ରାଜ୍ୟରେ ସଡ଼କ ସୁରକ୍ଷାକୁ କଡ଼ାକଡ଼ି କରିବା ଏବଂ ଗାଡ଼ି ଚାଳକମାନଙ୍କୁ ଆଇନ ପାଳନ ପାଇଁ ସଚେତନ କରିବା ନିମନ୍ତେ ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କରାଯାଇଛି। ସର୍ବସାଧାରଣ ରାସ୍ତାରେ ଚଳାଚଳ କରୁଥିବା ଯାନବାହାନଗୁଡ଼ିକ ପାଇଁ ବୈଧ PUCC ଏବଂ ବୀମା ଦସ୍ତାବିଜ୍ ରଖିବା ବାଧ୍ୟତାମୂଳକ କରାଯାଇଛି। ଏଥି ସହିତ ବୈଧ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ଏବଂ ବୈଧ ବୀମା ନଥାଇ ସାର୍ବଜନୀନ ରାସ୍ତାରେ ଚାଲୁଥିବା ଯାନବାହନଗୁଡ଼ିକୁ ଚିହ୍ନଟ କରିବା ପାଇଁ ଏକ ନୂତନ ‘ଇ-ଡିଟେକସନ୍ ସିଷ୍ଟମ୍’ କାର୍ଯ୍ୟକାରୀ କରାଯାଉଛି।

ସୂଚନା ଅନୁଯାୟୀ; ସେପ୍ଟେମ୍ବର ୧ ତାରିଖରୁ ରାଜ୍ୟସାରା ଇ-ଡିଟେକ୍ସନ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ଏହି ଇଲେକ୍ଟ୍ରୋନିକ୍ ପଦ୍ଧତି ଜରିଆରେ ସର୍ବସାଧାରଣ ରାସ୍ତାରେ ବିନା ବୈଧ କାଗଜପତ୍ରରେ ଗାଡ଼ି ଚଲାଉଥିବା ଚାଳକମାନଙ୍କୁ ସ୍ୱୟଂଚାଳିତ ଭାବେ ଚିହ୍ନଟ କରାଯିବ। ଚିହ୍ନଟ ହେବା ପରେ ନିୟମ ଭଙ୍ଗକାରୀଙ୍କ ନାମରେ ସାଙ୍ଗେ ସାଙ୍ଗେ ଇ-ଚାଲାଣ ଜାରି କରାଯିବ।

ମୋଟର ଯାନ ଆଇନ ୧୯୮୮ ଏବଂ କେନ୍ଦ୍ରୀୟ ମୋଟର ଯାନ ନିୟମାବଳୀ ୧୯୮୯ ଅନୁଯାୟୀ, ରାଜପଥରେ ଚାଲୁଥିବା ସମସ୍ତ ଯାନବାହନ ପାଇଁ ବୈଧ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ଏବଂ ବୀମା ରହିବା ବାଧ୍ୟତାମୂଳକ। ବୈଧ କାଗଜପତ୍ର ନଥିବା ଗାଡ଼ିଗୁଡ଼ିକୁ ଡିଜିଟାଲ୍ କ୍ୟାମେରା ଏବଂ ଟେକ୍ନୋଲୋଜି ମାଧ୍ୟମରେ ଚିହ୍ନଟ କରାଯାଇ ସ୍ୱୟଂଚାଳିତ ଭାବେ e-Challan ଜାରି କରାଯିବ। ଏହା ସହ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପୁରୁଣା ଚାଲାଣ/ଜରିମାନା ପୈଠ ନକଲେ, ସମ୍ପୃକ୍ତ ଯାନକୁ “Not to be Transacted” ଭାବେ ଚିହ୍ନଟ କରାଯିବ। ଏହାଦ୍ୱାରା ସେହି ଗାଡ଼ିର PUC ଟେଷ୍ଟିଂ ସହ ଅନ୍ୟାନ୍ୟ ସରକାରୀ ସେବା ବନ୍ଦ ହୋଇଯିବ।

ପରିବହନ କମିଶନରଙ୍କ ସୂଚନା ଅନୁଯାୟୀ, ଟ୍ରାଫିକ୍ ନିୟମ ପାଳନ, ପରିବେଶ ସୁରକ୍ଷା ଏବଂ ସଡ଼କ ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ଏହି ଡିଜିଟାଲ୍ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି।ପରିବହନ ଆୟୁକ୍ତ ଗାଡ଼ିମାଲିକମାନଙ୍କୁ ସେମାନଙ୍କର PUCC, ବୀମା ଏବଂ ବକେୟା ଚାଲାଣର ସ୍ଥିତି ସରକାରୀ ପୋର୍ଟାଲ ମାଧ୍ୟମରେ ଯାଞ୍ଚ କରି ନିର୍ଦ୍ଧାରିତ ସମୟ ପୂର୍ବରୁ ସମସ୍ତ କାର୍ଯ୍ୟ ଶେଷ କରିବାକୁ ନିବେଦନ କରିଛନ୍ତି। ସଡ଼କ ସୁରକ୍ଷା, ପରିବେଶ ସୁରକ୍ଷା ଏବଂ ଟ୍ରାଫିକ୍ ଶୃଙ୍ଖଳା ବଜାୟ ରଖିବା ପାଇଁ ଏହି ବୈଷୟିକ ପଦକ୍ଷେପ ଗ୍ରହଣ କରାଯାଇଛି।

Leave a Reply

Your email address will not be published. Required fields are marked *