୨୦୦୨ରେ ବାଜପେୟୀ ସରକାର ଦେଳେ ଏନ୍‌ଜିଓ ଲାଞ୍ଚ ଦିବାଦରେ ଫଶିଥିଲେ ତତ୍କାଳୀନ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ। ସଂସଦରେ ପ୍ରବଳ ଝଡ଼ ଉଠିଥିଲା ଜୁଏଲଙ୍କୁ ନେଇ । ଏବେ ନରେନ୍ଦ୍ର ମୋଦୀ ସରକାରରେ ଆଉ ଏକ ବଡ଼ ବିବାଦ ଝଡ଼ରେ ଫଶିଛନ୍ତି ଜୁଏଲ । ଏଥର ଜଣେ ମହିଳାଙ୍କୁ ନେଇ ।

ଜୁଏଲଙ୍କ ନାମ ନନେଇ ଭାଜପାକୁ ପଶିଆସିଥିବା କୌଣସି ନେତାଙ୍କ ନାମ କାଢିଦେବା ପାଇଁ କୌଣସି ନେତାଙ୍କ ହାତ କାଟିଦେବା ପାଇଁ ଏବଂ ପୋଡ଼ି ଜାଳିଦେବା ଲାଗି ଧମକ ଦେବା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିସାରିଛି। ଏକଥା ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୁ ଆସିଛି। ତେବେ ତଥ୍ୟାଭିଜ୍ଞ ମହଲ ମନେକରନ୍ତି ଯେ ତାଙ୍କ ଜିଲ୍ଲା ପ୍ରତିନିଧି ଖୁସବୁ ଯାଦବଙ୍କୁ ସୁରକ୍ଷା ଦେବାକୁ ଯାଇ ତାଙ୍କରି ଜାଲରେ ଫଶିଯାଇଛରି ହୁଏଲ। ଏଥିପାଇଁ ସେ ଅଦାଲତକୁ ଟଣା ହୋଇପାରନ୍ତି ବୋଲି ମଧ୍ୟ ଆଶଙ୍କା ଉପୁଜିଛି।

ବିଭିନ୍ନ ଏନ୍‌ଜିଓମାନଙ୍କଠାରୁ ନେବା ଅଭିଯୋଗ ଉଠାଇଥିଲେ ତତ୍କାଳୀନ ନେତା ପ୍ରତିପକ୍ଷ ଡ. ମନମୋହନ ସିଂ ଏବଂ ମାକପା ସାଂସଦ ସରଳା ମାହେଶ୍ୱରୀ । ଅରୁଣାଚଳପ୍ରଦେଶର ଗୋଟିଏ ଏନ୍‌ଜିଓକୁ ସରକାରୀ ଅନୁଦାନ ଓ ପାଣ୍ଠି ଦେବା ବଦଳରେ କମିଶନ ବା ଲାଞ୍ଚ ମାଗିବା ଅଭିଯୋଗ ଉପରେ ସଂସଦରେ ଝଡ଼ ଉଠିଥିଲା ଓ ହଙ୍ଗାମା ହୋଇଥିଲା । ୨୦୦୨ ଜୁଲାଇ ୧୯ ତାରିଖରେ ଉଭୟ ସଦନରେ ଜୁଏଲ୍‌ଙ୍କୁ ନେଇ ଝଡ଼ ଉଠିବା ପରେ ଜୁଏଲ୍‌ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ସାକ୍ଷାତ କରି ସ୍ପଷ୍ଟୀକରଣ ଦେଇଥିଲେ । ଯେଉଁ ଏନ୍‌ଜିଓ କଥା ଉଠିଛି, ସେ ଅଭିଯୋଗ ପୁରୁଣା ଓ ଏହାର ସମାଧାନ ହୋଇଯାଇଛି ବୋଲି ସେତେବେଳେ ସଫେଇ ଦେବାକୁ ପଡ଼ିଥିଲା ଜୁଏଲ୍‌ଙ୍କୁ।

ଏବେ ବିବାଦ ଅତ୍ୟନ୍ତ ଗଭୀର ଓ ଗମ୍ଭୀର। କୌଣସି ସମୟରେ କୌଣସି ପକ୍ଷ ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍‌ଙ୍କଠାରୁ ସ୍ପଷ୍ଟୀକରଣ ଦାବି କରି ନଥିଲେ । ପ୍ରଥମ ବିବାଦ ଉଠିଥିଲା ତାଙ୍କର ଆରଏମ୍ ପ୍ରତିନିଧି ପ୍ରକାଶ ପାଶ୍ୱାନଙ୍କୁ ନେଇ। ରାଉରକେଲା ସର୍କିଟ୍ ହାଉସ୍ ଘଟଣାରେ ପାଶ୍ୱାନ ଫେରାର ହୋଇଥିଲେ ଓ ପରେ ବିହାରରୁ ଗିରଫ ହେଲେ । ସେ ଏବେ ଜେଲ୍‌ରେ । ଭାଜପା ତାଙ୍କୁ ଦଳରୁ ନିଲମ୍ବନ କରିଛି ।

ଦ୍ଵିତୀୟ ବିବାଦଟି ଉଠିଲା ଖୁସ୍‌ବୁ ଯାଦବଙ୍କୁ ନେଇ । ଖୁସ୍‌ବୁ ଯାଦବ ମନ୍ତ୍ରୀଙ୍କର ଅତିରିକ୍ତ ବ୍ୟକ୍ତିଗତ ସଚିବ ନାହାନ୍ତି ବୋଲି ଆର୍‌ଟିଆଇ ତଥ୍ୟ ଆଧାରରେ ସାମାଜିକ ଗଣମାଧ୍ୟମରେ ଖବର ପ୍ରସାରିତ ହେଲା । କିନ୍ତୁ କାହିଁକି କେଜାଣି ବିବାଦ ଭିତରକୁ ଡେଇଁ ପଡ଼ିଲେ ମନ୍ତ୍ରୀ । ସ୍ପଷ୍ଟୀକରଣ ତାଙ୍କଠାରୁ କେହି ମାଗି ନଥିଲେ । ମାତ୍ର ସେ ସାମାଜିକ ଗଣମାଧ୍ୟମରେ ଏକ ଲମ୍ବା ଚଉଡ଼ା ସ୍ପଷ୍ଟୀକରଣ ଦେଲେ। ଏଥିରେ ଧମକ ମଧ୍ଯ ରହିଲା । ଜୁଏଲ୍‌ ସ୍ପଷ୍ଟ କରିଦେଲେ ଯେ ଖୁସ୍‌ବୁ ତାଙ୍କର ଏପିଏସ୍ ନୁହଁନ୍ତି । ତାଙ୍କୁ ଏପିଏସ୍ କରିବାକୁ ସେ ଚେଷ୍ଟା କରିଥିଲେ, କିନ୍ତୁ କୌଣସି କାରଣରୁ ତାହା ସମ୍ଭବ ହୋଇ ନଥିଲା । ଖୁସ୍‌ବୁ ତାଙ୍କର ଜିଲ୍ଲା ପ୍ରତିନିଧି ଏବଂ ତାଙ୍କର ନିଜସ୍ୱ ପରିଚୟ ଅଛି ବୋଲି ସଫେଇରେ କହିଲେ ଜୁଏଲ୍ ।

କିନ୍ତୁ ଜୁଏଲଙ୍କ ଅଫିସରୁ ଜାରି ଗସ୍ତ କାର୍ଯ୍ୟକ୍ରମରେ ଖୁବୁଙ୍କୁ ଏପିଏସ୍ ବୋଲି ଉଲ୍ଲେଖ କରାଯାଇଥିଲା । ଖୁସ୍‌ବୁ ନିଜେ ମଧ୍ୟ ନିଜକୁ ଏପିଏସ୍ ବୋଲି ସାମାଳିକ ଗଣମାଧ୍ୟମରେ ଦେଖାଇ ହୋଇଥିଲେ । ଅବଶ୍ୟ ପରେ ଏମିତି ଦୁଃସାହସ ସେ କରିନାହାନ୍ତି।

କିନ୍ତୁ ନିର୍ଭୟ ପବ୍ଲିକେସନ୍ସକୁ ଲିଗାଲ ନୋଟିସ୍ ଦେବା ଭିତରେ ଖୁସ୍‌ବୁ ଏକ ମାରାତ୍ମକ ଭୁଲ କରିବସିଛନ୍ତି । ୫୦ କୋଟି ଟଙ୍କାର ମାନହାନୀ ଧମକ ଦେବାକୁ ଯାଇ ତାଙ୍କ ମେଣ୍ଟର ତଥା ମନ୍ତ୍ରୀ ଜୁଏଲ୍ ଓରାମଙ୍କୁ ଭାଗ୍ୟବସ୍ତୁତଃ ସେ ଫଶାଇ ଦେଇଛନ୍ତି। ଏହା ଜୁଏଲ୍ ଓ ତାଙ୍କ ପାଇଁ ଅଦାଲତୀ କାଳ ହୋଇପାରେ।

ନିର୍ଭୟକୁ ପଠାଇଥିବା ଲିଗାଲ ନୋଟିସ୍‌ର ଅଷ୍ଟମ ବିନ୍ଦୁରେ ଲେଖାଅଛି ଯେ ୨୦୨୪ ସେପ୍ଟେମ୍ବର ୧୧ରେ ଆଦିବାସୀ ବ୍ୟାପାର ମନ୍ତ୍ରୀଙ୍କ ଅଫିସ ରେକର୍ଡ଼ଭୁକ୍ତ କରିସାରିଛନ୍ତି ଯେ ମାନ୍ୟବର ମନ୍ତ୍ରୀ ଖୁବ୍‌ ଯାବବଙ୍କୁ ତାଙ୍କର ଅତିରିକ୍ତ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି ।

ଏହି ଆଦେଶ ତୁରନ୍ତ କାର୍ଯ୍ୟକାରୀ ହୋଇଛି। ଏ ବ୍ୟାପାରରେ ସମସ୍ତ ସମ୍ପୃକ୍ତ କର୍ତ୍ତୁପକ୍ଷଙ୍କୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେଣୁ ଖୁସ୍‌ବୁଙ୍କୁ ଫେକ୍ ବୋଲି କୁହାଯାଇ ପାରିବ ନାହିଁ।

ବଡ଼ ସାଂଘାତିକ ସ୍ୱୀକାରୋକ୍ତି ! ୧୧.୦୯.୨୦୨୪ରେ ଅତିରିକ୍ତ ପ୍ରାଇଭେଟ୍ ସେକ୍ରେଟାରୀ ଭାବେ ନିଯୁକ୍ତି ପାଇଥିଲେ ଯଦି ଖୁସ୍‌ବୁ, ତେବେ ମନ୍ତ୍ରୀ ଜୁଏଲ୍ ଓରାମ ନିଜ ସ୍ପଷ୍ଟୀକରଣରେ କାହିଁକି କହିଲେ ଯେ ତାଙ୍କୁ ଏପିଏସ୍ ଭାବେ ନିଯୁକ୍ତି ଦେବାକୁ ଚାହିଁଥିଲେ। କିନ୍ତୁ ତାହା ସମ୍ଭବ ହୋଇ ନଥିଲା । ଏବେ ଖୁସ୍‌ବୁ ଏବଂ ଜୁଏଲ୍‌ଙ୍କୁ ନିଯୁକ୍ତିପତ୍ର ଦେଖାଇବାକୁ ପଡ଼ିବ । ଯଦି ସେ ଏପିଏସ୍ ଭାବେ ନିଯୁକ୍ତି ପାଇଥିଲେ, ତେବେ ପୁଣି ଜିଲ୍ଲା ପ୍ରତିନିଧି ହେଲେ କାହିଁକି ? ଯେଉଁ ତଥ୍ୟ ଜୁଏଲ୍ ଲୁଚାଇବାକୁ ଚେଷ୍ଟା କରିଛନ୍ତି, ଲିଗାଲ ନୋଟିସ୍ ଦେବା ଭିତରେ ତାହାକୁ ପ୍ରଘଟ କରି ଖୁସ୍‌ବୁ ଜୁଏଲ୍‌ଙ୍କ ପାଇଁ ବଡ଼ ଗାତ ଖୋଳି ଦେଇନାହାନ୍ତି କି ?

ଆଗକୁ ଆହୁରି ବହୁ ଭୟଙ୍କର ତଥ୍ୟ ଯେ ସାମ୍ନାକୁ ନଆସିବ, ଏହା କିଏ କହିପାରିବ ? ସାମାଜିକ ଗଣମାଧ୍ଯମ ଖବରକୁ ଏଡ଼ାଇ ନଯାଇ ଯାହାଙ୍କ ପାଇଁ କୁଦିପଡ଼ିଲେ ମନ୍ତ୍ରୀ, ଏବେ ତାଙ୍କରି ଗୋଟିଏ ତଥ୍ୟ ଜୁଏଲ୍‌ଙ୍କୁ ଯଦି ମହଙ୍ଗା ପଡ଼େ କେହି ବିସ୍ମିତ ହେବେ ନାହିଁ।

 

 

 

Leave a Reply

Your email address will not be published. Required fields are marked *