ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀ ସନ୍ଥ ଗୋପାଲନଙ୍କ ସ୍ବେଛାକୃତ ଅବସର ନେବା ନିଷ୍ପତ୍ତି ବିଷୟରେ ଆଜି କଂଗ୍ରେସ ଭବନଠାରେ ଗଣମାଧ୍ୟମକୁ ବିବୃତ୍ତି ଦେଇ ପୂର୍ବତନ ବିଧାୟକ ତଥା ଓପିସିସି ଉପସଭାପତି ଡ଼ ଦେବାଶିଷ ପଟ୍ଟନାୟକ କହିଛନ୍ତି ଯେ, ଦେଶର ମୁଖ୍ୟ ନିର୍ବାଚନ ଅଧିକାରୀ ଜ୍ଞାନେଶ କୁମାରଙ୍କ ବିରୋଧରେ ଏସଆଇଆର ସଂଶୋଧନ ପ୍ରକ୍ରିୟା ଜାଲିଆତିକୁ ନେଇ ଦେଶସାରା ଆନ୍ଦୋଳନ ସୃଷ୍ଟି ହୋଇଥିବା ବେଳେ ଓଡିଶା ନିର୍ବାଚନ ଅଧିକାରୀଙ୍କ ସ୍ବେଛାକୃତ ଅବସର ଅପିଲ ଘୋର ସନ୍ଦେହ ଘେରକୁ ଆସିଛି । ଏହା ସ୍ପଷ୍ଟ ହେଉଛି ଯେ ସନ୍ଥ ଗୋପାଲନଙ୍କ ଉପରେ ବେଆଇନ କାମ କରିବା ପାଇଁ ଚାପ ସୃଷ୍ଟି ହୋଇଛି ଯାହା ତାଙ୍କ ନୈତିକତା ବାହାରେ । ତେଣୁ ସେ ଅବସର ନେବାପାଇଁ ବାଧ୍ୟ ହୋଇଛନ୍ତି । ପୂର୍ବରୁ ଭୁବନେଶ୍ୱର ଡିସିପି ମୀନା ମଧ୍ୟ ସ୍ବେଛାକୃତ ଚାକିରି ତ୍ୟାଗ କରିଛନ୍ତି ।

ସେ ଆଉ ମଧ୍ୟ କହିଛନ୍ତି ଏହା ଜଣା ପଡୁଛି ବିଜେପିର ଡବଲ ଇଞ୍ଜିନ ସରକାରର ବୋଲକରା, ଖୋସାମଦକାରୀ, ଲାଞ୍ଚୁଆ, ଦୁର୍ନୀତିଯୁକ୍ତ ଓ ବିଭିନ୍ନ କେଶରେ ଚାପିହୋଇ ରହିଥିବା ଭୟଗ୍ରସ୍ତ ଅଫିସର କେବଳ ରହିବେ । ଭବିଷ୍ୟତରେ ସଚ୍ଚୋଟ, ନିର୍ଭୀକ ଓ କର୍ତ୍ତବ୍ୟପରାୟଣ ସବୁ ଅଫିସର ଗୋଟି ଗୋଟି ହୋଇ ଚାକିରି ଛାଡ଼ିବେ । ମୁଖ୍ୟମନ୍ତ୍ରୀଙ୍କ କଥା ମନ୍ତ୍ରୀ ମାନୁ ନାହାନ୍ତି, ମନ୍ତ୍ରୀଙ୍କ କଥା ବିଧାୟକ ଶୁଣୁନାହାନ୍ତି । ଯିଏ ଯାହା ହିସାବରେ ମନଇଚ୍ଛା ଶାସନ ଡୋରୀ ଧରିଛି ଫଳରେ ଏହି ଅନୈତିକ ଶାସନରେ କୌଣସି ସଚ୍ଚୋଟ ଅଫିସର ଆଉ କାର୍ଯ୍ୟ କରିବାକୁ ମଙ୍ଗୁନାହାନ୍ତି ।

ସନ୍ଥ ଗୋପାଲନ ଏଭଳି ଏକ ସମୟରେ କାହିଁକି ସ୍ବେଛାକୃତ ଅବସର ଘୋଷଣା କରିଛନ୍ତି ତାହା ନିଶ୍ଚୟ ଏସଆଇରକୁ ନେଇ ପ୍ରବଳ ଚାପ ହୋଇଥିବ ବୋଲି ଦେବାଶିଷ ପଟ୍ଟନାୟକ ପ୍ରକାଶ କରିଛନ୍ତି ।

ସେ କହିଛନ୍ତି ଯେ, ଧୀରେ ଧୀରେ କର୍ତ୍ତବ୍ୟପରାୟଣ ଅଫିସର ଶାସନରୁ ଦୁରେଇ ଯିବା ରାଜ୍ୟ ସରକାରଙ୍କ ଅଯୋଗ୍ୟତାକୁ ଦର୍ଶାଉଛି ଏବଂ ଏତଦ୍ୱାରା ରାଜ୍ୟର ବିକାଶ ଉପରେ ଗୁରୁତର ବାଧା ସୃଷ୍ଟି ହେଉଛି ।

Leave a Reply

Your email address will not be published. Required fields are marked *