ତେଲକୋଇ ବିଧାୟକ ତଥା କେନ୍ଦୁଝର ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଡଃ ଫକୀର ମୋହନ ନାୟକଙ୍କୁ ଆକ୍ରମଣ ଏବଂ ଜୀବନରୁ ମାରିଦେବାର ନିରନ୍ତର ଧମକ ମିଳୁଥିବା ନେଇ ଏକ ଗମ୍ଭୀର ଅଭିଯୋଗ ସାମ୍ନାକୁ ଆସିଛି। ଏହି ଘଟଣାକୁ ନେଇ ସେ ନିଜର ଓ ନିଜ ଦଳୀୟ କର୍ମୀଙ୍କ ଜୀବନପ୍ରତି ବିପଦ ଥିବା ଦର୍ଶାଇ ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା ବିଧାନସଭାର ବାଚସ୍ପତିଙ୍କ ନିକଟରେ ଗୁହାରି କରିଛନ୍ତି।

ବିଧାୟକ ଡଃ ନାୟକ ଅଭିଯୋଗ କରିଛନ୍ତି ଯେ, କିଛି ଅସାମାଜିକ ତତ୍ତ୍ୱ ସୋସିଆଲ ମିଡିଆରେ ଗ୍ରାଫିକ୍ସ ଏଡିଟେଡ୍ ପୋଷ୍ଟ ଶେୟାର କରି ତାଙ୍କୁ ଏବଂ ତାଙ୍କ କର୍ମୀମାନଙ୍କୁ ସଶସ୍ତ୍ର ଆକ୍ରମଣ କରିବାକୁ ଖୋଲାଖୋଲି ଧମକ ଦେଉଛନ୍ତି।

ଏଥି ସହିତ ଦଳୀୟ ବୈଠକ ଚାଲିଥିବା ସମୟରେ ମଣ୍ଡଳ ସଭାପତି ସୁକୁରା ମୁଣ୍ଡା ଏବଂ କର୍ମୀ ରଶ୍ମିକାନ୍ତ ବେହେରାଙ୍କ ଉପରେ ସାଂଘାତିକ ଆକ୍ରମଣ ହୋଇଥିଲା। ଏନେଇ ପୋଲିସ ଷ୍ଟେସନରେ ଏଫ୍‌ଆଇଆର୍‌ ରୁଜୁ ହୋଇଛି। ଏହା ସହ ଫୁଲଝର ପଞ୍ଚାୟତରେ ଅନ୍ୟ ଏକ ଆକ୍ରମଣ ଘଟିଥିଲା, ଯାହାଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କର ପରିବେଶ ସୃଷ୍ଟି ହୋଇଛି।

ଏହି ସଂବେଦନଶୀଳ ଘଟଣାକୁ ଗୁରୁତ୍ୱର ସହ ନେଇ ଓଡ଼ିଶା ବିଧାନସଭା ସଚିବାଳୟ ପକ୍ଷରୁ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଜରୁରୀ ପତ୍ର ଲେଖାଯାଇଛି।

ବିଧାୟକଙ୍କ ଦାବିଗୁଡ଼ିକ ହେଲା:

୧. ତାଙ୍କୁ ଏବଂ ତାଙ୍କ ସହଯୋଗୀଙ୍କୁ ତୁରନ୍ତ ଆବଶ୍ୟକ ସୁରକ୍ଷା ଯୋଗାଇ ଦିଆଯାଉ।

୨. ସୋସିଆଲ ମିଡିଆରେ ଭୟପ୍ରଦର୍ଶନକାରୀ ଓ ଗ୍ରାଫିକ୍ସ ପୋଷ୍ଟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

୩. ହରିଚନ୍ଦନପୁର ଓ ତେଲକୋଇ ବ୍ଲକରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ ପ୍ରତିଷେଧକ ମୂଳକ ପଦକ୍ଷେପ ନିଆଯାଉ।

ଏହି ସମସ୍ତ ବିଷୟରେ କେନ୍ଦୁଝର ଆରକ୍ଷୀ ଅଧୀକ୍ଷକଙ୍କୁ ଜଣାଯାଇଥିବା ବେଳେ ବାଚସ୍ପତି ଏବଂ ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ଲୋଡ଼ାଯାଇଛି।

Leave a Reply

Your email address will not be published. Required fields are marked *