ଆସାମର ଦିଗାରୁ ଷ୍ଟେସନ ନିକଟରେ ଏକ ବଡ଼ଧରଣର ରେଳ ଦୁର୍ଘଟଣା ଘଟିଛି। ଆସାମରେ ଆଜି ସକାଳେ କୋଲକାତାରୁ ମିଜୋରାମ ଯାଉଥିବା ଏକ ଯାତ୍ରୀବାହୀ ଟ୍ରେନର ୫ଟି ବଗି ଏବଂ ଇଞ୍ଜିନ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ଲାଇନ୍‌ଚ୍ୟୁତ ହୋଇଯାଇଛି। ତେବେ ଏହି ଦୁର୍ଘଟଣାରେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ଏବଂ କେବଳ କିଛି ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ରେଳବାଇ ପକ୍ଷରୁ କୁହାଯାଇଛି।

ସୂଚନା ଅନୁଯାୟୀ, କୋଲକାତା-ସାଇରାଙ୍ଗ ଏକ୍ସପ୍ରେସ୍ ଦୁର୍ଘଟଣାଟି ଆସାମର ଦିଗାରୁ ରେଳଷ୍ଟାସନ ନିକଟରେ ସକାଳ ୬:୫୪ ମିନିଟ୍‌ରେ ଘଟିଛି। ଅନ୍ୟ ଏକ ଟ୍ରେନ୍‌କୁ ଯିବା ପାଇଁ ବାଟ ଛାଡ଼ିବାକୁ ଯାଇ ଲୋକୋ ପାଇଲଟ୍ ଗତି ଉପରେ ନିୟନ୍ତ୍ରଣ ରଖିପାରି ନଥିଲେ, ଯାହାଫଳରେ ଏହି ଦୁର୍ଘଟଣା ଘଟିଥିବା ରେଳବାଇ ପକ୍ଷରୁ ଏକ ବିବୃତ୍ତିରେ ଜଣାଇଦିଆଯାଇଛି।

ଦୁର୍ଘଟଣା ଖବର ପାଇବା ପରେ ତୁରନ୍ତ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ରେଳବାଇ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏଥି ସହିତ ଯାତ୍ରୀମାନଙ୍କୁ ଏକ ବିକଳ୍ପ ଟ୍ରେନ୍ ଯାଗାରେ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ପଠାଯାଉଛି।

Leave a Reply

Your email address will not be published. Required fields are marked *