ଓଡ଼ିଶାକୁ ଏକ ପ୍ରମୁଖ ଖାଦ୍ୟ ପ୍ରକ୍ରିୟାକରଣ ହବ୍‌ (Food Processing Hub) ଭାବେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକାଶ କରିଛନ୍ତି। ଦିଲ୍ଲୀରେ ଆୟୋଜିତ ‘ଓଡ଼ିଶା ଫୁଡ୍ ପ୍ରୋ’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ରାଜ୍ୟରେ ଏହି ସେକ୍ଟର ବହୁତ ଦ୍ରୁତ ଗତିରେ ବୃଦ୍ଧି ପାଉଛି ଏବଂ ଏହା ବ୍ୟାପକ ରୋଜଗାର ସୃଷ୍ଟି କରିବାରେ ବଡ଼ ମାଧ୍ୟମ ସାଜିଛି। ବ୍ଲୁ ଇକୋନୋମିକ୍‌ ବିକାଶକୁ ଗୁରୁତ୍ବ ଦିଆଯାଉଛି । ଓଡ଼ିଶାକୁ ଫୁଡ୍‌ ପ୍ରୋସେସିଂ ହବ୍‌ରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛୁ ।

ମୁଖ୍ୟମନ୍ତ୍ରୀ ଆଉ ମଧ୍ଯ କହିଛନ୍ତି ଓଡ଼ିଶାର ୪୮୦ କିଲୋମିଟର ଦୀର୍ଘ ସମୁଦ୍ର ଉପକୂଳ ରହିଛି। ଏହାକୁ ଆଧାର କରି ରାଜ୍ୟରେ ସାମୁଦ୍ରିକ ଅର୍ଥନୀତି ବା ‘ବ୍ଲୁ ଇକୋନୋମି’ (Blue Economy) ର ବିକାଶ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ଖାଦ୍ୟ ସାମଗ୍ରୀର ସହଜ ରପ୍ତାନି ଏବଂ ଏକ ମଜବୁତ ବଜାର ସୁବିଧା ଯୋଗାଇ ଦେବା ପାଇଁ ରାଜ୍ୟରେ ରେଲୱେ ଏବଂ ପୋର୍ଟ (ବନ୍ଦର) ମାଧ୍ୟମରେ ପରିବହନ ବ୍ୟବସ୍ଥାକୁ ଅଧିକ ଦୃଢ଼ କରାଯାଉଛି।

ସେହିପରି ଓଡ଼ିଶାର ଗୌରବ ପାଲଟିଥିବା ‘କୋରାପୁଟ କଫି’ ଆଜି ସମଗ୍ର ଦେଶରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି, ଯାହା ରାଜ୍ୟର କୃଷି ଓ ପ୍ରକ୍ରିୟାକରଣ କ୍ଷେତ୍ରର ସଫଳତାକୁ ଦର୍ଶାଉଛି।

ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ପୁଞ୍ଜିନିବେଶ ବୃଦ୍ଧି କରିବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ସରକାର ସମସ୍ତ ପ୍ରକାର ପ୍ରୋତ୍ସାହନ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *