low-pressure-area-in-bob-depression-likely-on-sept-21-deep-depression-on-sept-22
ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି । ଆଜି ସନ୍ଧ୍ୟା ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।
 
ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ପବନ ସମ୍ପର୍କିତ ସତର୍କ ସୂଚନା ଜାରି କରାଯାଇଛି। ସେପ୍ଟେମ୍ବର ୧୯ ତାରିଖରେ ଆଣ୍ଡାମାନ ସାଗରରେ ଘଣ୍ଟାପ୍ରତି ୪୦-୫୦ କି.ମି. ବେଗରେ ପବନ ବହିବା ସହ ଝଟକା ପବନର ବେଗ ୬୦ କି.ମି. ପର୍ଯ୍ୟନ୍ତ ପହଞ୍ଚିବାର ଅତ୍ୟନ୍ତ ସମ୍ଭାବନା ରହିଛି ।
 
ଲଘୁଚାପଟି ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବା ସହ କ୍ରମଶଃ ଘନୀଭୂତ ହେବ । ଆସନ୍ତା ୨୧ ତାରିଖ ବେଳକୁ ଏହା ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତର ରୂପ ନେଇପାରେ । ପରବର୍ତ୍ତୀ ସମୟରେ ଏହା ଆହୁରି ଘନୀଭୂତ ହୋଇ ୨୨ ତାରିଖ ବେଳକୁ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି ।
 
ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି ଜାରି ରଖି ଉପକୂଳ ଆଡ଼କୁ ମୁହାଁଇବ । ଏହାର ପ୍ରଭାବରେ ଓଡ଼ିଶା ଉପକୂଳ ଓ ଦକ୍ଷିଣ ଓଡ଼ିଶାର ପାଣିପାଗ ଉପରେ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି ।
 
୨୩ ତାରିଖ ସକାଳ ସୁଦ୍ଧା ଏହା ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ଉପକୂଳ ନିକଟତର ହେବାର ପୂର୍ବାନୁମାନ ରହିଛି ।
 
ସେପ୍ଟେମ୍ବର ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ପଶ୍ଚିମ-କେନ୍ଦ୍ରୀୟ ଓ ଏହାର ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଆନ୍ଧ୍ରପ୍ରଦେଶ, ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ତଥା ଉପକୂଳ ନିକଟ ସମୁଦ୍ରରେ ଏହି ସତର୍କତା ଜାରି ରହିବ।
 
୨୦ରୁ ୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି । ୨୦ ସେପ୍ଟେମ୍ବର ସନ୍ଧ୍ୟା ସୁଦ୍ଧା ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରରୁ ଫେରି ଉପକୂଳକୁ ଆସିବାକୁ ପରାମର୍ଶ ଦିଆଯାଇଛି ।

By Nirvay

Leave a Reply

Your email address will not be published. Required fields are marked *