ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ଦେଖାଦେଇଥିବା ବିଭିନ୍ନ ଅନିୟମିତତା ଓ ସମସ୍ୟାକୁ ନେଇ ଓଡ଼ିଶା ଛାତ୍ର କଂଗ୍ରେସ ପକ୍ଷରୁ ସରକାରଙ୍କ ବିରୋଧରେ ଆନ୍ଦୋଳନ ସମେତ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦିଆଯାଇଛି। ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ନେଇ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସରକାରଙ୍କ ଉପରେ ତୀବ୍ର ଆକ୍ରମଣ କରିଛି ଓଡ଼ିଶା ଛାତ୍ର କଂଗ୍ରେସ। ଶିକ୍ଷା ବିଭାଗର ବିଭିନ୍ନ ସମସ୍ୟା, ପାଠ୍ୟପୁସ୍ତକରେ ତ୍ରୁଟି ଏବଂ ଦୀର୍ଘଦିନ ଧରି ଛାତ୍ର ସଂସଦ ନିର୍ବାଚନ ନହେବାକୁ ନେଇ ଛାତ୍ର କଂଗ୍ରେସ ପକ୍ଷରୁ ଆନ୍ଦୋଳନ ଘୋଷଣା କରାଯାଇଛି। ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନବ ନିଯୁକ୍ତ ଛାତ୍ର କଂଗ୍ରେସ ସଭାପତି ବିଭୂତି ଭୂଷଣ ମହାପାତ୍ର କହିଛନ୍ତି ଯେ, ରାଜ୍ୟର ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ସରକାର ଏଥିପ୍ରତି ଉଦାସୀନ ରହିଛନ୍ତି। ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ଦୁର୍ବଳ କରାଯାଉଥିବା ଅଭିଯୋଗ କରି ସେ ଏହା ବିରୋଧରେ ଛାତ୍ର କଂଗ୍ରେସର ଲଢ଼େଇ ଜାରି ରହିବ ବୋଲି କହିଛନ୍ତି। ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରିଛି ଛାତ୍ର କଂଗ୍ରେସ। ଏହି ଦାବିରେ ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଦୁଇ ଦିନିଆ ଅହରାତ୍ର ଧାରଣା କରାଯିବ ବୋଲି ବିଭୂତି ଭୂଷଣ ମହାପାତ୍ର ଘୋଷଣା କରିଛନ୍ତି। ସେ କହିଛନ୍ତି, “ମନ୍ତ୍ରୀ ଇସ୍ତଫା ନଦେବା ପର୍ଯ୍ୟନ୍ତ ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ଛାତ୍ର କଂଗ୍ରେସର ଆନ୍ଦୋଳନ ଜାରି ରହିବ।” ସେହିପରି, ଉଚ୍ଚଶିକ୍ଷା କ୍ଷେତ୍ରରେ ମଧ୍ୟ ସରକାରଙ୍କୁ ଘେରିଛି ଛାତ୍ର କଂଗ୍ରେସ। ଦୁଇ ବର୍ଷ ଧରି ବିଶ୍ୱବିଦ୍ୟାଳୟ ଓ କଲେଜରେ ଛାତ୍ର ସଂସଦ ନିର୍ବାଚନ ନହେବାକୁ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଇସ୍ତଫା ଦେବାକୁ ଦାବି କରିଛି ଛାତ୍ର କଂଗ୍ରେସ। ଶ୍ରୀ ମହାପାତ୍ର କହିଛନ୍ତି, “ଛାତ୍ର ସଂସଦ ନିର୍ବାଚନ ଛାତ୍ରମାନଙ୍କର ଗଣତାନ୍ତ୍ରିକ ଅଧିକାର। ଏହି ଅଧିକାରକୁ କେହି ଛଡ଼ାଇ ନେଇପାରିବେ ନାହିଁ। ସରକାର ତୁରନ୍ତ ଛାତ୍ର ସଂସଦ ନିର୍ବାଚନ କରନ୍ତୁ, ନଚେତ ଉଚ୍ଚଶିକ୍ଷା ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦିଅନ୍ତୁ।” ଛାତ୍ର କଂଗ୍ରେସର ଦୁଇଟି ପ୍ରମୁଖ ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ଛାତ୍ର କଂଗ୍ରେସ ସଭାପତି ଚେତାବନୀ ଦେଇଛନ୍ତି। ଛାତ୍ର କଂଗ୍ରେସର ପ୍ରମୁଖ ଦାବିଗୁଡ଼ିକ ହେଲା:- 1. ପାଠ୍ୟପୁସ୍ତକର ତ୍ରୁଟି ପାଇଁ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ଦିଅନ୍ତୁ। 2. ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜରେ ତୁରନ୍ତ ଛାତ୍ର ସଂସଦ ନିର୍ବାଚନ କରାଯାଉ। 3. ଛାତ୍ର ସଂସଦ ନିର୍ବାଚନ କରିବାରେ ବିଫଳତା ପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଇସ୍ତଫା ଦିଅନ୍ତୁ। 4. ଛାତ୍ରଛାତ୍ରୀଙ୍କ ଶିକ୍ଷା ସମ୍ପର୍କିତ ସମସ୍ୟାର ତୁରନ୍ତ ସମାଧାନ କରାଯାଉ। Post navigation Subhadra Yojana: ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଟଙ୍କା Odisha Food Pro 2026: ନୂଆ ଦିଲ୍ଲୀରେ ଓଡ଼ିଶା ଫୁଡ୍ ପ୍ରୋ ୨୦୨୬; ୨୭ଟି MoU ସ୍ବାକ୍ଷରିତ