କନ୍ଧମାଳ ଜିଲ୍ଲାର ବନ୍ୟା ପ୍ରଭାବିତ ରାଇକିଆ ଅଞ୍ଚଳରେ ଲୋକମାନଙ୍କୁ ତ୍ୱରିତ ଓ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ପଦକ୍ଷେପ ନିଆଯାଇଛି। ଫୁଲବାଣୀସ୍ଥିତ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ସରକାରୀ ମେଡିକାଲ କଲେଜର କମ୍ୟୁନିଟି ମେଡିସିନ୍‌ ବିଭାଗ ପକ୍ଷରୁ ଏକ ୪ ଜଣିଆ ଡାକ୍ତରୀ ଦଳକୁ ଏହି ଅଞ୍ଚଳକୁ ପଠାଯାଇଛି।

ସୂଚନା ଅନୁଯାୟୀ, ଏହି ଡାକ୍ତରୀ ଦଳ ରାଇକିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉପସ୍ଥିତ ରହି ବନ୍ୟା ପ୍ରଭାବିତ ଲୋକଙ୍କୁ ଚିକିତ୍ସା ସେବା ପ୍ରଦାନ କରିବେ। ସେମାନେ ମୁଖ୍ୟତଃ ବିଶେଷଜ୍ଞ ଚିକିତ୍ସା ଏବଂ ପ୍ରତିଷେଧକ ସ୍ୱାସ୍ଥ୍ୟସେବା ଉପରେ ଗୁରୁତ୍ୱ ଦେବେ।

ବନ୍ୟା ପରବର୍ତ୍ତୀ ସମୟରେ ଜଳବାହିତ ଓ ଅନ୍ୟାନ୍ୟ ସଂକ୍ରାମକ ରୋଗ ବ୍ୟାପିବାର ଆଶଙ୍କା ଥିବାରୁ, ଏହି ଦଳ ସେସବୁର ପ୍ରତିରୋଧ ପାଇଁ କାର୍ଯ୍ୟ କରିବେ। ଏହାସହିତ ଅଞ୍ଚଳବାସୀଙ୍କୁ ସ୍ୱଚ୍ଛତା ରକ୍ଷା ଏବଂ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ଆବଶ୍ୟକ ପରାମର୍ଶ ଓ ଶିକ୍ଷା ମଧ୍ୟ ପ୍ରଦାନ କରିବେ ବୋଲି ଜଣାପଡିଛି। ଏହି ପଦକ୍ଷେପ ଦ୍ୱାରା ବନ୍ୟା ପ୍ରପୀଡ଼ିତ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବାର ଅଭାବ କିଛି ମାତ୍ରାରେ ଦୂର ହୋଇପାରିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *