ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୧ତମ ଜନ୍ମବାର୍ଷିକୀ ତଥା ରାଷ୍ଟ୍ରୀୟ ଏକତା ଦିବସ’ ଉପଲକ୍ଷେ ଓଡ଼ିଶାର ୧୯ଟି ପୂର୍ବତନ ମାଓପ୍ରଭାବିତ ଜିଲ୍ଲାରୁ ପ୍ରାୟ ୧,୦୦୦ ଜଣ ଲୋକ ଗୁଜରାଟ ପାଇଁ ସ୍ୱତନ୍ତ୍ର ଟ୍ରେନରେ ଯାତ୍ରା ଆରମ୍ଭ କରିଛନ୍ତି । ଯେଉଁମାନେ କି ଏକତା ନଗରରେ ଶାନ୍ତି, ସୁରକ୍ଷା ଏବଂ ପ୍ରଗତିର ପ୍ରତୀକ ଭାବେ ଓଡ଼ିଶାର ପ୍ରତିନିଧିତ୍ୱ କରିବେ। ଆସନ୍ତା ଅକ୍ଟୋବର ୩୧ ତାରିଖରେ ହେବାକୁଥିବା ‘ରାଷ୍ଟ୍ରୀୟ ଏକତା ଦିବସ’ ପାଳନରେ ଯୋଗଦେବା ପାଇଁ ଭୁବନେଶ୍ୱରରୁ ଗୁଜରାଟର ଏକତା ନଗରୀ ଅଭିମୁଖେ ଯାଉଥିବା ଏହି ସ୍ୱତନ୍ତ୍ର ଟ୍ରେନ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ସ୍ୱତନ୍ତ୍ର ଯାତ୍ରାରେ ଭାଗ ନେଇଥିବା ନାଗରିକମାନେ ସେମାନଙ୍କ ଅଞ୍ଚଳରେ ମାଓହିଂସାର ଭୀଷଣତା ଏବଂ ପରବର୍ତ୍ତୀ ସମୟରେ ଶାନ୍ତି ଓ ବିକାଶ ଦ୍ୱାରା ଆସିଥିବା ସକରାତ୍ମକ ପରିବର୍ତ୍ତନର ଅନୁଭୂତି ବାଣ୍ଟିବେ। ଏହା ସହିତ ଏକତା ପରେଡ଼ ଏବଂ ସମାରୋହରେ ସାମିଲ ହୋଇ ଦେଶର ଅଖଣ୍ଡତା ଓ ଏକତାର ବାର୍ତ୍ତା ଦେବେ। ଏହି କାର୍ଯ୍ୟକ୍ରମ ମାଓବାଦୀଙ୍କ ବିରୋଧରେ ହୋଇଥିବା ଅଭିଯାନର ସଫଳତା ଏବଂ ଏଥିପାଇଁ ସୁରକ୍ଷାକର୍ମୀମାନଙ୍କ ଦ୍ୱାରା ଦିଆଯାଇଥିବା ମହାନ ବଳିଦାନକୁ ସ୍ମରଣ କରିବ। ଏହା ଓଡ଼ିଶାର ଏକ ସ୍ମରଣୀୟ ଏବଂ ଐତିହାସିକ ଯାତ୍ରା ହେବ ବୋଲି ବୋଲି ଆଶା କରାଯାଉଛି। ଏହି ଶୁଭାରମ୍ଭ ଅବସରରେ ଗଣମାଧ୍ୟମକୁ ବାର୍ତ୍ତା ଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ଯେ ଏକ ଅସାଧାରଣ ନେତୃତ୍ୱ ଓ ଦୃଢ଼ ସଂକଳ୍ପ ବଳରେ ସର୍ଦ୍ଦାର ପଟେଲ ଦେଶର ୫୫୦ରୁ ଅଧିକ ଦେଶୀୟ ରାଜ୍ୟକୁ ଏକତ୍ରିତ କରି ଆଜିର ଅଖଣ୍ଡ ଭାରତ ଗଠନ କରିଥିଲେ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ମସିହାରେ କ୍ଷମତାକୁ ଆସିବା ପରେ ପ୍ରତିବର୍ଷ ତାଙ୍କ ଜନ୍ମଦିବସକୁ ‘ରାଷ୍ଟ୍ରୀୟ ଏକତା ଦିବସ’ ଭାବେ ପାଳନ କରି ତାଙ୍କ ପ୍ରତି ଯଥାର୍ଥ ସମ୍ମାନ ପ୍ରଦର୍ଶନ କରିଆସୁଛନ୍ତି। ଚଳିତ ବର୍ଷର ଏହି ଜାତୀୟ ସ୍ତରୀୟ ଏକତା ପ୍ୟାରେଡ୍ ସମ୍ପୂର୍ଣ୍ଣ ନକ୍ସଲମୁକ୍ତ ଭାରତର ଚିତ୍ରକୁ ପ୍ରତିଫଳିତ କରିବ। ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦୃଢ଼ ନେତୃତ୍ୱ ଏବଂ ଦେଶ ତଥା ରାଜ୍ୟର ସୁରକ୍ଷା ବାହିନୀଙ୍କ ପ୍ରଚେଷ୍ଟା ଫଳରେ ଦେଶ ଏବଂ ଓଡ଼ିଶା ସମ୍ପୂର୍ଣ୍ଣ ନକ୍ସଲମୁକ୍ତ ହୋଇ ଦ୍ରୁତ ଗତିରେ ବିକାଶ ପଥରେ ଆଗେଇ ଚାଲିଛି। ମୁଖ୍ୟମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ନକ୍ସଲ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଭିତ୍ତିଭୂମି ନିର୍ମାଣ ସହିତ ସାମାଜିକ ଓ ଅର୍ଥନୈତିକ ବିକାଶକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଛି। ବିଶେଷ କରି ୧୦ଟି ପ୍ରଭାବିତ ଜିଲ୍ଲାରେ ‘ଗ୍ରାମୋଦୟ ପ୍ଲସ୍’ ଯୋଜନା ଜରିଆରେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ସମନ୍ୱିତ ଭାବେ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚାଯାଉଛି, ଯାହାଫଳରେ ସେମାନେ ମୁଖ୍ୟସ୍ରୋତରେ ସାମିଲ ହୋଇପାରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ‘ଏକ୍ ଭାରତ୍, ଶ୍ରେଷ୍ଠ ଭାରତ୍’ କଳ୍ପନାକୁ ସାକାର କରିବା ପାଇଁ ଦେଶର ୧୪୦ କୋଟି ଜନସାଧାରଣଙ୍କ ମିଳିତ ପ୍ରୟାସ ଜାରି ରହିଛି । ଏହି ଅବସରରେ ରାଜ୍ୟର ରେଳ ଭିତ୍ତିଭୂମି ସମ୍ପର୍କରେ ଏକ ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପୁରୀରୁ ମୟୂରଭଞ୍ଜର ବାଦାମପାହାଡ଼ ପର୍ଯ୍ୟନ୍ତ ଏକ ନୂତନ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ ପାଇଁ କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଆସନ୍ତା ନଭେମ୍ବର ମାସର ପ୍ରଥମ ସପ୍ତାହରେ ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ନୂତନ ରେଳସେବାର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଟ୍ରେନ୍ ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, କେନ୍ଦୁଝର ଏବଂ ମୟୂରଭଞ୍ଜ ଏହି ଛୋଟି ଜିଲ୍ଲା ମଧ୍ୟରେ ଯୋଗାଯୋଗ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। Post navigation Impact of Cyclone Arnab: ବାତ୍ୟା ‘ଅର୍ଣ୍ଣବ’ ପାଇଁ ଘୁଞ୍ଚିଲା OCS ମୁଖ୍ୟ ପରୀକ୍ଷା, ନୂଆ ସୂଚୀ ଜାରି କଲା OPSC Cyclone “Arnab”: ବାତ୍ୟା ଅର୍ଣ୍ଣବ ମୁକାବିଲା ପାଇଁ ମିଳିତ ଭାବେ ଆଗେଇ ଆସିବାକୁ ମନମୋହନ ସାମଲଙ୍କ ଆହ୍ଵାନ