ସମ୍ବଲପୁରର ଏକ ବେସରକାରୀ ଶିକ୍ଷାନୁଷ୍ଠାନରେ ଜଣ୍ଡିସ୍ ବ୍ୟାପିବା ଘଟଣାକୁ ନେଇ ବିଜୁ ଜନତା ଦଳ ପକ୍ଷରୁ ଗଭୀର ଉଦ୍ବେଗ ପ୍ରକାଶ ପାଇଛି। ଶିକ୍ଷାନୁଷ୍ଠାନରେ ଶହ ଶହ ଛାତ୍ରଛାତ୍ରୀ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ କିଛି ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକସ୍ଥିତ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଏନେଇ ଦଳ ପକ୍ଷରୁ ଏନେଇ ତୁରନ୍ତ ହସ୍ତକ୍ଷେପ ଏବଂ ସ୍ଥାନୀୟ ପ୍ରଶାସନ ଦ୍ୱାରା ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରାଯାଇଛି। ଦଳର ଗଣମାଧ୍ୟମ ସଂଯୋଜକ ଡ. ଲେନିନ୍ ମହାନ୍ତି ଏକ ପ୍ରେସ୍ ବିବୃତି ଜରିଆରେ ପ୍ରକାଶ କରିଛନ୍ତି ଯେ ସମ୍ବଲପୁର ସ୍ଥିତ ‘ବୈଦିକ ଏଜୁକେସନାଲ ଇନଷ୍ଟିଚିଉସନ’ରେ କିଛି ଦିନ ହେବ ଜଣ୍ଡିସ୍ ପ୍ରକୋପ ଦେଖାଦେଇଛି। ଏଥିରେ ତିନି ଶହରୁ ଅଧିକ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଥିବାବେଳେ ଉଭୟ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଥିବା ପିଲାମାନଙ୍କୁ କଟକ ବଡ଼ଡାକ୍ତରଖାନାକୁ ପଠାଯାଇଥିବା ବେଳେ ଏଭଳି ଏକ ସଂକଟଜନକ ସ୍ଥିତି ପାଇଁ ଅନୁଷ୍ଠାନର ଅବହେଳା ଓ ଦୁର୍ବଳ ରକ୍ଷଣାବେକ୍ଷଣ ସିଧାସଳଖ ଦାୟୀ ବୋଲି ସନ୍ଦେହ କରାଯାଉଛି। ଗୋଟିଏ ଶିକ୍ଷାନୁଷ୍ଠାନରେ ଏତେ ସଂଖ୍ୟାରେ ଛାତ୍ରଛାତ୍ରୀ ଆକ୍ରାନ୍ତ ହେବା ଏକ ଚିନ୍ତାଜନକ ବିଷୟ ଏବଂ ଜଳ ପ୍ରଦୂଷଣ ଯୋଗୁଁ ଏହି ରୋଗ ବ୍ୟାପୁଥିବା କୁହାଯାଉଛି। ସେ ଆଉ ମଧ୍ୟ କହିଛନ୍ତି ଜଣ୍ଡିସ୍ ନିୟନ୍ତ୍ରଣକୁ ନ ଆସିବାରୁ ଗତ ମାସ ୨୯ ତାରିଖରେ ଛାତ୍ରଛାତ୍ରୀମାନଙ୍କୁ ହଷ୍ଟେଲ ଖାଲି କରିବାକୁ କୁହାଯାଇଥିଲା। ଶିକ୍ଷାନୁଷ୍ଠାନର ଠିକ୍ ରକ୍ଷଣାବେକ୍ଷଣ ଅଭାବରୁ ଏହି ସମସ୍ୟା ଉପୁଜିଥିବା ସନ୍ଦେହ କରାଯାଉଛି। ପ୍ରଶାସନ ପକ୍ଷରୁ ଅନୁଷ୍ଠାନର ବ୍ୟବହୃତ ପାଣି ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଛି। ଯଦିଓ ପ୍ରଶାସନ ହାତରେ ରିପୋର୍ଟ ପହଞ୍ଚିସାରିଥିଲେ ମଧ୍ୟ କାହିଁକି ତାହାକୁ ଜନସମକ୍ଷରେ ପ୍ରକାଶ କରାଯାଉନାହିଁ, ତାହାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଡ. ଲେନିନ ମହାନ୍ତି ଅଭିଯୋଗ ଆକାରରେ କହିଛନ୍ତି ଯେ ଉକ୍ତ ଶିକ୍ଷାନୁଷ୍ଠାନର ମୁଖ୍ୟ ବା ପୃଷ୍ଠପୋଷକ ଜଣେ ଅତ୍ୟନ୍ତ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ଏବଂ ତାଙ୍କୁ ରାଜନୈତିକ ସୁରକ୍ଷା ମିଳୁଥିବାରୁ ପ୍ରଶାସନ ସବୁକିଛି ଜାଣିଶୁଣି ଆଖି ବୁଝି ବସିଛି। ଏହି ସଂକଟରୁ ଛାତ୍ରଛାତ୍ରୀଙ୍କୁ ମୁକ୍ତ କରିବା ଏବଂ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଜେଡି ପକ୍ଷରୁ ସ୍ଥାନୀୟ ପ୍ରଶାସନ ନିକଟରେ ଦୃଢ଼ ଦାବି କରାଯାଇଛି। Post navigation 4 IAS Officers To Visit 3 Flood-Affected Districts: ବନ୍ୟା କ୍ଷତି ଆକଳନ ପାଇଁ ୩ ଜିଲ୍ଲାକୁ ଯିବେ ୪ ଆଇଏଏସ୍ ଅଧିକାରୀ Cyclone Arnab And Murasu Situation In Odisha: ବାତ୍ୟା ‘ଅର୍ଣ୍ଣବ’ ଓ ‘ମୁରାସୁ’କୁ ନେଇ ସୁରେଶ ପୂଜାରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ