ହୁର୍ମିଗୁଣ୍ଡା ଅଞ୍ଚଳରେ ପ୍ରସ୍ତାବିତ ଆଣବିକ ଶକ୍ତି ପ୍ରକଳ୍ପକୁ ନେଇ ସ୍ଥାନୀୟ ଅଞ୍ଚଳରେ ବିରୋଧର ସ୍ୱର ତୀବ୍ର ହେବାରେ ଲାଗିଛି।ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ର ହିର୍ମିମୁଣ୍ଡା ପଡ଼ିଆରେ ପ୍ରସ୍ତାବିତ ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟ ବିରୋଧରେ ଏକ ବିଶାଳ ଗଣସମାବେଶ ସଂଘଠିତ ହୋଇଯାଇଛି। ଆଣବିକ ଶକ୍ତି ପ୍ରକଳ୍ପ ପ୍ରତିରୋଧ ସଂଗ୍ରାମ ସମିତିର ଆହ୍ୱାନରେ ଆୟୋଜିତ ଏହି ସମାବେଶରେ ଜଳ, ଜମି, ଜଙ୍ଗଲ, ପରିବେଶ ଓ ସ୍ଥାନୀୟ ଲୋକଙ୍କ ଜୀବିକା ସୁରକ୍ଷାକୁ ମୁଖ୍ୟ ଦାବି ଭାବେ ଉପସ୍ଥାପନ କରାଯାଇଛି। କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାର ମାଟି, ପରିବେଶ ଏବଂ ସାଧାରଣ ଜନସାଧାରଣଙ୍କ ସ୍ୱାର୍ଥ ରକ୍ଷା ପାଇଁ ଏହି ପ୍ରକଳ୍ପକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଦାବିରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଲାଞ୍ଜିଗଡ଼ର ମାନ୍ୟବର ବିଧାୟକ ତଥା ବିଜୁ ଜନତା ଦଳ କଳାହାଣ୍ଡିର ଜିଲ୍ଲା ସଭାପତି ପ୍ରଦୀପ କୁମାର ଦିଶାରୀ ଏବଂ ଜୋନ୍ ନଂ-୨ ର ଜିଲ୍ଲା ପରିଷଦ ସଦସ୍ୟ ଦେବ ପୂଜାରୀଙ୍କ ସହିତ କଂଗ୍ରେସର ବହୁ ପ୍ରମୁଖ ନେତୃବୃନ୍ଦ, କୃଷକ ଓ ମହିଳା ସଂଗଠନ ଏବଂ ବହୁ ସାମାଜିକ ସଂଗଠନର କର୍ମକର୍ତ୍ତାମାନେ ଏକତ୍ରିତ ହୋଇ ପ୍ରକଳ୍ପ ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି। ନିଜର ମାଟି, ପରିବେଶ ଓ ଅଧିକାରର ସୁରକ୍ଷା ପାଇଁ ସମସ୍ତେ ଏକଜୁଟ ହୋଇ ଆଗାମୀ ଦିନରେ ଏହି ଆଣବିକ ପ୍ରକଳ୍ପକୁ ରଦ୍ଦ କରିବା ପାଇଁ ସଂଗ୍ରାମ ଜାରି ରଖିବାକୁ ଦୃଢ଼ ସଂକଳ୍ପ ପ୍ରକାଶ କରିଛନ୍ତି। ସଭାରେ ଅଭିଯୋଗ ହୋଇଛି ଯେ, ସରକାରୀ ସଂସ୍ଥା ଏନ୍ଟିପିସି ଦ୍ୱାରା ତେନ୍ତୁଳିଖୁଣ୍ଟି ବ୍ଲକ୍ ପୂଜାରୀଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ହିର୍ମିମୁଣ୍ଡାରେ ଏହି ପ୍ରକଳ୍ପ ପାଇଁ ସର୍ଭେ କାର୍ଯ୍ୟ ଚାଲୁ ରହିଛି । ସ୍ଥାନୀୟ ବାସିନ୍ଦାଙ୍କୁ କୌଣସି ସୂଚନା ନଦେଇ ବିଭିନ୍ନ ଏଜେନ୍ସି ଜରିଆରେ ଜମି, ଭୂତଳ ଜଳସ୍ତର ଓ ଭୌଗୋଳିକ ସ୍ଥିତିର ପରୀକ୍ଷା ନିରୀକ୍ଷା କରାଯାଉଛି । ଗ୍ରାମସଭା କିମ୍ବା ପଲ୍ଲୀସଭାରେ ସ୍ଥାନୀୟ ଲୋକଙ୍କ ମତାମତ ନନେଇ ଏଭଳି ଏକ ବୃହତ୍ ପ୍ରକଳ୍ପ ପାଇଁ ପ୍ରସ୍ତୁତି ଚାଲିଥିବାରୁ ସେମାନେ ଦୃଢ଼ ଆପତ୍ତି ପ୍ରକାଶ କରିଛନ୍ତି । ବିଜେଡି ରାଜ୍ୟ ଆଦିବାସୀ ସେଲ୍ର କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ କହିଛନ୍ତି ଯେ, ନବରଙ୍ଗପୁର ଜିଲ୍ଲାରେ ପ୍ରସ୍ତାବିତ ଏହି ଆଣବିକ ପ୍ରକଳ୍ପକୁ ନେଇ ଜନଅସନ୍ତୋଷ ଓ ବିରୋଧ ଆହୁରି ତୀବ୍ର ହୋଇଛି । ଏହି ପ୍ରକଳ୍ପ ପଛରେ ଭାରତୀୟ ଜନତା ପାର୍ଟିର ସମର୍ଥନ ରହିଛି। ଯଦି ସରକାର ଏହି ପ୍ରସ୍ତାବକୁ ତୁରନ୍ତ ପ୍ରତ୍ୟାହାର ନକରନ୍ତି, ତେବେ ଜିଲ୍ଲାବ୍ୟାପୀ ଗଣଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ସଂଗ୍ରାମ ସମିତି ଦୃଢ଼ ଚେତାବନୀ ଦେଇଛି। Post navigation Odisha Govt Ready for Possible Cyclone: ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର: ସୁରେଶ ପୂଜାରୀ Para Asian Games 2026: ପାରା ଏସିଆନ୍ ଗେମ୍ସ: ଓଡ଼ିଆ ପୁଅ ପ୍ରମୋଦ ଭଗତ ଜିତିଲେ ରୌପ୍ୟ ପଦକ