ବାତ୍ୟା ଓ ବନ୍ୟା ସମୟରେ ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳି ଗସ୍ତ ନକରିବାକୁ ନେଇ ବିରୋଧୀ ଦଳ ନେତା ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକଙ୍କୁ ବିରୋଧୀମାନେ ଘେରିଛନ୍ତି । ହିଞ୍ଜିଳି ସହର ସମେତ ଆଖପାଖ ଅଞ୍ଚଳର ବିଭିନ୍ନ ସ୍ଥାନରେ ‘ନବୀନ ମିସିଂ’ ପୋଷ୍ଟର ଲଗାଯାଇଛି । ବାତ୍ୟା ଓ ବନ୍ୟା ଯୋଗୁଁ ଲୋକେ ହଇରାଣ ହେଉଥିବା ବେଳେ ନବୀନ ସେମାନଙ୍କ ନିକଟରେ ପହଞ୍ଚି ନଥିବାରୁ ଏଭଳି ପୋଷ୍ଟର ଲଗାଯାଇଥିବା କୁହାଯାଉଛି ।

ଏହି ପ୍ରସଙ୍ଗରେ ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି, ନବୀନ ବାବୁ ମୁଖ୍ୟମନ୍ତ୍ରୀ ଥିବା ସମୟରେ ବନ୍ୟା ପ୍ରଭାବିତ ଅଞ୍ଚଳକୁ ହେଲିକପ୍ଟରରେ ଯାଇ ସ୍ଥିତି ସମୀକ୍ଷା କରୁଥିଲେ । କିନ୍ତୁ ଏବେ ସରକାରରେ ନଥିବାରୁ ନିଜ ନିର୍ବାଚନମଣ୍ଡଳୀକୁ ଯିବାକୁ କାହିଁକି ଆଗ୍ରହ ଦେଖାଉନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ସରକାରରେ ଥିବା ସମୟରେ ଯେଉଁ ଦାୟିତ୍ୱବୋଧ ଦେଖାଉଥିଲେ, ବିରୋଧୀ ଦଳରେ ଥିବାବେଳେ ମଧ୍ୟ ସେହି ଦାୟିତ୍ୱବୋଧ ରଖିବା ଆବଶ୍ୟକ ବୋଲି ସେ କହିଛନ୍ତି ।

ହିଞ୍ଜିଳିର ବିଧାୟକ ହୋଇଥିବାରୁ ନବୀନଙ୍କୁ ପ୍ରଶ୍ନ କରିବା, ତାଙ୍କଠାରୁ ଉତ୍ତର ମାଗିବା ଏବଂ ବିପଦ ସମୟରେ ତାଙ୍କୁ ନିଜ ପାଖରେ ପାଇବାର ଅଧିକାର ହିଞ୍ଜିଳିବାସୀଙ୍କର ରହିଛି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି । ଅନ୍ୟପକ୍ଷରେ, ବିଜେପିର ଏହି ସମାଲୋଚନାର ଜବାବ ରଖିଛି ବିଜେଡି । ନବୀନ ପଟ୍ଟନାୟକ ନିଜେ ହିଞ୍ଜିଳି ଗସ୍ତ କରିନଥିଲେ ମଧ୍ୟ ବନ୍ୟା ଓ ବାତ୍ୟା ପ୍ରଭାବିତ ଲୋକଙ୍କ ସ୍ଥିତି ବୁଝିବା ପାଇଁ ଦଳର ବରିଷ୍ଠ ନେତାମାନଙ୍କୁ ସେଠାକୁ ପଠାଇଥିବା ବିଜେଡି କହିଛି ।

By Nirvay

Leave a Reply

Your email address will not be published. Required fields are marked *