ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ଵାରା ଘୋଷଣା କରାଯାଇଥିବା ପ୍ୟାକେଜ୍ ଅନୁଯାୟୀ ବାତ୍ୟା ‘ଅର୍ଣ୍ଣବ’ ଦ୍ୱାରା ପ୍ରଭାବିତ ପରିବାରମାନଙ୍କୁ ନଗଦ ଅନୁଗ୍ରହ ସହାୟତା ପ୍ରଦାନ ନିମନ୍ତେ ରାଜ୍ୟସରକାର ଗଞ୍ଜାମ ଓ କୋରାପୁଟ ଜିଲ୍ଲା ପାଇଁ ପ୍ରାୟ ୧୦୭ କୋଟି ୭୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (SDRF)ରୁ ମଞ୍ଜୁର କରିଛନ୍ତି । ଏଥିମଧ୍ୟରୁ ଗଞ୍ଜାମ ଜିଲ୍ଲା ପାଇଁ ୧୦୭ କୋଟି ୪୪ ଲକ୍ଷ ୫୫ ହଜାର ଟଙ୍କା ଏବଂ କୋରାପୁଟ ଜିଲ୍ଲା ପାଇଁ ୨୬ ଲକ୍ଷ ୨୭ ହଜାର ୫୦୦ ଟଙ୍କା ମୁକ୍ତ କରାଯାଇଛି। ମଞ୍ଜୁର ହୋଇଥିବା ଅର୍ଥରାଶି ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବିତ ୪ ଲକ୍ଷ ୨୯ ହଜାର ୭୮୨ଟି ପରିବାରକୁ ପରିବାର ପିଛା ୨,୫୦୦ ଟଙ୍କା ହାରରେ ନଗଦ ଅନୁଗ୍ରହ ରାଶି ପ୍ରଦାନ କରାଯିବ। ସେହିପରି କୋରାପୁଟ ଜିଲ୍ଲାର ୧,୦୫୧ଟି ପ୍ରଭାବିତ ପରିବାରକୁ ମଧ୍ୟ ପରିବାର ପିଛା ୨,୫୦୦ ଟଙ୍କା ହାରରେ ଏହି ସହାୟତା ଯୋଗାଇ ଦିଆଯିବ। ଏହି ଅର୍ଥରାଶି ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଦିଆଯାଇଛି । ନିର୍ଦ୍ଧାରିତ ନିୟମ ଓ ମାର୍ଗଦର୍ଶିକା ଅନୁଯାୟୀ ଯୋଗ୍ୟ ପ୍ରଭାବିତ ପରିବାରଙ୍କୁ ତ୍ୱରିତ ଅନୁଗ୍ରହ ସହାୟତା ପ୍ରଦାନ କରିବାକୁ ଏହି ଅର୍ଥ ବିନିଯୋଗ କରାଯିବ। ବିପର୍ଯ୍ୟୟ ସମୟରେ ପ୍ରଭାବିତ ଜନସାଧାରଣଙ୍କୁ ତ୍ୱରିତ ଆର୍ଥିକ ସହାୟତା ଓ ରିଲିଫ୍ ଯୋଗାଇଦେବା ଦିଗରେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାର ଏହା ଏକ ପ୍ରମୁଖ ପଦକ୍ଷେପ । Post navigation CM to Celebrate Diwali in Kendujhar: କେନ୍ଦୁଝରରେ ଦୀପାବଳି ପାଳିବେ ମୁଖ୍ୟମନ୍ତ୍ରୀ Army Medical Camp in Rairangpur: ରାଇରଙ୍ଗପୁରରେ ୪ ହଜାରରୁ ଅଧିକ ରୋଗୀଙ୍କ ଚିକିତ୍ସା ସହ ୩୬୫ଟି ଚକ୍ଷୁ ଅସ୍ତ୍ରୋପଚାର କଲା ସେନାବାହିନୀ ଚିକିତ୍ସା ସେବା