ମହାଭାରତରେ ମହାରାଳ ଧୃତରାଷ୍ଟ୍ର ଅନ୍ଧ ଥିଲେ । ଯୁଦ୍ଧ ଦେଖୁବା ପାଇଁ ଆଗ୍ରହ ଥିଲା । ଏଣୁ ଋଷି ବେଦବ୍ୟାସ ସଞ୍ଜୟଙ୍କୁ ଦିବ୍ୟଦୃଷ୍ଟି ଦୃଷ୍ଟି ପ୍ରଦାନ କରିଥିଲେ । ଆଁଖୋ ଦେଖା ହାଲ୍ ଧୃତରାଷ୍ଟ୍ରଙ୍କ ଆଗରେ ବର୍ଣନା କରିଥିଲେ ସଞ୍ଜୟ କିନ୍ତୁ ଆଧୁନିକ ଯୁଗରେ ସୋନିଆ ଗାନ୍ଧୀ ଏମିତି ଜଣେ ନେତ୍ରୀ ଯାହାଙ୍କୁ କେହି ଜଣେ ଦିବ୍ୟଦୃଷ୍ଟି ପ୍ରଦାନ କରିଥିଲା । ଘରେ ବସି ବାବ୍‌ରୀ ଢାଞ୍ଚା ଭାଙ୍ଗି ଯାଉଥିବାର ଦୃଶ୍ୟ ସେ ଟେଲିଭିଜନରେ ଦେଖିପାରୁଥିଲେ । ଏହାକୁ ଦେଖି କାନ୍ଦିଥିଲେ।

ଏଭଳି ମିଛ କାହାଣୀରେ ଭରପୂର ସୋନିଆ ଗାନ୍ଧୀଙ୍କ ଆତ୍ମଜୀବନୀ ‘ବିଲଙ୍ଗିଙ୍ଗ-ଜର୍ନି ଅଫ୍ ଲଭ୍’ ପୁସ୍ତକ । ପୁସ୍ତକ ପ୍ରକାଶ ପାଇବା ପୂର୍ବରୁ ବିତର୍କ ଆରମ୍ଭ ହୋଇଥିଲା । ପ୍ରକାଶ ପାଇବା ପରେ ଏବେ ଭୀଷଣ ବୋବାଲ । ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଉଦ୍ଦେଶ୍ୟ ବିଶେଷକରି ଉତ୍ତରପ୍ରଦେଶ ନିର୍ବାଚନରେ ମୁସ୍‌ଲିମ ଭୋଟକୁ ନଜରରେ ରଖି ଏହି ଆତ୍ମଜୀବନୀ ପରିକଳ୍ପନା କରାଯାଇଥିବା ତ‌ଥ୍ୟାଭିଜ୍ଞ ମହଲ ମନେକରନ୍ତି। ତାହା ହୋଇ ନଥିଲେ ବାବ୍ରୀ ଢାଞ୍ଚା ବାବଦରେ ନିରୁତା ମିଛ କହି ମୁସ୍‌ଲିମ୍ ସମାଜର ଅନୁକମ୍ପା ହାସଲ ପାଇଁ କଦାପି ସୋନିଆ ଚେଷ୍ଟା କରି ନଥାନ୍ତେ।

୧୯୯୨ ମସିହା ଡିସେମ୍ବର ୬ ତାରିଖରେ ଅଯୋଧ୍ୟାର ରାମ ଜନ୍ମଭୂମି ମନ୍ଦିର ଉପରେ ଗଢ଼ାଯାଇଥିବା ଏହି ବିବାଦୀୟ ଢାଞ୍ଚାକୁ କରସେବକମାନେ ଭାଙ୍ଗି ଦେଇଥିଲେ। କିନ୍ତୁ ସେତେବେଳେ ଲାଇଭ୍ ପ୍ରସାରଣର କୌଣସି ବ୍ୟବସ୍ଥା ଭାରତରେ ନଥିଲା । ଘରୋଇ ଚ୍ୟାନେଲ ଯୁଗ ଆରମ୍ଭ ହୋଇ ନଥିଲା। ଦୂରଦର୍ଶନ ପାଖରେ ସିଧା ପ୍ରସାରଣର ସୁଯୋଗ ମଧ୍ୟ ନଥିଲା। ତେବେ ଘରେ ବସି ସୋନିଆ ବାବ୍‌ରୀ ଭାଙ୍ଗୁଥ‌ିବାର ସିଧା ପ୍ରସାରଣ ଦେଖିଲେ କେମିତି ? ସେ କ’ଣ ମହିଳା ସଞ୍ଜୟ ? ଉଦ୍ଦେଶ୍ୟ ସାଫ୍ ଯେ ଆଉ କିଛି ମାସ ପରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଅଯୋଦ୍ଧା ଶ୍ରୀରାମ ମନ୍ଦିର ଭାଜପା ପାଇଁ ଏକ ବଡ଼ ପ୍ରଚାର ଅସ୍ତ୍ର। ଏଥିପାଇଁ ସୋନିଆ କଟ୍ଟରପନ୍ଥୀ ମୁସ୍‌ଲିମ୍ ଭୋଟ କଂଗ୍ରେସ ଆଡ଼କୁ ଆଣିବା ଲାଗି ବାବ୍‌ରୀ ଦୃଶ୍ୟ ଓ ତାଙ୍କ କାନ୍ଦିବା କାହାଣୀ ବର୍ଣ୍ଣନା କରିଛନ୍ତି ନିଜ ବହିରେ । କିନ୍ତୁ ତାଙ୍କ ମିଛ ଧରାପଡ଼ିଛି । ଲାଭ ବଦଳରେ କ୍ଷତି ହେବାକୁ ଯାଉଛି ।

୨୦୦୨ ମସିହାରେ ଗୁଜରାଟର ଗୋଧ୍ରା ଷ୍ଟେସନରେ ଫେବୃଆରୀ ୨୭ ତାରିଖରେ  ସାବରମତି ଏକ୍ସପ୍ରେସର ଏସ୍-୬ ବଗିରେ ନିଆଁ ଲଗାଇ ଦିଆଯାଇଥିଲା । ୫୯ ଜଣ କର ସେବକ ପୋଡ଼ି ହୋଇ ପ୍ରାଣ ହରାଇଥିଲେ । ଏମାନେ ସମସ୍ତେ ହିନ୍ଦୁ । କରସେବା କରି ଅଯୋଧ୍ୟାରୁ ଫେରୁଥିଲେ । ଏହା ହେଉଛି ତଥ୍ୟ । ଏକଥା ସାରା ବିଶ୍ୱ ଜାଣେ। ଏହି ଘଟଣାରୁ ଗୁଜରାଟ ଦଙ୍ଗା ହୋଇଥିଲା । କିନ୍ତୁ ହିନ୍ଦୁ ବିରୋଧୀ ସୋନିଆ ନିଜେ ଅନ୍ୟ ଏକ ଇତିହାସର ପରିକଳ୍ପନା କରିଛନ୍ତି । ଏହି ଟ୍ରେନ୍ ଅଗ୍ନି କାଣ୍ଡରେ ପ୍ରାଣ ହରାଇଥିବା ଅଧିକାଂଶ ମୁସ୍‌ଲିମ ବୋଲି ନିଜ ବହିରେ ଲେଖିଛନ୍ତି ସୋନିଆ । ଏହି ତଥ୍ୟ ପାଇଲେ କେଉଁଠୁ ? ଏହି ଅଗ୍ନି କାଣ୍ଡ ପଛରେ ମୌଳବାଦୀ ହିନ୍ଦୁ ସଂଗଠନର ହାତ ଥିଲା ବୋଲି ସୋନିଆଙ୍କ ମତ ପଛର ଏକମାତ୍ର କାରଣ ମୁସ୍‌ଲିମ୍ ଭୋଟ। ଅର୍ଥାତ ସେ ଦେଖାଇବାକୁ ଚାହାଁନ୍ତି ଯେ ସେ ହିନ୍ଦୁ ବିରୋଧୀ । କଂଗ୍ରେସକୁ ଦରକାର ମୁସ୍‌ଲିମ୍ ଭୋଟ।

ନିଜ ବହିରେ ଶ୍ରୀରାମ ଜନ୍ମଭୂମି କଥାକୁ ମାନି ନାହାନ୍ତି ସୋନିଆ । ପ୍ରଭୁ ଶ୍ରୀରାମଚନ୍ଦ୍ର ଏକ ଧାର୍ମିକ ପରିକଳ୍ପନା, ବାସ୍ତବତା ଶୂନ୍ୟ ବୋଲି ଦେଖାଇବାକୁ ଚାହିଁଛନ୍ତି ସେ। ଠିକ ସେହିପରି ୧୯୮୪ ନଭେମ୍ବର ପହିଲାର ଶିଖ୍ ସଂହାର ସମ୍ପର୍କରେ ତାଙ୍କ ମତ ଅତ୍ଯନ୍ତ ହାସ୍ୟାସ୍ପଦ । ପଞ୍ଜାବ ନିର୍ବାଚନକୁ ଆଖିରେ ରଖି ବୋଧହୁଏ ସୋନିଆ ଲେଖିଛନ୍ତି ଯେ ଏଥିପାଇଁ ତାଙ୍କ ସ୍ୱାମୀ ଦାୟୀ ନୁହଁନ୍ତି । ଦାୟୀ ତତ୍କାଳୀନ ସେନାଧ୍ୟକ୍ଷ ଜେନେରାଲ ଅରୁଣ ଶ୍ରୀଧର ବୈଦ୍ୟ ।

ଜେନେରାଲ ବୈଦ୍ୟ ସେନା ମୁତୟନ ନକରିବା କାରଣରୁ ଏତେବଡ଼ ଶିଖ୍ ସଂହାର ଘଟିଲା ବୋଲି ସୋନିଆଙ୍କ ଦୋଷାରୋପ କେବଳ ନିଜ ସ୍ୱାମୀ ଓ ତାଙ୍କ ସମର୍ଥକ ହତ୍ୟାକାରୀ ନେତାଙ୍କୁ କ୍ଳିନ୍ ଚିଟ୍ ଦେବାପାଇଁ ଉଦ୍ଦିଷ୍ଟ ବୋଲି ଜଣାପଡ଼ିଯାଉଛି। ସେନା ମୁତୟନ ଅଧିକାର ସାଧାରଣ ବେସାମରିକ ପ୍ରଶାସନର । ତା’ଛଡ଼ା ଶିଖ୍ ଦଙ୍ଗା ଉପରେ ସାନିଆଙ୍କ ସ୍ୱାମୀ ରାଜୀବ ଗାନ୍ଧୀ ‘ବଡ଼ ବୃକ୍ଷ ଉପୁଡ଼ିଲେ କମ୍ପନ ହୁଏ’ ବୋଲି କହିବା କଥା ସାରା ଭାରତବାସୀ ଜାଣିଛନ୍ତି । ସଜ୍ଜନ କୁମାରଙ୍କଠୁ ଆରମ୍ଭ କରି ଏଚକେଏଲ୍ ଭଗତଙ୍କ ପର୍ଯ୍ୟନ୍ତ ସବୁ ବଡ଼ କଂଗ୍ରେସ ନେତା ସିଧାସଳଖ ଶିଖ୍ ସଂହାରରେ ସମ୍ପୃକ୍ତ ଥିବା କଥା ସୋନିଆ ଲୁଚାଉଛନ୍ତି କାହାକୁ ? ଜଷ୍ଟିସ ରଙ୍ଗନାଥ ମିଶ୍ର କମିଶନଙ୍କ ରିପୋର୍ଟ ପଢ଼ିସାରିବା ପରେ ଶିଖ୍ ଦଙ୍ଗା ଉପରେ ମତ ଲେଖୁଥିଲେ ସୋନିଆଙ୍କ ଅଭିସନ୍ଧିମୂଳକ ମନୋଭାବ ଲୋକେ ଜାଣିପାରି ନଥାନ୍ତେ ।

ବ‌ହି ସାରା ଭୟଙ୍କର ମିଛ। ରାହୁଲ ଗାନ୍ଧୀଙ୍କ ସବୁ ବିଦେଶୀ ଟୁଲ୍ କିଟ୍ ଫ୍ଲପ୍ ହେବାପରେ ସୋନିଆ ନିଜ ବହି ଉପରେ ଭରସା କରିଛନ୍ତି ପୁଅର ପୁନଃ ରି-ଲଞ୍ଚ ପାଇଁ।

Leave a Reply

Your email address will not be published. Required fields are marked *