ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯାଜପୁର ଜିଲ୍ଲା ବଡ଼ଚଣା R&B ସବ-ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ତପନ ସେଠୀଙ୍କ ବିଭିନ୍ନ ଠିକଣାରେ ଆଜି ଗୁରୁବାର ସକାଳୁ ଭିଜିଲାନ୍ସ ପକ୍ଷରୁ ଏକାକାଳୀନ ଚଢ଼ଉ ଜାରି ରହିଛି।

ଏହି ବିଶାଳ ସର୍ଚ୍ଚ ଅପରେସନରେ ୩ ଜଣ ଅତିରିକ୍ତ ଏସପି, ୬ ଜଣ ଡିଏସପି, ୩ ଜଣ ଇନ୍ସପେକ୍ଟରଙ୍କ ସମେତ ବହୁ ସଂଖ୍ୟକ ଭିଜିଲାନ୍ସ କର୍ମଚାରୀ ସାମିଲ ଅଛନ୍ତି। କଟକ, ଭୁବନେଶ୍ୱର, ପୁରୀ ଏବଂ ଯାଜପୁର ଜିଲ୍ଲାରେ ତାଙ୍କର ମୋଟ ୭ଟି ଭିନ୍ନ ଭିନ୍ନ ସ୍ଥାନରେ ଏହି ଯାଞ୍ଚ ପ୍ରକ୍ରିୟା ଜାରି ରହିଛି।

ତଦନ୍ତ ପ୍ରକ୍ରିୟା ମଧ୍ୟରେ କଟକ ସିଡିଏ ସେକ୍ଟର-୭ ରେ ଥିବା ଆଲିଶାନ୍‌ ତିନି ମହଲା କୋଠା, ପୁରୀ ସିଦ୍ଧମହାବୀର ଅଞ୍ଚଳର ଅନ୍ୟ ଏକ ତିନି ମହଲା ଘର, କଟକ କଣ୍ଟାପଡ଼ାରେ ଥିବା ଫାର୍ମହାଉସ୍, କୋଣାର୍କ ନିକଟସ୍ଥ ଝିଙ୍କିରିଆ ଗ୍ରାମରେ ଥିବା ପୈତୃକ ଦୁଇ ମହଲା ବାସଭବନ, ୪୨ ମୌଜାରେ ଥିବା ଶ୍ୱଶୁର ଘର, ଭୁବନେଶ୍ୱର କାନ୍ତବାଡ଼ାର ଦୁଇ ମହଲା ଘର ଏବଂ ବଡ଼ଚଣାସ୍ଥିତ ତାଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ଟିମ୍‌ ଚଢ଼ଉ ଚଳାଇଛନ୍ତି।

ଫଳରେ ସମ୍ପୃକ୍ତ ଯନ୍ତ୍ରୀଙ୍କ କୋଟି କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ସହ ବିପୁଳ ପରିମାଣର କାଗଜପତ୍ର ଜବତ ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ସୁଦ୍ଧା ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ଯାଞ୍ଚ ଶେଷ ହେବା ପରେ ମୋଟ ଦୁର୍ନୀତିର ପରିମାଣ ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *