ନବରଙ୍ଗପୁର ଜିଲ୍ଲାରେ ବେଆଇନ ମଦ ବିକ୍ରି ଏବଂ ଏହାର କୁପ୍ରଭାବ ବିରୋଧରେ ହଜାର ହଜାର ମହିଳା ରାଜରାସ୍ତାକୁ ଓହ୍ଲାଇଛନ୍ତି। ଜିଲ୍ଲା ନାରୀ ମହାସଂଘର ଆହ୍ୱାନକ୍ରମେ ଗ୍ରାମାଞ୍ଚଳ ଓ ପଞ୍ଚାୟତରୁ ଆସିଥିବା ହଜାର ହଜାର ଆଦିବାସୀ ତଥା ସାଧାରଣ ମହିଳା ଏକାଠି ହୋଇ ରାଜରାସ୍ତାକୁ ଓହ୍ଲାଇଥିଲେ। ଜିଲ୍ଲାର ସମସ୍ତ ୧୦ଟି ବ୍ଲକରୁ ଆସିଥିବା ହଜାର ହଜାର ମହିଳାମାନେ ଏକାଠି ହୋଇ ବିଶାଳ ରାଲି କରି ୧୦ ଦଫା ଦାବିପତ୍ର ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଦାନ କରିଛନ୍ତି। ଆସନ୍ତା ୧୫ ଦିନ ମଧ୍ୟରେ ଦାବିଗୁଡ଼ିକ ଉପରେ ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି। ଦାବି ପୂରଣ ନହେଲେ ସମସ୍ତ ବ୍ଲକର ଥାନା ଘେରାଉ କରାଯିବ ବୋଲି ନାରୀ ମହାସଂଘ ଚେତାବନୀ ଦେଇଛି। ଅଭିଯୋଗ ଅନୁଯାୟୀ, ଗ୍ରାମାଞ୍ଚଳରେ ଦିନକୁ ଦିନ ବେଆଇନ ଦେଶୀ ଓ ବିଦେଶୀ ମଦ ବେପାର ବୃଦ୍ଧି ପାଉଥିବାରୁ ସାମାଜିକ ଶାନ୍ତି ସମ୍ପୂର୍ଣ୍ଣ ଭାବେ ବ୍ୟାହତ ହେଉଛି। ମଦ୍ୟପାନ ଯୋଗୁଁ ପରିବାର ମଧ୍ୟରେ କଳହ, ସ୍ୱାମୀ-ସ୍ତ୍ରୀ ଓ ବାପ-ପୁଅଙ୍କ ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହେବା ସହ ମହିଳାମାନଙ୍କୁ ଗାଳିଗୁଲଜ ଓ ଧମକଚମକ ଦେବା ଭଳି ଅଘଟଣ ଘଟୁଛି, ଯାହା ସାମାଜିକ ବାତାବରଣକୁ କଳୁଷିତ କରୁଛି। ଏଥି ସହିତ ଗ୍ରାମସଭାର ଅନୁମତି ଓ ଅବକାରୀ ବିଭାଗର ନିୟମ ଉଲ୍ଲଂଘନ କରି କେତେକ ମଦ ଦୋକାନ ଓ ଭାଟି ଚାଲୁଥିବା ଅଭିଯୋଗ ଆଣିଛି ମହାସଂଘ। ଏହାର ନିରପେକ୍ଷ ତଦନ୍ତ କରି ଅନୁମତିବିହୀନ ମଦ ଦୋକାନ ବନ୍ଦ କରିବା ଏବଂ ବେଆଇନ ମଦ ବେପାରୀଙ୍କୁ ସମ୍ପୂର୍ଣ୍ଣ ସିଜ୍ କରିବାକୁ ମଧ୍ୟ ଦାବି କରାଯାଇଛି। ନାରୀ ମହାସଂଘ ପକ୍ଷରୁ କୁହାଯାଇଛି ଯେ ଜିଲ୍ଲାକୁ ସମ୍ପୂର୍ଣ୍ଣ ମଦମୁକ୍ତ ଘୋଷଣା କରିବା ସହ ନାରୀ ମହାସଂଘ ଓ ପୋଲିସକୁ ନେଇ ଏକ ମିଳିତ କମିଟି ଗଠନ କରାଯାଉ। ବେଆଇନ ମଦ ବେପାରୀଙ୍କ ସମ୍ପତ୍ତି ବାଜ୍ୟାପ୍ତ ପାଇଁ ଆଇନସଙ୍ଗତ ପଦକ୍ଷେପ ନିଆଯାଉ ଏବଂ ଅଭିଯୁକ୍ତମାନେ ଭବିଷ୍ୟତରେ ଏପରି କାରବାର ନକରିବା ପାଇଁ ଲିଖିତ ସଂକଳ୍ପପତ୍ର ଦିଅନ୍ତୁ। ଏହା ସହିତ ଅଭ୍ୟାସଗତ ମଦ ବେପାରୀଙ୍କ ବିରୋଧରେ ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କରିବା, ମଦ ବିରୋଧୀ ଆନ୍ଦୋଳନରେ ସାମିଲ ମହିଳାଙ୍କ ବିରୋଧରେ ହୋଇଥିବା ମିଥ୍ୟା ଅଭିଯୋଗର ତଦନ୍ତ କରିବା, ଏବଂ ସେମାନଙ୍କୁ ଆକ୍ରମଣ କିମ୍ବା ହତ୍ୟା ଧମକ ଦେଉଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରାଯାଇଛି। ଥାନାରେ ପଡ଼ିରହିଥିବା ଅଭିଯୋଗଗୁଡ଼ିକର ତ୍ୱରିତ ତଦନ୍ତ କରିବା, ମଦ୍ୟପାନ କରି ଅଶାନ୍ତି ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବା ଏବଂ ଜିଲ୍ଲାରେ ମଦମୁକ୍ତ ପରିବେଶ ସୃଷ୍ଟି କରି ମହିଳା ସୁରକ୍ଷା ଓ ଶାନ୍ତି ବଜାୟ ରଖିବା ପାଇଁ ଅନୁରୋଧ କରାଯାଇଛି। ଏହିସବୁ ଦାବି ନେଇ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। Post navigation एशियन पैरा गेम्स 2026 में मोना अग्रवाल ने जीता गोल्ड, अवनी लेखरा ने हासिल किया सिल्वर मेडल Kotia Dispute: କୋଟିଆ ବିବାଦକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ