ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର ମହିମା ଓ ସମ୍ପତ୍ତିର ପରିସର କେବଳ ଓଡ଼ିଶା କି ଭାରତ ମଧ୍ୟରେ ସୀମିତ ନୁହେଁ। ଶ୍ରୀମନ୍ଦିର ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତିର ଐତିହାସିକ ବିସ୍ତାରକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଓଡ଼ିଶା ସରକାର ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ସହ ଜଡ଼ିତ ଜମିଗୁଡ଼ିକର ଚିହ୍ନଟ, ସତ୍ୟାପନ ଏବଂ ଏହାକୁ ଜବରଦଖଲ ମୁକ୍ତ କରିବା ପାଇଁ ଏକ ବ୍ୟାପକ ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାରି ମଧ୍ୟରେ ପାକିସ୍ତାନର ସିନ୍ଧ ପ୍ରଦେଶରେ ମହାପ୍ରଭୁଙ୍କ ନାମରେ ଜମି ରହିଥିବା ନେଇ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସୂଚନା ପରେ ଏବେ ସାରା ରାଜ୍ୟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା ଚାଲିଛି। ଆଇନ ମନ୍ତ୍ରୀ କହିଛନ୍ତି ଭାରତର ବିଭିନ୍ନ ରାଜ୍ୟ ସହିତ ଆଜିର ପାକିସ୍ତାନରେ ଥିବା ସିନ୍ଧ ଅଞ୍ଚଳରେ ମଧ୍ୟ ଶ୍ରୀଜଗନ୍ନାଥଙ୍କର କିଛି ଜମି ରହିଛି। ସରକାର ଧୀରେ ଧୀରେ ଏହିସବୁ ଜମିକୁ ଚିହ୍ନଟ କରିବା ପ୍ରକ୍ରିୟା ଆରମ୍ଭ କରିବେ। ରାଜ୍ୟ ଭିତରେ ଏବଂ ରାଜ୍ୟ ବାହାରେ ମନ୍ଦିର ପ୍ରଶାସନର ଯେଉଁସବୁ ଜମି ଜବରଦଖଲ ହୋଇଛି, ସେଗୁଡ଼ିକୁ ଚିହ୍ନଟ କରାଯିବ। ଏହାପରେ ସମସ୍ତ ରେକର୍ଡର ଯାଞ୍ଚ ଓ ଭୂମିର ସ୍ଥିତି ସତ୍ୟାପନ କରାଯିବ। ମନ୍ଦିରର ଐତିହାସିକ ସମ୍ପତ୍ତିର ସୁରକ୍ଷା କରିବା ଏବଂ ସେଗୁଡ଼ିକୁ ପୁଣି ଶ୍ରୀମନ୍ଦିର ପ୍ରଶାସନର ନିୟନ୍ତ୍ରଣକୁ ଅଣାଯିବ। ଇତିହାସ ଅନୁଯାୟୀ, ଦେଶ ବିଭାଜନ ପୂର୍ବରୁ ଅନେକ ଧନୀ ବ୍ୟବସାୟୀ, ଜମିଦାର ଓ ଭକ୍ତ ମହାପ୍ରଭୁଙ୍କ ନାମରେ ଜମି ଦାନ କରିଥିଲେ। ସିନ୍ଧ ପ୍ରଦେଶର ଏହି ଜମି ମଧ୍ୟ ସେହିଭଳି କୌଣସି ଦାନସୂତ୍ରରୁ ଆସିଥାଇପାରେ ବୋଲି ଅନୁମାନ କରାଯାଉଛି। ତେବେ ଏହି ଜମି କେଉଁ ସ୍ଥାନରେ ଅଛି, ବର୍ତ୍ତମାନ ଏହାର ସ୍ଥିତି କ’ଣ ଏବଂ କାହା ଦଖଲରେ ରହିଛି, ସେ ନେଇ କୌଣସି ସ୍ପଷ୍ଟ ତଥ୍ୟ ମିଳିନାହିଁ। ଆଇନ ମନ୍ତ୍ରଣାଳୟର ସୂଚନା ଅନୁସାରେ, ମହାପ୍ରଭୁଙ୍କର ୩୬ ହଜାର ଏକର ଜମିର ରେକର୍ଡଭୁକ୍ତ ରହିଛି। ସେହିପରି ରାଜ୍ୟ ଓ ରାଜ୍ୟ ବାହାରେ ଅଛି ୫୮ ହଜାର ଏକର ଜମି। ବାକି ଥିବା ଜମି ମଧ୍ୟରେ ପାକିସ୍ତାନରେ ଥିବା ଏହି ସମ୍ପତ୍ତି ଅନ୍ତର୍ଭୁକ୍ତ। ରାଜ୍ୟ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନ ଏହି ପୁରୁଣା ଦସ୍ତାବେଜ ଓ ରାଜସ୍ୱ ରେକର୍ଡର ସତ୍ୟାସତ୍ୟ ଯାଞ୍ଚ କରିବା ପାଇଁ ବିଦେଶ ମନ୍ତ୍ରଣାଳୟର ସହାୟତା ନେବାକୁ ବିଚାର କରୁଛନ୍ତି । Post navigation BJD Protest Against MMDR Amendment Bill: ରାଜ୍ୟ ବିରୋଧୀ ଏମଏମଡିଆର ଆଇନ ବିରୋଧରେ ରାଜଭବନ ସମ୍ମୁଖରେ ବିଜେଡିର ବିକ୍ଷୋଭ Navin Das Counters Khushboo Yadav’s Defamation Notice: ଖୁସବୁ ଯାଦବଙ୍କ ମାନହାନି ନୋଟିସର କଡ଼ା ଜବାବ; ୭ ଦିନ ମଧ୍ୟରେ କ୍ଷମାପ୍ରାର୍ଥନା ଦାବି କଲେ ‘ନିର୍ଭୟ’ ସମ୍ପାଦକ ନବୀନ ଦାସ