ରାଜ୍ୟରେ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ଓଡ଼ିଶା ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମା ଅନୁଯାୟୀ, ରାଜ୍ୟର ୮ ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନୂତନ ନିଯୁକ୍ତି ଏବଂ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି।

ପ୍ରକାଶିତ ନିର୍ଦ୍ଦେଶନାମା ଅନୁଯାୟୀ, ଏସଟି ଏଣ୍ଡ ଏସସି ଡେଭଲପମେଣ୍ଟ ବିଭାଗର ଅତିରିକ୍ତ ସଚିବ ତଥା ଖାଦ୍ୟ ସୁରକ୍ଷା କମିଶନର ଏବଂ ଟିଡିସିସିଓଏଲର ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ଡ. ପୋମା ଟୁଡୁଙ୍କୁ କୃଷି ଓ ଖାଦ୍ୟ ଉତ୍ପାଦନ ବିଭାଗର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି । ଏଥି ସହିତ ତାଙ୍କୁ ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମର ଏମଡି ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ଦିଆଯାଇଛି।

ସେହିପରି ବ୍ରହ୍ମପୁରର ଦକ୍ଷିଣାଞ୍ଚଳ ଆର୍ଡିସି ଦାୟିତ୍ୱରେ ଥିବା ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ସମ୍ବଲପୁରର ଉତ୍ତରାଞ୍ଚଳ ଆର୍ଡିସି ଭାବେ ବଦଳି କରାଯିବା ସହ WODC ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ କୃଷି ଓ ଖାଦ୍ୟ ଉତ୍ପାଦନ ବିଭାଗର ନିର୍ଦ୍ଦେଶକ ଥିବା ଶୁଭମ ସକ୍ସେନାଙ୍କୁ ଭୁବନେଶ୍ୱର ବିକାଶ ପ୍ରାଧିକରଣ ବା ବିଡିଏର ଭାଇସ୍ ଚେୟାରମ୍ୟାନ୍ ଭାବେ ନିଯୁକ୍ତି ମିଳିଛି।

ଅନ୍ୟପକ୍ଷରେ, କେନ୍ଦ୍ରୀୟ ଡେପୁଟେସନରୁ ଫେରି ରାଜ୍ୟ ସରକାରଙ୍କ ପାଖରେ ଯୋଗଦେଇଥିବା ଡ. ଗାଭାଲି ପରାଗ ହର୍ଷଦଙ୍କୁ ଜାତୀୟ ସ୍ୱାସ୍ଥ୍ୟ ମିଶନର ପରିଚାଳନା ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦିଆଯାଇଥିବା ବେଳେ ପ୍ରାଣୀସମ୍ପଦ ଓ ପ୍ରାଣୀ ଚିକିତ୍ସା ବିଭାଗର ନିର୍ଦ୍ଦେଶକ ତଥା ଓମଫେଡ୍ର ଏମଡି ଥିବା ବିଜୟ ଅମୃତା କୁଲାଙ୍ଗେଙ୍କୁ ବ୍ରହ୍ମପୁରର ଦକ୍ଷିଣାଞ୍ଚଳ ଆର୍ଡିସି ଭାବେ ନିଯୁକ୍ତି ମିଳିଛି।

ଏଥି ସହିତ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶକ ଚକ୍ରବର୍ତ୍ତି ସିଂହ ରାଠୋରଙ୍କୁ ଉଦ୍ୟାନ କୃଷି ନିର୍ଦ୍ଦେଶକ ଏବଂ ଓମଫେଡ୍ର ଏମଡି ଭାବେ ଅତିରିକ୍ତ ଦାୟିତ୍ୱ ମିଳିଥିବା ବେଳେ ଗୃହ ବିଭାଗର ଅତିରିକ୍ତ ସଚିବ ପ୍ରଣତି ଛୋଟରାୟଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରାଯାଇଛି। ସେହିପରି ମୃତ୍ତିକା ସଂରକ୍ଷଣ ଏବଂ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶକ ସୁବ୍ର କୁମାର ପଣ୍ଡାଙ୍କୁ ଓଡ଼ିଶା ଆଗ୍ରୋ ଇଣ୍ଡଷ୍ଟ୍ରିଜ୍ କର୍ପୋରେସନ୍ ଲିମିଟେଡ଼ର ଏମଡି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

ପ୍ରଶାସନିକ କାର୍ଯ୍ୟଦକ୍ଷତାକୁ ଆହୁରି ଅଧିକ ସୁଦୃଢ଼ କରିବା ପାଇଁ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି।

 

Leave a Reply

Your email address will not be published. Required fields are marked *