ସୀମାନ୍ତ କୋଟିଆ ଅଞ୍ଚଳରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ନିର୍ବାଚନ ଘୋଷଣା କରାଯିବା ପରେ ଓଡ଼ିଶା ରାଜନୀତି ଗରମାଗରମ ହୋଇପଡ଼ିଛି। ଓଡ଼ିଶାର ଏହି ଅବିଚ୍ଛେଦ୍ୟ ଅଙ୍ଗରେ ପଡ଼ୋଶୀ ରାଜ୍ୟର ଅନୁପ୍ରବେଶକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରିବା ସହ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ପତ୍ର ମାଧ୍ୟମରେ ସେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ, କେନ୍ଦ୍ରୀୟ ଚାପ ଏବଂ ଶାସକ ଦଳର ପୂର୍ବ ପ୍ରତିଶ୍ରୁତିକୁ ନେଇ କଠୋର ପ୍ରଶ୍ନବାଣ ମାରିଛନ୍ତି। ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଗତ ୨୦୨୪ ନିର୍ବାଚନ ପୂର୍ବରୁ ବିଜେପି ନିଜ ଇସ୍ତାହାରରେ ‘ଡବଲ୍ ଇଞ୍ଜିନ୍ ସରକାର’ ଆସିଲେ କୋଟିଆ ସମସ୍ୟାର ଚିରସ୍ଥାୟୀ ସମାଧାନ କରିବା ସହ ଓଡ଼ିଶାର ସ୍ୱାଭିମାନକୁ ବଜାୟ ରଖିବ ବୋଲି ବଡ଼ ବଡ଼ ପ୍ରତିଶ୍ରୁତି ଦେଇଥିଲା। ଏପରିକି ବିଜେପି ନେତାମାନେ ‘ଗୋ ବ୍ୟାକ୍ ଆନ୍ଧ୍ର’ ନାରା ଦେଇ କୋଟିଆ ଓଡ଼ିଶାର ବୋଲି ଦାବି କରୁଥିଲେ। ମାତ୍ର ଆଜି ରାଜ୍ୟରେ ଡବଲ୍ ଇଞ୍ଜିନ୍ ସରକାର ଥାଇ ମଧ୍ୟ ଆନ୍ଧ୍ରପ୍ରଦେଶ କୋଟିଆରେ ନିର୍ବାଚନ କରିବାକୁ ସାହସ କରୁଥିବା ବେଳେ ଓଡ଼ିଶା ସରକାରଙ୍କ ନୀରବତା ଅତ୍ୟନ୍ତ ନିନ୍ଦନୀୟ ବୋଲି ସେ ଦର୍ଶାଇଛନ୍ତି। ଏହି ନୀରବତା ପଛରେ ଗୁରୁତର ରାଜନୈତିକ ସ୍ୱାର୍ଥ ରହିଥିବା ନେଇ ଅଭିଯୋଗ ଆଣି ନବୀନ ଲେଖିଛନ୍ତି ଯେ, ଆନ୍ଧ୍ରପ୍ରଦେଶର ଶାସନରତ ତେଲୁଗୁ ଦେଶମ୍ ପାର୍ଟି କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ NDA ସରକାରଙ୍କ ଗାଦି ବଞ୍ଚାଇବା ପାଇଁ ଏକ ଅତ୍ୟାବଶ୍ୟକୀୟ ସହଯୋଗୀ ଦଳ। କେନ୍ଦ୍ର ସରକାରଙ୍କ ବହୁମତ ବଜାୟ ରଖିବାର ଏହି ରାଜନୈତିକ ନିର୍ଭରଶୀଳତା ଯୋଗୁଁ ହିଁ ଓଡ଼ିଶାର ବିଜେପି ସରକାର ନିଜ ରାଜ୍ୟର ସାର୍ବଭୌମତ୍ୱ ଓ ସ୍ୱାର୍ଥକୁ ବଳି ପକାଉଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି। ଏହା ସହିତ ଗତ ୨୦୨୫ ମସିହାରେ ଗଠିତ ଉଚ୍ଚସ୍ତରୀୟ ୧୬ ଜଣିଆ କୋଟିଆ କମିଟିର ସୁପାରିଶ ଏବଂ ତାହାର କାର୍ଯ୍ୟକାରିତା ଉପରେ ସରକାର ନିଜର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ବୋଲି ସେ ଦାବି କରିଛନ୍ତି। ‘ଗୋ ବ୍ୟାକ୍ ଆନ୍ଧ୍ର’ ନାରା କେବଳ ଭୋଟ୍ ହାତେଇବାର ଏକ ନିର୍ବାଚନୀ ଗିମିକ୍ ଥିଲା କି ବୋଲି ସେ କଟାକ୍ଷ କରିବା ସହ ଓଡ଼ିଶାର ସୀମା ଓ ସ୍ୱାଭିମାନ ରକ୍ଷା ପାଇଁ ରାଜ୍ୟ ସରକାର ତୁରନ୍ତ ଏକ ଦୃଢ଼ ଓ ନିର୍ଣ୍ଣାୟକ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି। Post navigation Women Protest Against Illicit Alcohol: ନବରଙ୍ଗପୁରରେ ମଦ ବିରୋଧ; ରାଜରାସ୍ତାରେ ଗର୍ଜିଲେ ହଜାର ହଜାର ମହିଳା Odisha CM Skips puja Pandal Visits: ଚଳିତ ବର୍ଷ ପୂଜା ମଣ୍ଡପ ବୁଲିବେ ନାହିଁ ମୁଖ୍ୟମନ୍ତ୍ରୀ; ନିରାଡମ୍ବର ଭାବେ ଦୁର୍ଗା ପୂଜା ପାଳନ ପାଇଁ ନିଷ୍ପତ୍ତି