‘ସତ୍ୟର ସ୍ୱର ନିର୍ଭୟ’ ଦୈନିକ ସମ୍ବାଦପତ୍ରର ସମ୍ପାଦକ ନବୀନ ଦାସ, ଖୁସବୁ ଯାଦବଙ୍କ ପକ୍ଷରୁ ପଠାଯାଇଥିବା ମାନହାନି ନୋଟିସର ଏକ କଡ଼ା ଆଇନଗତ ଜବାବ ଦେଇଛନ୍ତି। ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଆଇନଜୀବୀ ସୀତାଂଶୁ ମୋହନ ଦ୍ୱିବେଦୀଙ୍କ ଜରିଆରେ ଆଜି (ସେପ୍ଟେମ୍ବର ୯)ରେ ଏହି ଜବାବ ପଠାଯାଇଛି। ଏଥିରେ ସମସ୍ତ ଅଭିଯୋଗକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରାଯିବା ସହ ୭ ଦିନ ମଧ୍ୟରେ ଖୁସବୁ ଯାଦବ ଏବଂ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ଠାରୁ ବିନା ସର୍ତ୍ତରେ ଲିଖିତ କ୍ଷମାପ୍ରାର୍ଥନା ଦାବି କରାଯାଇଛି।

ସେପ୍ଟେମ୍ବର ୨, ୨୦୨୬ରେ ଖୁସବୁ ଯାଦବଙ୍କ ପକ୍ଷରୁ ଆଇନଜୀବୀ ସତ୍ୟ ସଭରୱାଲ ନିର୍ଭୟ ପବ୍ଲିକେସନ୍ସ ବିରୋଧରେ ମାନହାନି, ଚରିତ୍ର ସଂହାର ଏବଂ ଆପତ୍ତିଜନକ ଖବର ପ୍ରକାଶ କରିଥିବା ଅଭିଯୋଗ ଆଣି ଏକ ନୋଟିସ ପଠାଇଥିଲେ। ଏଥିସହ ତୁରନ୍ତ ଖବର ପ୍ରତ୍ୟାହାର, ବିନା ସର୍ତ୍ତରେ କ୍ଷମାପ୍ରାର୍ଥନା ଏବଂ ୫୦ କୋଟି ଟଙ୍କାର କ୍ଷତିପୂରଣ ଦାବି କରାଯାଇଥିଲା।

ଏହି ୫୦ କୋଟି ଟଙ୍କାର କ୍ଷତିପୂରଣ ଦାବିକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ଦର୍ଶାଇ ପ୍ରତ୍ୟାଖ୍ୟାନ କରିଛନ୍ତି ସମ୍ପାଦକ ନବୀନ ଦାସ। ସେ କହିଛନ୍ତି ଯେ ପ୍ରକାଶିତ ସମ୍ବାଦଗୁଡ଼ିକ ସରକାରୀ ଓ ସାଧାରଣ ନଥିପତ୍ର ଉପରେ ଆଧାରିତ ଏବଂ ଜନସ୍ୱାର୍ଥର ସୁରକ୍ଷା ପାଇଁ କରାଯାଇଥିବା ସାମ୍ବାଦିକତା। କୌଣସି “ଦ୍ୱିତୀୟ ସ୍ତ୍ରୀ” କିମ୍ବା “ଅବୈଧ ସମ୍ପର୍କ” ନେଇ ଖବର ପ୍ରକାଶ କରାଯାଇ ନାହିଁ କିମ୍ବା ଖୁସବୁଙ୍କ ଗିରଫଦାରୀ ଦାବି କରାଯାଇ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ନିର୍ଭୟ ପକ୍ଷରୁ ଦିଆଯାଇଥିବା ଜବାବରେ ଖୁସବୁ ଯାଦବ ଏବଂ ମନ୍ତ୍ରୀ ଜୁଏଲ ଓରାମଙ୍କ ବିରୋଧରେ ସାମ୍ବାଦିକତାର ସ୍ୱାଧୀନତାକୁ ଚପାଇ ଦେବା ଏବଂ ଧମକ ସୃଷ୍ଟି କରିବା ନେଇ ପଲଟା ଅଭିଯୋଗ ଅଣାଯାଇଛି। ଏଥି ସହିତ ଖୁସବୁ ଯାଦବ Addl. PS ଭାବେ ନିଯୁକ୍ତ ହୋଇଥିବାର ସରକାରୀ ନିଯୁକ୍ତି ପତ୍ର ୭ ଦିନ ମଧ୍ୟରେ ଦାଖଲ କରିବାକୁ ସମ୍ପାଦକ ଚ୍ୟାଲେଞ୍ଜ କରିଛନ୍ତି।

​ସମ୍ପାଦକଙ୍କ ଜବାବରେ ଖୁସବୁଙ୍କ ସରକାରୀ ପଦବୀକୁ ନେଇ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଯାଇଛି । ସେଗୁଡ଼ିକ ହେଲା:

  • ​ମନ୍ତ୍ରଣାଳୟ ଟୁର ପ୍ରୋଗ୍ରାମ: ସରକାରୀ ମନ୍ତ୍ରଣାଳୟର ଗସ୍ତ କାର୍ଯ୍ୟସୂଚୀ ଏବଂ ସୋସିଆଲ ମିଡିଆ ପୋଷ୍ଟରେ ଖୁସବୁଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ‘ଅତିରିକ୍ତ ବ୍ୟକ୍ତିଗତ ସଚିବ’ ଭାବେ ଦର୍ଶାଯାଇଥିଲା।
  • RTI ର ଖୁଲାସା: ଏକ ସୂଚନା ଅଧିକାର ଉତ୍ତର ଏବଂ ନିଜେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ବକ୍ତବ୍ୟ ଅନୁଯାୟୀ, ଖୁସବୁ Addl. PS ନୁହଁନ୍ତି, ବରଂ ଜଣେ ‘ଜିଲ୍ଲା ପ୍ରତିନିଧି’ ।
  • ସରକାରୀ ପାସପୋର୍ଟ ଓ ବିଦେଶ ଗସ୍ତ: ଥାଇଲ୍ୟାଣ୍ଡ ଏବଂ ମାଲେସିଆ ଗସ୍ତ ପାଇଁ ବ୍ୟବହୃତ ହୋଇଥିବା ହ୍ୱାଇଟ୍/ଅଫିସିଆଲ୍ ପାସପୋର୍ଟ ନଥିପତ୍ରର ଯୋଗ୍ୟତା ଯାଞ୍ଚ ପାଇଁ ଦାବି କରାଯାଇଛି।

Leave a Reply

Your email address will not be published. Required fields are marked *