ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ (RDC) ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ବରିଷ୍ଠ ଆଇଏଏସ୍ ଅଧିକାରୀ ବିଜୟ ଅମୃତ କୁଲାଙ୍ଗେ ଜନସାଧାରଣଙ୍କ ସମସ୍ୟାର ସମାଧାନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଦକ୍ଷିଣ ଓଡ଼ିଶାର ୮ଟି ଜିଲ୍ଲାର ଲୋକମାନେ ଏବେ ନିଜର ବିଭିନ୍ନ ସମସ୍ୟା ତାଙ୍କୁ ଜଣାଇପାରିବେ। ଜନସାଧାରଣଙ୍କ ସହ ସିଧାସଳଖ ଯୋଗାଯୋଗ ରଖିବା ଏବଂ ସମସ୍ୟାର ଦ୍ରୁତ ନିରାକରଣ ପାଇଁ ଏକ ସ୍ୱତନ୍ତ୍ର ହ୍ୱାଟ୍ସଆପ୍ ନମ୍ବର ଜାରି କରାଯାଇଛି। ହ୍ୱାଟ୍ସଆପ୍ ନମ୍ବର ହେଲା ୮୧୧୭୮୮୭୯୯୯ । ସରକାରୀ କାର୍ଯ୍ୟାଳୟରେ କାମ ବିଳମ୍ବ ହେଉ, ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ ହେଉଥିବା ଅଭିଯୋଗ ଥାଉ କିମ୍ବା ଅନ୍ୟ କୌଣସି ଜନସ୍ୱାର୍ଥ ସମ୍ପର୍କିତ ସମସ୍ୟା ଥାଉ, ଲୋକେ ଏବେ ଘରେ ବସି ଏହି ନମ୍ବର ଜରିଆରେ ନିଜର କଥା RDCଙ୍କୁ ଜଣାଇପାରିବେ। ଏହି ହ୍ୱାଟ୍ସଆପ୍ ନମ୍ବରରେ ଆସୁଥିବା ସମସ୍ତ ଅଭିଯୋଗଗୁଡ଼ିକୁ ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରାଯିବ। ସମ୍ପୃକ୍ତ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା ଏବଂ ସମନ୍ୱୟ ରକ୍ଷା କରି ସେଗୁଡ଼ିକର ଶୀଘ୍ର ସମାଧାନ କରାଯିବ ବୋଲି ସୂଚନା ମିଳିଛି। ବରିଷ୍ଠ ଅଧିକାରୀଙ୍କ ଏପରି ଜନମୁଖୀ ପଦକ୍ଷେପ ଦକ୍ଷିଣ ଓଡ଼ିଶାର ସାଧାରଣ ଜନତାଙ୍କ ମଧ୍ୟରେ ବେଶ୍ ଆଶା ଓ ଆତ୍ମବିଶ୍ୱାସ ସୃଷ୍ଟି କରିଛି। Post navigation ABVP State Student Leaders’ Conference: ଭୁବନେଶ୍ୱରରେ ଏବିଭିପି ଛାତ୍ର ସମ୍ମିଳନୀ: ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ