ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଭୟାବହ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ସୃଷ୍ଟି ହୋଇଥିବା ଦୁର୍ଦ୍ଦଶା ପାଇଁ ବିଜେପି ସରକାରଙ୍କ ଚରମ ଅବହେଳା, ଅପାରଗତା ଓ ଦାୟିତ୍ୱହୀନ ଆଭିମୁଖ୍ୟକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାସ ତୀବ୍ର ନିନ୍ଦା କରିଛନ୍ତି । ପ୍ରକୃତିର ପ୍ରକୋପକୁ ସମ୍ପୂର୍ଣ୍ଣ ରୋକିବା ସମ୍ଭବ ନୁହେଁ, କିନ୍ତୁ ଆଗୁଆ ସତର୍କ ସୂଚନା ଥିବା ସତ୍ତ୍ୱେ ଲୋକଙ୍କ ଜୀବନ, ଜୀବିକା ଓ ସମ୍ପତ୍ତିର ସୁରକ୍ଷା ପାଇଁ ଆବଶ୍ୟକ ପ୍ରସ୍ତୁତି ନ କରିବା ନିଶ୍ଚିତ ଭାବେ ସରକାରଙ୍କ ବିଫଳତା । ହଜାର ହଜାର ପରିବାର ବନ୍ୟାରେ ପ୍ରଭାବିତ ହୋଇଥିବା ବେଳେ ଅନେକ ଗାଁ ଜଳମଗ୍ନ, ରାସ୍ତାଘାଟ ଓ ଯୋଗାଯୋଗ ବ୍ୟବସ୍ଥା କ୍ଷତିଗ୍ରସ୍ତ ଏବଂ ଚାଷଜମି ନଷ୍ଟ ହୋଇଛି। ଲୋକେ ଖାଦ୍ୟ, ପାନୀୟ ଜଳ ଓ ଔଷଧ ପାଇଁ ହନ୍ତସନ୍ତ ହେଉଥିବା ବେଳେ ସରକାରଙ୍କ ପ୍ରତିକ୍ରିୟା ଅତ୍ୟନ୍ତ ନିରାଶାଜନକ । ସବୁଠାରୁ ଗୁରୁତର ପ୍ରଶ୍ନ ହେଉଛି, ଜଳଭଣ୍ଡାରରୁ ଜଳ ନିଷ୍କାସନ ପୂର୍ବରୁ ତଳମୁଣ୍ଡରେ ଥିବା ଗାଁ ଓ ଜନବସତିଗୁଡ଼ିକୁ କାହିଁକି ଉପଯୁକ୍ତ ସମୟରେ ସତର୍କ କରାଯାଇ ନଥିଲା? ଜଳ ନିଷ୍କାସନର ପରିମାଣ, ସମୟ ଓ ସମ୍ଭାବ୍ୟ ପ୍ରଭାବ ସମ୍ପର୍କରେ ସ୍ଥାନୀୟ ପ୍ରଶାସନ ଓ ଜନସାଧାରଣଙ୍କୁ ସ୍ପଷ୍ଟ ସୂଚନା ଦିଆଯାଇଥିଲା କି? ଡହ ଜଳଭଣ୍ଡାର ପରିଚାଳନାରେ ବିଭାଗ, ଜିଲ୍ଲା ପ୍ରଶାସନ ଓ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ମଧ୍ୟରେ କି ସମନ୍ୱୟ ଥିଲା? ଜଳ ନିଷ୍କାସନ ଓ ବର୍ଷାଜନିତ ବନ୍ୟାର ମିଳିତ ପ୍ରଭାବକୁ ଆଗୁଆ ଆକଳନ କରାଯାଇଥିଲା କି? ଉଭୟ ଆଇଏମଡି ଓ ରାଜ୍ୟ ପାଣିପାଗ ବିଭାଗ କେବେ ସତର୍କ ସୂଚନା ଦେଲେ ଓ କର୍ତ୍ତୃପକ୍ଷ କେବେ ନିଷ୍ପତ୍ତି ନେଲେ ତାହା ମଧ୍ୟ ସରକାର ଦେଖନ୍ତୁ । ଏହି ସବୁ ପ୍ରଶ୍ନର ଉତ୍ତର ସରକାରଙ୍କୁ ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି । ପାଣିପାଗ ବିଭାଗର ଆଗୁଆ ସତର୍କ ସୂଚନା ସତ୍ତ୍ୱେ ବିପଦସଙ୍କୁଳ ଗାଁଗୁଡ଼ିକରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ କାହିଁକି ଆଗୁଆ ବ୍ୟବସ୍ଥା କରାଯାଇ ନଥିଲା? ଗର୍ଭବତୀ ମହିଳା, ଶିଶୁ, ବୟସ୍କ ଓ ଦିବ୍ୟାଙ୍ଗଙ୍କ ପାଇଁ କି ସ୍ୱତନ୍ତ୍ର ବ୍ୟବସ୍ଥା ଥିଲା? ଆଶ୍ରୟସ୍ଥଳୀ, ଶୁଖିଲା ଖାଦ୍ୟ, ପାନୀୟ ଜଳ, ଔଷଧ ଓ ଆପତ୍କାଳୀନ ଚିକିତ୍ସାର ବ୍ୟବସ୍ଥା କେତେ ପରିମାଣରେ ଥିଲା? ଅନେକ ଅଞ୍ଚଳରେ ଯଦି ଲୋକଙ୍କୁ ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ଆକାଶମାର୍ଗରୁ ପକାଇବାକୁ ପଡ଼ୁଛି, ତେବେ ଏହା ତୃଣମୂଳ ସ୍ତରରେ ପ୍ରଶାସନିକ ବ୍ୟବସ୍ଥା କେତେ ଦୁର୍ବଳ ତାହା ପ୍ରମାଣିତ କରୁଛି । ଜିଲ୍ଲା ଦାୟିତ୍ୱରେ ଥିବା ମନ୍ତ୍ରୀମାନଙ୍କ ଭୂମିକା ମଧ୍ୟ ନୈରାଶ୍ୟଜନକ। ସଙ୍କଟ ସମୟରେ ମନ୍ତ୍ରୀମାନଙ୍କ ଦାୟିତ୍ୱ କେବଳ ସମୀକ୍ଷା ବୈଠକ କିମ୍ବା ଗଣମାଧ୍ୟମରେ ବିବୃତି ଦେବା ନୁହେଁ। ଜିଲ୍ଲାର ପ୍ରତ୍ୟେକ ବିପନ୍ନ ଅଞ୍ଚଳରେ ଉଦ୍ଧାର, ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟର ସମନ୍ୱୟ କରିବା ସେମାନଙ୍କ ରାଜନୈତିକ ଓ ପ୍ରଶାସନିକ ଦାୟିତ୍ୱ। ମନ୍ତ୍ରୀମାନେ ନିଜ ଦାୟିତ୍ୱ ନିର୍ବାହରେ ବିଫଳ ହୋଇ କାହିଁକି ହୀନସ୍ତା ଓ ହଟହଟା ହେଉଛନ୍ତି ସେମାନେ ଜାଣିଥିବେ। ଏହି ବନ୍ୟା କେବଳ ଘରଦ୍ୱାର ଓ ରାସ୍ତାଘାଟର କ୍ଷତି ନୁହେଁ, ଏହା ହଜାର ହଜାର ପରିବାରର ଜୀବିକା ଉପରେ ମଧ୍ୟ ଏକ ବଡ଼ ଆଘାତ । ଚାଷୀଙ୍କ ଧାନ ଓ ଅନ୍ୟାନ୍ୟ ଫସଲ ନଷ୍ଟ ହୋଇଛି । ମତ୍ସ୍ୟଜୀବୀଙ୍କ ପୋଖରୀ, ମାଛ ଚାଷ ଓ ଜାଲ ଆଦି ନଷ୍ଟ ହୋଇଥିବା ସମ୍ଭାବନା ରହିଛି । ଗୃହପାଳିତ ପଶୁଙ୍କ ମୃତ୍ୟୁ ଓ ଚାରଣଭୂମି ନଷ୍ଟ ହେବା ଦ୍ୱାରା ଗ୍ରାମୀଣ ଅର୍ଥନୀତି ଗୁରୁତର ଭାବେ ପ୍ରଭାବିତ ହେବ । ଦିନମଜୁରିଆ, କ୍ଷୁଦ୍ର ବ୍ୟବସାୟୀ ଓ ଗରିବ ପରିବାରଙ୍କ ରୋଜଗାର ବନ୍ଦ ହୋଇଯାଇଛି । ଏହି ସମସ୍ତ କ୍ଷତିର ଯଥାର୍ଥ ଆକଳନ କରି ଉପଯୁକ୍ତ କ୍ଷତିପୂରଣ ଦେବା ଆବଶ୍ୟକ । ବନ୍ୟା ପରବର୍ତ୍ତୀ ସ୍ୱାସ୍ଥ୍ୟ ସଙ୍କଟ ମଧ୍ୟ ସରକାରଙ୍କ ପାଇଁ ଏକ ବଡ଼ ଆହ୍ୱାନ । ଦୂଷିତ ପାଣି ଯୋଗୁଁ ଝାଡ଼ାବାନ୍ତି ଓ ଅନ୍ୟାନ୍ୟ ଜଳବାହିତ ରୋଗ ବ୍ୟାପିବାର ଆଶଙ୍କା ରହିଛି । ପ୍ରଭାବିତ ଗାଁଗୁଡ଼ିକରେ ଶୁଦ୍ଧ ପାନୀୟ ଜଳ, ବ୍ଲିଚିଂ ପାଉଡର, ଆବଶ୍ୟକ ଔଷଧ ଓ ମୋବାଇଲ୍ ମେଡିକାଲ୍ ଟିମ୍ ତୁରନ୍ତ ପହଞ୍ଚାଇବା ଦରକାର । ବିଦ୍ୟୁତ୍ ଓ ଯୋଗାଯୋଗ ବ୍ୟବସ୍ଥାର ତୁରନ୍ତ ପୁନରୁଦ୍ଧାର ସହ ବିପନ୍ନ ଆଦିବାସୀ ଓ ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଖରେ ରିଲିଫ୍ ପହଞ୍ଚାଇବାକୁ ପ୍ରାଥମିକତା ଦିଆଯାଉ । କୌଣସି ଅଞ୍ଚଳ ଯେପରି ପ୍ରଶାସନିକ ଅବହେଳାର ଶିକାର ନ ହୁଏ, ତାହା ସୁନିଶ୍ଚିତ କରାଯାଉ । ଦାସ କହିଛନ୍ତି, “ଜଳଭଣ୍ଡାରରୁ ଜଳ ନିଷ୍କାସନ ପୂର୍ବରୁ ତଳମୁଣ୍ଡର ଲୋକଙ୍କୁ ସତର୍କ କରାଯାଇଥିଲା କି? କାହିଁକି ଆଗୁଆ ଲୋକଙ୍କୁ ସ୍ଥାନାନ୍ତର କରାଗଲା ନାହିଁ? ମନ୍ତ୍ରୀ ଓ ଅଧିକାରୀମାନେ କେଉଁଠି ଥିଲେ? ଯେଉଁଠି ରୁଲ କର୍ଭରେ ବିଚ୍ୟୁତି ହୋଇଛି ସେ ପାଇଁ ଦାୟୀ କିଏ? ସରକାର ତୁରନ୍ତ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କରି କାର୍ଯ୍ୟାନୁଷ୍ଠାନ କରନ୍ତୁ। ଦାସ କେନ୍ଦ୍ର ସରକାରଙ୍କ ତୁରନ୍ତ ହସ୍ତକ୍ଷେପ ଦାବି କରିଛନ୍ତି । ଗଞ୍ଜାମ ଓ ଗଜପତିର ବନ୍ୟା ଓ ଭୂସ୍ଖଳନ ଜନିତ କ୍ଷୟକ୍ଷତିର ଆକଳନ ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତୁରନ୍ତ ଏକ କେନ୍ଦ୍ରୀୟ ଟିମ୍ ପଠାଉ । ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (NDRF)ରୁ ରାଜ୍ୟକୁ ଅତିରିକ୍ତ ଓ ଯଥେଷ୍ଟ ଆର୍ଥିକ ସହାୟତା ଯୋଗାଇ ଦିଆଯାଉ। ଏହି ସହାୟତା କେବଳ ତତ୍କାଳୀନ ରିଲିଫ୍ ପାଇଁ ନୁହେଁ, ବରଂ ଘର, ରାସ୍ତା, ପୋଲ, ଜଳଯୋଗାଣ, ବିଦ୍ୟୁତ୍ ଓ ଅନ୍ୟାନ୍ୟ ଭିତ୍ତିଭୂମିର ପୁନର୍ନିର୍ମାଣ ଏବଂ ଜୀବିକାର ପୁନରୁଦ୍ଧାର ପାଇଁ ମଧ୍ୟ ଉଦ୍ଦିଷ୍ଟ ହେବା ଆବଶ୍ୟକ । ଚାଷୀ, ମତ୍ସ୍ୟଜୀବୀ, ଦିନମଜୁରିଆ ଓ ଘର ହରାଇଥିବା ପରିବାରଙ୍କୁ ସ୍ୱତନ୍ତ୍ର ସହାୟତା ଦିଆଯାଉ । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଦାବି କରୁଛି ଯେ, ସରକାର ତୁରନ୍ତ ଏକ ସ୍ୱଚ୍ଛ ଓ ଘରଘର ବୁଲି କ୍ଷୟକ୍ଷତି ଆକଳନ ବ୍ୟବସ୍ଥା ଆରମ୍ଭ କରନ୍ତୁ । ମୃତକ ଓ ନିଖୋଜଙ୍କ ସଠିକ୍ ତଥ୍ୟ, ପ୍ରଭାବିତ ଗାଁ, କ୍ଷତିଗ୍ରସ୍ତ ଘର, ଚାଷଜମି ଓ ଜୀବିକାର ଜିଲ୍ଲାୱାରୀ ତଥ୍ୟ ସାର୍ବଜନୀନ କରାଯାଉ । କ୍ଷତିଗ୍ରସ୍ତ ଘର ପାଇଁ ଯଥେଷ୍ଟ ସହାୟତା, ଫସଲ ନଷ୍ଟ ପାଇଁ କ୍ଷତିପୂରଣ, ଗୃହପାଳିତ ପଶୁଙ୍କ କ୍ଷତି ପାଇଁ ସହାୟତା ଏବଂ ମତ୍ସ୍ୟଜୀବୀଙ୍କୁ ଜୀବିକା ପୁନର୍ଗଠନ ପାଇଁ ଆର୍ଥିକ ସହାୟତା ଦିଆଯାଉ । ରିଲିଫ୍ ବଣ୍ଟନରେ ଯେପରି କୌଣସି ଦଳୀୟ ପାତରଅନ୍ତର ନ ହୁଏ, ତାହା ମଧ୍ୟ ସୁନିଶ୍ଚିତ କରାଯାଉ । ଭବିଷ୍ୟତରେ ଏଭଳି ବିପର୍ଯ୍ୟୟର ପ୍ରଭାବ କମାଇବା ପାଇଁ ଜଳଭଣ୍ଡାର ପରିଚାଳନା, ଜଳ ନିଷ୍କାସନ ସମୟରେ ଆଗୁଆ ସତର୍କ ସୂଚନା, ନଦୀ ଓ ନାଳର ଜଳ ପ୍ରବାହ, ଭୂସ୍ଖଳନ ପ୍ରବଣ ଅଞ୍ଚଳର ଚିହ୍ନଟ ଏବଂ ଗ୍ରାମସ୍ତରୀୟ ବିପର୍ଯ୍ୟୟ ପ୍ରସ୍ତୁତିକୁ ନେଇ ଏକ ସ୍ଥାୟୀ ବ୍ୟବସ୍ଥା ଗଠନ କରାଯାଉ । ଏହି ବିପର୍ଯ୍ୟୟରେ ହୋଇଥିବା ପ୍ରଶାସନିକ ତ୍ରୁଟିର ଏକ ସ୍ୱାଧୀନ ତଦନ୍ତ କରାଯାଇ ଦାୟୀ ଅଧିକାରୀ ଓ ମନ୍ତ୍ରୀଙ୍କ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କରାଯାଉ । ଦାସ କହିଛନ୍ତି, “ଓଡ଼ିଶା ବାତ୍ୟା ଓ ବନ୍ୟା ସହିତ ଲଢ଼ିବାର ଦୀର୍ଘ ଅଭିଜ୍ଞତା ରଖିଛି । ତେଣୁ ଆଗୁଆ ସତର୍କ ସୂଚନା ଥାଇ ମଧ୍ୟ ଲୋକଙ୍କ ଏଭଳି ଦୁର୍ଦ୍ଦଶା ଅତ୍ୟନ୍ତ ଲଜ୍ଜାଜନକ । ଆକାଶମାର୍ଗରୁ ସର୍ଭେ, ସମୀକ୍ଷା ବୈଠକ ଓ ଗଣମାଧ୍ୟମରେ ପ୍ରଚାର କେବେହେଲେ ତୃଣମୂଳ ସ୍ତରର ଶାସନର ବିକଳ୍ପ ହୋଇପାରିବ ନାହିଁ । ଗଞ୍ଜାମ ଓ ଗଜପତିର ଲୋକଙ୍କୁ ଆଶ୍ୱାସନା ନୁହେଁ, ତୁରନ୍ତ ରିଲିଫ୍, ଯଥେଷ୍ଟ କ୍ଷତିପୂରଣ ଓ ନ୍ୟାୟ ଦରକାର । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ନିଜ ଦାୟିତ୍ୱ ନିର୍ବାହ କରନ୍ତୁ । କଂଗ୍ରେସ ପାର୍ଟି ବିପନ୍ନ ଲୋକଙ୍କ ସହିତ ଦୃଢ଼ ଭାବରେ ଠିଆ ହୋଇଛି ଏବଂ ସେମାନଙ୍କ ନ୍ୟାୟସଙ୍ଗତ ଦାବି ପାଇଁ ଲଢ଼େଇ ଜାରି ରଖିବ ।” Post navigation Additional MBBS Seats for SLN Medical College: କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ମିଳିଲା ଅତିରିକ୍ତ ୨୫ଟି ଏମ୍ବିବିଏସ୍ ସିଟ୍ Heavy Rain Alert in Ganjam: ପ୍ରବଳ ବର୍ଷା ସମ୍ଭାବନା ଯୋଗୁଁ ନଭେମ୍ବର ୩ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ