ଭାରତୀୟ ପାରା ଆଥଲେଟିକ୍ସ ଖେଳାଳି ନୀରଜ ଯାଦବ (୪୨)ଙ୍କ ମୃତ୍ୟୁ ହୋଇଛି । ମଙ୍ଗଳବାର ରାତିରେ ସେ ନିଜ ଫ୍ଲାଟ୍‌ରେ ବିଷାକ୍ତ ପଦାର୍ଥ ସେବନ କରିଥିବା ଅଭିଯୋଗ ହୋଇଛି । ତେବେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ତଦନ୍ତ ପରେ ସ୍ପଷ୍ଟ ହେବ । ନୀରଜଙ୍କ ମୃତ୍ୟୁରେ ଭାରତୀୟ ପାରା ଆଥଲେଟିକ୍ସର ମୁଖ୍ୟ ପ୍ରଶିକ୍ଷକ ଏସ୍. ସତ୍ୟନାରାୟଣ ଶୋକ ପ୍ରକାଶ କରିଛନ୍ତି । ପାରାଲିମ୍ପିକ୍ସ ଚାମ୍ପିୟନ ସୁମିତ ଅନ୍ତିଲ ଓ ପାରା ଆଥଲେଟ୍ ବିପିନ କସାନା ଡାକ୍ତରଖାନାରେ ଉପସ୍ଥିତ ଥିବା ସୂଚନା ମିଳିଛି ।

ସତ୍ୟନାରାୟଣଙ୍କ କହିବା ଅନୁଯାୟୀ, ଡୋପିଂ ମାମଲାରେ ନିଲମ୍ବିତ ହୋଇଥିବାରୁ ନୀରଜ ଆଗାମୀ ଏସୀୟ ପାରା ଗେମ୍ସରେ ଭାଗ ନେଇପାରି ନଥାନ୍ତେ । ଉତ୍ତର ପ୍ରଦେଶର ବାସିନ୍ଦା ନୀରଜ ୭ ବର୍ଷ ବୟସରେ ପୋଲିଓ ପରବର୍ତ୍ତୀ ପକ୍ଷାଘାତର ଶିକାର ହୋଇଥିଲେ । ପାରା ଆଥଲେଟିକ୍ସରେ ଯୋଗଦେବା ପୂର୍ବରୁ ସେ ୨୦୦୫ରୁ ୨୦୧୨ ପର୍ଯ୍ୟନ୍ତ ହ୍ୱିଲ୍‌ଚେୟାର ଟେନିସ୍ ଖେଳୁଥିଲେ ।

୨୦୨୩ରେ ଚୀନ୍‌ର ହାଙ୍ଗଝୋଉଠାରେ ଆୟୋଜିତ ଏସୀୟ ପାରା ଗେମ୍ସରେ ସେ ଜାଭେଲିନ୍ ଥ୍ରୋ ଓ ଡିସ୍‌କସ୍ ଥ୍ରୋରେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏହା ସହ ଏସୀୟ ପାରା ଗେମ୍ସରେ ତାଙ୍କର ମୋଟ ସ୍ୱର୍ଣ୍ଣ ପଦକ ସଂଖ୍ୟା ୩ ହୋଇଥିଲା । ତାଙ୍କ ମୃତ୍ୟୁ ଭାରତୀୟ ପାରା କ୍ରୀଡ଼ା ଜଗତ ପାଇଁ ଏକ ବଡ଼ କ୍ଷତି ।

By Nirvay

Leave a Reply

Your email address will not be published. Required fields are marked *