ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାନ୍ତ କୋଟିଆରେ ପୁଣିଥରେ ଉଭୟ ରାଜ୍ୟର ପୋଲିସ ମୁହାଁମୁହିଁ ହୋଇଛନ୍ତି। ଆନ୍ଧ୍ର ପୋଲିସ ଜୋରଜବରଦସ୍ତି ପ୍ରବେଶ କରିବାକୁ ଉଦ୍ୟମ କରିବା ବେଳେ ଓଡ଼ିଶା ପୋଲିସ ପକ୍ଷରୁ ଏହାକୁ ଅଟକାଯିବାରୁ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଛି। ଏହାକୁ ନେଇ ନେରେଡିବାଲସା ଚେକ୍ଗେଟ୍ରେ ଉଭୟ ପକ୍ଷ ମଧ୍ୟରେ କଥାକାଟି ଓ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଦେଖିବାକୁ ମିଳିଛି। ଏହାପରେ ଘଟଣାସ୍ଥଳରେ କୋରାପୁଟ ଉପଜିଲ୍ଲାପାଳ ଏବଂ ପଟ୍ଟାଙ୍ଗୀ ତହସିଲଦାର ମଧ୍ୟ ଉପସ୍ଥିତ ରହି ଆନ୍ଧ୍ର ପୋଲିସ ସହ ଯୁକ୍ତିତର୍କ କରିଛନ୍ତି। ଗତକାଲି ଆନ୍ଧ୍ରର ରାସନ ଚାଉଳ ବୋଝେଇ ଏକ ଟ୍ରକକୁ ଓଡ଼ିଶା ପୋଲିସ ଅଟକାଇବା ପରେ ଏହି ବିବାଦ ଆହୁରି ଘନେଇଛି। ଅନ୍ୟପଟେ ୫ ତାରିଖରେ ହେବାକୁଥିବା ଆନ୍ଧ୍ର ନିର୍ବାଚନକୁ ଦୃଷ୍ଟିରେ ରଖି କୋଟିଆରେ ସୁରକ୍ଷା ବ୍ୟବସ୍ଥାକୁ ଅତି କଡ଼ାକଡ଼ି କରିଛନ୍ତି। ଏଠାରେ ଆଇନଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣ ପାଇଁ ୭ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ନିର୍ବାଚନ ଦିନ ଏହି ସଂଖ୍ୟା ଆହୁରି ବୃଦ୍ଧି କରାଯିବ ବୋଲି କୋରାପୁଟ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସେ କହିଛନ୍ତି କୋଟିଆର ମୋଟ ୩ଟି ଚେକ୍ଗେଟ୍ରେ ୨୪ ଘଣ୍ଟିଆ କଡ଼ା ନଜର ରଖାଯାଇଥିବା ବେଳେ ୯ ଜଣ ଏକଜିକ୍ଯୁଟିଭ୍ ମାଜିଷ୍ଟ୍ରେଟ୍ଙ୍କୁ ରୋଟେସନ୍ ଭିତ୍ତିରେ ଦାୟିତ୍ୱ ଦିଆଯାଇଛି। ସେହିପରି ସମସ୍ତ ବେଆଇନ କାର୍ଯ୍ୟକଳାପକୁ ପ୍ରତିହତ କରିବାକୁ ଧାରା ୧୪୪ ଲାଗୁ କରାଯାଇଥିବା ବେଳେ ବୋଗସ୍ ଭୋଟିଂ ଓ ଅନ୍ୟାନ୍ୟ ଅନିୟମିତତାକୁ ରୋକିବା ପାଇଁ ଭିଡିଓ ମନିଟରିଂ ଓ ପ୍ରଶାସନ ପକ୍ଷରୁ କଡ଼ା ପର୍ଯ୍ୟବେକ୍ଷଣ କରାଯାଉଛି। Post navigation Cyclone Murasu Threat Averted in Odisha: ରାଜ୍ୟରେ ନାହିଁ ବାତ୍ୟା ‘ମୁରାସୁ’ର ପ୍ରଭାବ: ମୁଖ୍ୟ ଶାସନ ସଚିବ 4 IAS Officers To Visit 3 Flood-Affected Districts: ବନ୍ୟା କ୍ଷତି ଆକଳନ ପାଇଁ ୩ ଜିଲ୍ଲାକୁ ଯିବେ ୪ ଆଇଏଏସ୍ ଅଧିକାରୀ