BJP Hails Several Landmark Decisions Taken by Odisha Cabinet
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ଡବଲ ଇଞ୍ଜିନ ସରକାର ଓଡ଼ିଶାର ଛାତ୍ରସମାଜ, ଯୁବପିଢ଼ୀ, ଚାଷୀ ଓ ଗରିବଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେଇ ଗତକାଲି ଏକାଧିକ ଯୁଗାନ୍ତକାରୀ ଓ ଐତିହାସିକ ନିଷ୍ପତି ନେଇଛନ୍ତି । ଏହି ପଦକ୍ଷେପ ‘ବିକଶିତ ଓଡ଼ିଶା-୨୦୩୬’ ଗଠନ ପାଇଁ ରାଜ୍ୟକୁ ଆଉ କିଛି ପାଦ ଆଗକୁ ନେଇଯାଇଛି ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ମୁଖପାତ୍ର ତେଜେଶ୍ୱର ପରିଡ଼ା କହିଛନ୍ତି ।
 
ପରିଡ଼ା କହିଛନ୍ତି, ଭତା ପାଇଁ ଅପେକ୍ଷା କରିବାର ଯୁୂଗର ଅନ୍ତ ହୋଇଛି, ବିଗତ ସରକାର ସମୟରେ ଗାଁ ଗହଳିରେ ଯୋଗ୍ୟ ହିତାଧିକାରୀଙ୍କୁ ଭତା ପାଇବା ପାଇଁ ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡ଼ୁଥିଲା । ଜଣଙ୍କର ମୃତ୍ୟୁ ହେଲେ ହିଁ ସେହି ସ୍ଥାନରେ ଅନ୍ୟ ଜଣଙ୍କୁ ଭତା ମିଳିପାରୁଥିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଦୀର୍ଘ ଅପେକ୍ଷାର ଅନ୍ତ ଘଟାଇଛନ୍ତି । ବାଲେଶ୍ୱରରୁ ଆଜି ଏକକାଳୀନ ରାଜ୍ୟର ୫ ଲକ୍ଷ ୫ ହଜାର ୮୧୭ ଜଣ ନୂତନ ଯୋଗ୍ୟ ବ୍ୟକ୍ତିଙ୍କୁ ଭତା ପ୍ରଦାନ କରାଯାଇଛି। ଆଗାମୀ ଦିନରେ ଆଉ ଭତା ପାଇଁ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଆବେଦନ କରିବାର ମାତ୍ର କିଛିଦିନ ମଧ୍ୟରେ ହିତାଧିକାରୀମାନେ ଭତା ପାଇପାରିବେ। ଏନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଦେଇଛନ୍ତି ପରିଡ଼ା ।
 
ଗତକାଲି ବିଜେପି ସରକାର ପକ୍ଷରୁ କ୍ୟାବିନେଟ୍‌ରେ ନିଆଯାଇଥିବା ଐତିହାସିକ ନିଷ୍ପତି ସମ୍ପର୍କରେ ଆଲୋକପାତ କରି ପରିଡ଼ା କହିଛନ୍ତି ଯେ, ଏହା କେବଳ ଗୁରୁତ୍ୱପୂର୍ଣ୍ଣ ନୁହେଁ, ଛାତ୍ର ଓ ଯୁବ ସମାଜ ତଥା ଆଗାମୀ ପିଢ଼ିର ଭବିଷ୍ୟତ ପାଇଁ,ଏହି ନିଷ୍ପତି ପ୍ରେରଣାଦାୟୀ ଓ ଏକ ମଡେଲ୍‌ । ଉଚ୍ଚଶିକ୍ଷା କ୍ଷେତ୍ରରେ ଡିଜିଟାଲ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ‘ଓଡ଼ିଶା ଶିକ୍ଷାନେଟ୍‌’ ଫ୍ଲାଗସିପ୍ ଯୋଜନା ଆରମ୍ଭ କରିଛନ୍ତି । ଏଥିପାଇଁ ୩୯୩.୬୨ କୋଟିର ବଜେଟ୍ ମଞ୍ଜୁର କରାଯାଇଛି । ରାଜ୍ୟର ସମସ୍ତ ୬୦୧ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ୬ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ, ପିଏଚ୍‌ଡି ଗବେଷକ ଏବଂ ଅଧ୍ୟାପକମାନଙ୍କୁ ପ୍ରତ୍ୟେକ ଦିନ ୧ ଜିବି ହାଇ-ସ୍ପିଡ୍ ୱାଇଫାଇ ଇଂଟରନେଟ୍ ଡାଟା ସମ୍ପୂର୍ଣ୍ଣ ମାଗଣାରେ ମିଳିବ । ନିଜର ଅଧିକୃତ ଆଇଡି ମାଧ୍ୟମରେ ଲଗଇନ୍ କରି ପ୍ରତ୍ୟେକ ଦିନ କ୍ୟାମ୍ପସରେ ଏହି ସୁବିଧା ମିଳିପାରିବ । ପ୍ରଥମ ପର୍ଯ୍ୟାୟରେ ୧୩୦ଟି ମହାବିଦ୍ୟାଳୟରେ ଏହା ସଫଳ ଭାବେ କାର୍ଯ୍ୟକାରୀ ହେବା ପରେ ଏହି ଯୋଜନା ଆରମ୍ଭ କରିଛନ୍ତି ରାଜ୍ୟ ସରକାର ।
 
ଏହାଦ୍ୱାରା ଦୁର୍ଗମ, ଆଦିବାସୀ ଓ ପାହାଡ଼ିଆ ଅଂଚଳର ଛାତ୍ରଛାତ୍ରୀମାନେ ଉନ୍ନତ ଡିଜିଟାଲ ଲାଇବ୍ରେରୀ, ଡିଜିଟାଲ ଅନ୍‌ଲାଇନ୍ ଶିକ୍ଷା ଏବଂ ଜାତୀୟ ଶିକ୍ଷାନୀତି(ଏନ୍‌ଇପି-୨୦୨୦) ଆଧାରିତ ବିଭିନ୍ନ ଅନଲାଇନ୍ କୋର୍ସ କରିପାରିବେ । ଏହା ମିଳିତ ଜାତିସଂଘର ସଷ୍ଟେନେବଲ ଡେଭଲପମେଂଟ ଗୋଲ୍ (ଏସ୍‌ଡିଜି)ର ୪,୯ ଓ ୧୦ ନମ୍ବର ଲକ୍ଷ୍ୟ ଯଥା ଗୁଣାତ୍ମକ ଶିକ୍ଷା, ଶିଳ୍ପ, ନବସୃଜନ, ଭିତିଭୂମି ଓ ଅସମାନତାକୁ ହ୍ରାସ କରିବାରେ ବଡ଼ ମାଇଲଖୁଂଟ ସାବ୍ୟସ୍ତ ହେବ ବୋଲି ତେଜେଶ୍ୱର ପରିଡ଼ା କହିଛନ୍ତି ।
 
ରାଜ୍ୟର ନିଯୁକ୍ତି ଆଶାୟୀ ଯୁବପିଢ଼ିଙ୍କ ଦୀର୍ଘ ଦିନର ଦାବିକୁ ପୂରଣ କରି ରାଜ୍ୟ କ୍ୟାବିନେଟ୍ ଓଡ଼ିଶା ସିଭିଲ ସର୍ଭିସେସ୍ (ଓସିଏସ୍‌) ପରୀକ୍ଷାରେ ଅଂଶଗ୍ରହଣ କରିବା ପାଇଁ ପ୍ରୟାସ ସଂଖ୍ୟା ଉପରେ ସୀମା ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିଛନ୍ତି । ପୂର୍ବରୁ ଅଣସଂରକ୍ଷିତ ବର୍ଗଙ୍କ ପାଇଁ ପ୍ରୟାସ ସଂଖ୍ୟା ୬ ଓ ଏସ୍‌ସିବିସି ବର୍ଗଙ୍କ ପାଇଁ ପ୍ରୟାସ ସଂଖ୍ୟା ୯ରେ ସୀମିତ ଥିବାରୁ ବୟସ ଥାଇ ମଧ୍ୟ ଆଶାୟୀମାନେ ପରୀକ୍ଷା ଦେବାରୁ ବଂଚିତ ହେଉଥିଲେ । ବର୍ତମାନ ଏହି କଟକଣା ହଟିବା ଫଳରେ ଏହି ବର୍ଗ ଗୁଡ଼ିକରେ ସର୍ବୋଚ୍ଚ ବୟସସୀମା ପର୍ଯ୍ୟନ୍ତ ପ୍ରାର୍ଥୀମାନେ ଯେତେ ଥର ଚାହିଁବେ ସେତେ ଥର ପରୀକ୍ଷା ଦେଇପାରିବେ । ଏହା ରାଜ୍ୟର ମେଧାବୀ ଛାତ୍ରଛାତ୍ରୀ ଓ ଯୁବବର୍ଗଙ୍କ ପାଇଁ ଏକ ବଡ଼ ଉପହାର ସଦୃଶ ହୋଇଛି ।
 
ସେହିପରି ମୋହନ ମାଝୀଙ୍କ ସରକାର ରାଜ୍ୟର ଭାଗଚାଷୀଙ୍କ ପାଇଁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ଭାଗଚାଷୀମାନଙ୍କ ଧାନ ବିକ୍ରି ପ୍ରକ୍ରିୟାକୁ ସରଳ କରିବା ପାଇଁ ରାଜ୍ୟ ସରକାର ଆଧାର ସଂଯୁକ୍ତ ବାୟୋମେଟ୍ରିକ ଅଥେନ୍‌ଟିକେସନ୍ ଓ ଡିଜିଟାଲ କନ୍‌ସେଂଟ୍ ମୋବାଇଲ୍ ଆପ୍ ବିକଶିତ କରିଛନ୍ତି। ଭାଗଚାଷୀମାନଙ୍କୁ ଗାଁଠାରୁୂ ଦୂରରେ ରହୁଥିବା ତଥା ରାଜ୍ୟ ବାହାରେ ଥିବା ଜମି ମାଲିକମାନଙ୍କ ଅନୁମୋଦନ ପାଇଁ ଆଉ କୌଣସି ଅପେକ୍ଷା କରିବାକୁ ପଡ଼ିବ ନାହିଁ। ମୋବାଇଲ୍ ଆପ୍‌ରେ ଶହଶହ କିଲୋମିଟର ଦୂରରେ ଥାଇ ମଧ୍ୟ ଜମି ମାଲିକମାନେ ଧାନ କ୍ରୟ ପଞ୍ଜୀକରଣ ପାଇଁ ଆଉ ନିଜ ଗାଁକୁ ନ ଆସି ଯେକୌଣସି ସ୍ଥାନରୁ ନିଜ ମୋବାଇଲ୍ ଆପ୍ ଜରିଆରେ ଫେସ୍ ଅଥେନ୍ସିକେସନ୍ କରି ଡିଜିଟାଲ ସମ୍ମତି ପ୍ରଦାନ କରିପାରିବେ। ଏହାଦ୍ୱାରା ରାଜ୍ୟର ଲକ୍ଷାଧିକ ଭାଗଚାଷୀ ଓ ଜମି ମାଲିକଙ୍କ ଏକ ବୃହତ୍ ସମସ୍ୟା ସବୁଦିନ ପାଇଁ ଦୂର ହୋଇଛି ।
 
ସେହିପରି ଚାଷୀଙ୍କୁ ଜଳସେଚନ ଯୋଗାଇବା ବିଜେପି ସରକାର ଅନ୍ୟ ଏକ ପଦକ୍ଷେପ ନେଇଛନ୍ତି। ନିର୍ବାଚନ ପ୍ରତିଶ୍ରୁତି ମୁତାବକ ନୂଆପଡ଼ା ଜିଲ୍ଲାର ବୋଡେନ୍‌, ସିନାପାଲି ଏବଂ କୋମନା ବ୍ଲକର ୭ଟି ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପକୁ କ୍ୟାବିନେଟ୍ ଅନୁମୋଦନ କରିଛି । ଏହାଦ୍ୱାରା ୫୯ଟି ଗ୍ରାମର ପ୍ରାୟ ୮,୮୦୦ ହେକ୍ଟର ଜମି ଜଳସେଚିତ ହେବ। ସେହିପରି ବଲାଙ୍ଗୀର ଜିଲ୍ଲାର ମରୁଡ଼ି ପ୍ରପୀଡ଼ିତ ଟିଟିଲାଗଡ଼ ବ୍ଲକରେ ଅନ୍ତଃନଦୀ ଜଳାଶୟ (ଇନ୍‌ଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକଚର) ଯୋଗୁ କେବଳ ଜଳସେଚନ ନୁହେଁ ବରଂ ପାନୀୟ ଜଳ ସଙ୍କଟର ସମ୍ମୁଖୀନ ହେଉଥିବା ଟିଟିଲାଗଡ଼ ଓ ବଙ୍ଗମୁଣ୍ଡା ବ୍ଲକର ବିଭିନ୍ନ ଗାଁକୁ ଶୁଦ୍ଧ ପାନୀୟ ଜଳ ଯୋଗାଣ ହୋଇପାରିବ। ଆଗାମୀ ୩୦ ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବାକୁ ଥିବା ଏହି ପ୍ରକଳ୍ପ ଦ୍ୱାରା ହଜାର ହଜାର ଚାଷୀମାନଙ୍କ ଆର୍ଥିକ ମେରୁଦଣ୍ଡ ସୁଦୃଢ଼ ହେବ। ଏଥିସହ ଶକ୍ତି ସୁରକ୍ଷା କ୍ଷେତ୍ରରେ କଳାହାଣ୍ଡିରେ ୬୦୦ ମେଗାୱାଟ୍ ବିଶିଷ୍ଟ “ଉପର ଇନ୍ଦ୍ରାବତୀ ପମ୍ପ୍‌ଡ୍ ଷ୍ଟୋରେଜ୍ ପ୍ରକଳ୍ପ’କୁ ଓଡ଼ିଶା କ୍ୟାବିନେଟ୍‌ର ମଞ୍ଜୁରୀ ଗ୍ରାମାଚଂଳରେ ବିଦ୍ୟୁତ୍ ଭିତିଭୂମି ବ୍ୟବସ୍ଥାରେ ଏକ ବିରାଟ ପରିବର୍ତନ ଆଣିବ ।
 
ଛାତ୍ରଛାତ୍ରୀ, ଯୁବଶକ୍ତି, କୃଷକ ଓ ସାଧାରଣ ଲୋକଙ୍କ ବିକାଶ ଉଦ୍ଦେଶ୍ୟରେ ଏଭଳି ବିଭିନ୍ନ ଦୂରଦୃଷ୍ଟି ସମ୍ପନ୍ନ ଐତିହାସିକ ନିଷ୍ପତି ପାଇଁ ମୁଖପାତ୍ର ପରିଡ଼ା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ କ୍ୟାବିନେଟ୍‌କୁ ଧନ୍ୟବାଦ ଜଣାଇଛନ୍ତି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଦିଲୀପ କୁମାର ମଲ୍ଲିକ ଉପସ୍ଥିତ ଥିଲେ ।

By Nirvay

Leave a Reply

Your email address will not be published. Required fields are marked *