବର୍ଷ ଲାଭ ଦେଇ ଆସୁଛି । ନାଲକୋ କେବଳ ଗତ ସାଢ଼େ ୫ ବର୍ଷ ମଧ୍ୟରେ (ଆର୍ଥିକ ବର୍ଷ ୨୦୨୧-୨୨ ରୁ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ), NALCO ୮୬,୯୭୩ କୋଟି ଟଙ୍କାର ରାଜସ୍ୱ ଏବଂ ୨୧,୫୩୪ କୋଟି ଟଙ୍କାର ନିଟ୍ ଲାଭ ହାସଲ କରିଛି ।

ଏହିଭଳି ଏକ ବୃହତ୍ ଲାଭଜନକ କମ୍ପାନୀର ଘରୋଇକରଣ ଦ୍ୱାରା କେବଳ ଯେ କର୍ମଚାରୀମାନଙ୍କର ସ୍ଥିତି ଶୋଚନୀୟ ହେବ ତାହା ନୁହେଁ, ବରଂ ଏହା ନିଯୁକ୍ତି ସୁଯୋଗ ସୃଷ୍ଟି, ଜାତୀୟ ଓ ରାଜ୍ୟ ରାଜକୋଷକୁ ଅବଦାନ, ପ୍ରଦୂଷଣ ନିୟନ୍ତ୍ରଣ ଓ ପରିବେଶ ସୁରକ୍ଷା ବ୍ୟବସ୍ଥା, ପୁନର୍ବାସ ଏବଂ ସାମାଜିକ ଜନକଲ୍ୟାଣ ଯୋଜନା (CSR activities) କୁ ମଧ୍ୟ ବ୍ୟାପକ ଭାବେ ବାଧାପ୍ରାପ୍ତ କରିବ । ବିଶେଷ କରି ସ୍ଥାନୀୟ ଅଞ୍ଚଳର SC/ST/OBC ସମ୍ପ୍ରଦାୟର ଲୋକଙ୍କ ନିଯୁକ୍ତି ବ୍ୟାହତ ହେବ, ଯାହା ଫଳରେ ଅଞ୍ଚଳରେ ବ୍ୟାପକ ଅର୍ଥନୈତିକ ଅସମାନତା ଏବଂ ସାମାଜିକ ଅସନ୍ତୁଳନ ସୃଷ୍ଟି ହେବ ବୋଲି ସେ କହିଛନ୍ତି ।

ଆଜିର ସାମ୍ବାଦିକ ସମ୍ମଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅନ୍ୟତମ ବରିଷ୍ଠ କଂଗ୍ରେସ ମୁଖପାତ୍ର ଶ୍ରୀ ମନୋରଂଜନ ଦାଶ ଯୋଗଦେଇଥିଲେ । କେନ୍ଦ୍ର ସରକାର ନାଲକୋ ପ୍ରକଳ୍ପରେ ଅନ୍ୟ କମ୍ପନୀକୁ ବାଗିଦାରୀ ନକରି ନାଲକୋର ନିଜସ୍ବ ମାନବ ସମ୍ବଳରେ ପ୍ରତିଷ୍ଟା ହେଊ ଏବଂ ଓଡିଶାର ବକ୍ସାଇଟ ବା ଖଣିଜ ସଂପଦ କେବଳ ଓଡିଶା ପାଇଁ ବ୍ୟବହାର ହେଊ ବୋଲି ପ୍ରଦେଶ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । କେନ୍ଦ୍ର ସରକାର କିମ୍ବା ନାଲକୋ କର୍ତ୍ତୃପକ୍ଷ ଏଥିପ୍ରତି କୌଣସି ଦୃଷ୍ଟି ନଦେଲେ ଦାବି ପୂରଣ ନେଇ ସଂପୃକ୍ତ ଅଂଚଳରେ ଅର୍ଥନୈତିକ ଅବରୋଧ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି ।

By Nirvay

Leave a Reply

Your email address will not be published. Required fields are marked *