ରାଜ୍ୟର ଭିନ୍ନକ୍ଷମମାନଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି କ୍ରମେ ଓଡ଼ିଶା ସରକାର ‘ଭୀମଭୋଇ ଭିନ୍ନକ୍ଷମ ସମର୍ଥ୍ୟ ଅଭିଯାନ’ (BBSA) ଯୋଜନାର ଗାଇଡ୍‌ଲାଇନ୍ ବା ନିୟମାବଳୀରେ ବ୍ୟାପକ ସଂଶୋଧନ କରିଛନ୍ତି। ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ମିଳୁଥିବା ସୁବିଧା ସୁଯୋଗକୁ ଆହୁରି ଅଧିକ ପ୍ରସାରିତ କରିବା ପାଇଁ ସରକାର ବାର୍ଷିକ ପରିବାର ଆୟର ଯୋଗ୍ୟତା ସୀମାକୁ ବୃଦ୍ଧି କରିଛନ୍ତି ।

ନୂତନ ସଂଶୋଧିତ ନିୟମ ଅନୁଯାୟୀ, ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ପରିବାରର ଭିନ୍ନକ୍ଷମ ବ୍ୟକ୍ତିମାନେ ଏବେ ସମ୍ପୂର୍ଣ୍ଣ ମାଗଣାରେ ସହାୟକ ଉପକରଣ (Assistive Devices) ପାଇପାରିବେ। ଏହା ସହିତ ସେମାନେ ଶିକ୍ଷାଗତ ବୃତ୍ତି ବା ସ୍କଲାରସିପ୍ ପାଇଁ ମଧ୍ୟ ଯୋଗ୍ୟ ବିବେଚିତ ହେବେ।ଯେଉଁ ପରିବାରର ବାର୍ଷିକ ଆୟ ୫ ଲକ୍ଷରୁ ୧୦ ଲକ୍ଷ ଟଙ୍କା ମଧ୍ୟରେ, ସେମାନଙ୍କୁ ସହାୟକ ଉପକରଣର ମୋଟ ମୂଲ୍ୟର ମାତ୍ର ୨୫% ଦେବାକୁ ପଡ଼ିବ ଏବଂ ଅବଶିଷ୍ଟ ୭୫% ଖର୍ଚ୍ଚ ସରକାର ବହନ କରିବେ। ସେହିପରି ବାର୍ଷିକ ୧୦ ଲକ୍ଷ ଟଙ୍କାରୁ ଅଧିକ ଆୟ କରୁଥିବା ପରିବାରକୁ ଉପକରଣର ମୋଟ ଖର୍ଚ୍ଚର ୫୦% ନିଜେ ବହନ କରିବାକୁ ପଡ଼ିବ।

ପୂର୍ବରୁ ୨.୪୦ ଲକ୍ଷରୁ ଅଧିକ ଆୟ କରୁଥିବା ସମସ୍ତ ପରିବାରକୁ ୫୦% ରିହାତି ଦରରେ ଏହି ଉପକରଣ ପ୍ରଦାନ କରାଯାଉଥିଲା, ଯାହାକୁ ଏବେ ବଦଳାଇ ଦିଆଯାଇଛି।

ଏଥି ସହିତ ସରକାର ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ ଉଦ୍ଦିଷ୍ଟ ଶିକ୍ଷାଗତ ବୃତ୍ତିର ଆୟ ମାପଦଣ୍ଡରେ ମଧ୍ୟ ସଂଶୋଧନ କରିଛନ୍ତି। ପୂର୍ବରୁ ଦଶମ ଶ୍ରେଣୀ ପରେ ଉଚ୍ଚଶିକ୍ଷା କରୁଥିବା ଭିନ୍ନକ୍ଷମ ବ୍ୟକ୍ତିଙ୍କ ପିଲାମାନଙ୍କ ପାଇଁ ପରିବାରର ବାର୍ଷିକ ଆୟ ୨.୪୦ ଲକ୍ଷ ଟଙ୍କାରୁ କମ୍ ଥିଲେ ହିଁ ସ୍କଲାରସିପ୍ ମିଳୁଥିଲା। କିନ୍ତୁ ନୂଆ ଗାଇଡ୍‌ଲାଇନ୍ ଅନୁଯାୟୀ ଏହି ଆୟ ସୀମାକୁ ବଢ଼ାଇ ୫ ଲକ୍ଷ ଟଙ୍କା କରାଯାଇଛି, ଯାହା ଦ୍ୱାରା ଅଧିକରୁ ଅଧିକ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସହାୟତା ପାଇ ଉପକୃତ ହୋଇପାରିବେ।

Leave a Reply

Your email address will not be published. Required fields are marked *