ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ ଏବଂ ଜରୁରୀକାଳୀନ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଜନସାଧାରଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାଠାରୁ ଆରମ୍ଭ କରି ସମସ୍ତ ମୌଳିକ ସୁବିଧା ଯାଏଁ ପ୍ରଶାସନ ପୂର୍ଣ୍ଣ ପ୍ରସ୍ତୁତ ରହିଛି। ଜନସାଧାରଣଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ମୋଟ ୨,୯୪,୭୫୨ ଜଣଙ୍କ ଲକ୍ଷ୍ୟ ରହିଥିବାବେଳେ ଇତିମଧ୍ୟରେ ୧,୫୧,୪୩୪ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ଗଞ୍ଜାମ ଜିଲ୍ଲାରେ ୧୧୦ଟି ସ୍ଥାୟୀ ଆଶ୍ରୟସ୍ଥଳୀ ଏବଂ ୧,୦୨୯ଟି ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଥିବାବେଳେ ଏଥିରେ ୩,୪୧,୭୦୦ ଜଣଙ୍କ ରହିବା ପାଇଁ କ୍ଷମତା ରହିଛି। ସ୍ଥାନାନ୍ତର କେନ୍ଦ୍ରଗୁଡ଼ିକରେ ଆବଶ୍ୟକୀୟ ଚିକିତ୍ସା ସେବା ଯୋଗାଇବା ନିମନ୍ତେ ମେଡିକାଲ୍ ଟିମ୍ ମୁତୟନ କରାଯାଇଛି। ଜିଲ୍ଲାର ସମସ୍ତ ବ୍ଲକ ଓ ପୌରାଞ୍ଚଳ (ULB) ଗୁଡ଼ିକରେ ଆବଶ୍ୟକୀୟ ରିଲିଫ୍ ସାମଗ୍ରୀ ମହଜୁଦ ନିଶ୍ଚିତ କରାଯାଇଥିବାବେଳେ ଅତିରିକ୍ତ ଆବଶ୍ୟକତା ମଧ୍ୟ ଜଣାଇ ଦିଆଯାଇଛି ଏବଂ ଆଜି ସନ୍ଧ୍ୟା ସୁଦ୍ଧା ଏହାର ଯୋଗଣ କରାଯିବ। ସ୍ଥାନାନ୍ତରିତ ଲୋକମାନଙ୍କ ରହିବା ସ୍ଥାନରେ ଜେନେରେଟର୍ ଓ ପାଣି ଟ୍ୟାଙ୍କର ବ୍ୟବସ୍ଥା ସୁନିଶ୍ଚିତ କରାଯାଇଛି। ଜନସାଧାରଣଙ୍କୁ ସଚେତନ କରିବା ପାଇଁ ସମସ୍ତ ଅଞ୍ଚଳରେ ମାଇକ୍ ଯୋଗେ ପ୍ରଚାର କରାଯାଉଛି। ଏହା ସହିତ ଗ୍ରାମସ୍ତରରେ ସମନ୍ୱୟ ରକ୍ଷା କରିବା ଏବଂ ମୌଳିକ ସୁବିଧା ଯୋଗାଣ ପାଇଁ ପ୍ରତ୍ୟେକ ଗ୍ରାମ ପାଇଁ ଜଣେ ଲେଖାଏଁ ନୋଡାଲ୍ ଅଧିକାରୀ ନିଯୁକ୍ତ କରାଯାଇଛନ୍ତି ଯେଉଁମାନେ ସମନ୍ୱୟ ରକ୍ଷା କରିବା ସହ ଗ୍ରାମବାସୀଙ୍କୁ ସମସ୍ତ ମୌଳିକ ସୁବିଧା ଯୋଗାଣ ସୁନିଶ୍ଚିତ କରିବେ। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଜିଲ୍ଲାର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ସେହିପରି ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସଡ଼କ ଓ ବିଦ୍ୟୁତ୍ ସଂଯୋଗ ସହ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ ହେବା ନିମନ୍ତେ ବ୍ୟବସ୍ଥା କରାଯାଇଛି। ଅସୁରକ୍ଷିତ ଓ ବିପଦପୂର୍ଣ୍ଣ କୋଠାଗୁଡ଼ିକରେ ରହୁଥିବା ଲୋକମାନଙ୍କୁ ଚିହ୍ନଟ କରାଯାଇ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା କରାଯାଇଛି। ଏଥିସହିତ ଜିଲ୍ଲାର ୪ଟି ବ୍ଲକରେ ଭୂସ୍ଖଳନ ପ୍ରବଣ ଅଞ୍ଚଳଗୁଡ଼ିକୁ ଚିହ୍ନଟ କରାଯାଇଛି ଏବଂ ସେହି ଅନୁଯାୟୀ ଆବଶ୍ୟକୀୟ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। Post navigation दिवाली पर दिल्ली एनसीआर में ग्रीन पटाखों को सुप्रीम कोर्ट की मंजूरी Vigilance Nabs Special Land Acquisition Officer: ଭିଜିଲାନ୍ସ ଜାଲରେ ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଅଜୟ କୁମାର ଗଡ଼ନାୟକ