ନିର୍ଭୟ ମିଡିଆ, ଭୁବନେଶ୍ୱର: ବୁଧବାରଠାରୁ ରାଜ୍ୟରେ ଭାଜପା ସରକାରର ଯୁଗ ଆରମ୍ଭ ହୋଇଛି । ଜନତା ମଇଦାନରେ ଆୟୋଜିତ ଭବ୍ୟ ସମାରୋହରେ ଭାଜପା ବିଧାୟକ ଦଳ ନେତା ମୋହନ ଚରଣ ମାଝୀ ରାଜ୍ୟର ପ୍ରଥମ ଭାଜପା ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ତାଙ୍କ ସହ ୨ଜଣ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା, ୮ଜଣ କ୍ୟାବିନେଟ୍ ମନ୍ତ୍ରୀ ଓ ୫ଜଣ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ) ଶପଥ ନେଇଛନ୍ତି । ତେବେ ମନ୍ତ୍ରିିମନ୍ଦଳରେ ମୋଟ୍ ୧୨ଟି ଜିଲ୍ଲାକୁ ପ୍ରତିନିଧିତ୍ୱ ମିଳିଥିବାବେଳେ ପ୍ରଥମଥର ଜିତିଥିବା ୭ଜଣଙ୍କୁ ମନ୍ତ୍ରୀ ପଦ ମିଳିଛି । ଏକମାତ୍ର ମହିଳାଭାବେ ମନ୍ତ୍ରିମନ୍ଦଳରେ ସାମିଲ ଥିବା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ାଙ୍କୁ ମିଶାଇଲେ ପ୍ରଥମଥର ଜିତି ମନ୍ତ୍ରୀ ହୋଇଥିବା ବିଧାୟକଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇବ ।

ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ମୋଟ ୪ଜଣ ଅନୁସୂଚିତ ଜନଜାତିର ଏବଂ ୨ଜଣ ଅନୁସୂଚିତ ଜାତି ବର୍ଗର ରହିଛନ୍ତି । ଅବଶ୍ୟ ସରକାରିଆ କମିଶନଙ୍କ ପ୍ରାବଧାନ ଅନୁସାରେ ଏବେବି ମନ୍ତ୍ରିିମନ୍ଦଳରେ ଆଉ ୬ଟି ମନ୍ତ୍ରୀ ପଦ ଖାଲି ରହିଛି । ମୋହନଙ୍କ ମନ୍ତ୍ରିମନ୍ଦଳରେ ସାମିଲ ଥିବା ସମସ୍ତ ମନ୍ତ୍ରୀଙ୍କ ହାରାହାରି ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ଡିଗ୍ରୀ । ଆଉ ସବୁଠୁ କମ୍ ବୟସର ମନ୍ତ୍ରୀଭାବେ ସୂର୍ଯ୍ୟବଂଶୀ ସୂରଜ ଓ ବୟୋଜ୍ୟେଷ୍ଠ ମନ୍ତ୍ରୀ ଭାବେ କେଭି ସିଂହଦେଓ ରହିଛନ୍ତି ।

ସୂଚନା ଅନୁସାରେ, ମୋହନ ଚରଣ ମାଝୀଙ୍କ ସରକାରରେ ପ୍ରଥମଥର ପାଇଁ ବିଧାନସଭାକୁ ଜିତି ଉପମୁଖ୍ୟମନ୍ତ୍ରୀ ଭାବେ ପ୍ରଭାତୀ ପରିଡ଼ା ଏବଂ କ୍ୟାବିନେଟ୍ ମନ୍ତ୍ରୀଭାବେ ସୁରେଶ ପୂଜାରୀ, ପୃଥ୍ୱୀରାଜ ହରିଚନ୍ଦନ, ବିଭୂତିଭୂଷଣ ଜେନା ଓ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଶପଥ ନେଇଛନ୍ତି । ମୋଟ୍ ୮ଜଣ କ୍ୟାବିନେଟ୍ ମନ୍ତ୍ରୀଙ୍କ ମଧ୍ୟରୁ କେବଳ ୪ଜଣ ରବିନାରାୟଣ ନାଏକ, ନିତ୍ୟାନନ୍ଦ ଗନ୍ଦ, କୃଷ୍ଣଚନ୍ଦ୍ର ପାତ୍ର ଓ ମୁକେଶ ମହାଲିଙ୍ଗଙ୍କର ପୂର୍ବରୁ ବିଧାନସଭାରେ ଅଭିଜ୍ଞତା ରହିଛି ।

ସେହିପରି ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ)ଭାବେ ଶପଥ ନେଇଥିବା ୫ଜଣ ମନ୍ତ୍ରୀଙ୍କ ମଧ୍ୟରେ ୩ଜଣ ସମ୍ପୂର୍ଣ୍ଣ ନବାଗତ । ପ୍ରଦୀପବଳ ସାମନ୍ତ, ଗୋକୁଳାନନ୍ଦ ମଲ୍ଲିକ ଓ ସମ୍ପଦ ଚରଣ ସ୍ୱାଇଁ ପ୍ରଥମଥର ବିଧାନସଭାକୁ ନିର୍ବାଚିତ ହୋଇଥିବାବେଳେ ଗଣେଶରାମ ସିଂ ଖୁଣ୍ଟିଆ ଓ ସୂର୍ଯ୍ୟବଂଶୀ ସୂରଜଙ୍କ ପୂର୍ବରୁ ବିଧାନସଭାରେ ଅଭିଜ୍ଞତା ରହିଛି ।

ରାଜ୍ୟରେ ବୁଧବାର ଠାରୁ ଆରମ୍ଭ ହୋଇଥିବା ଭାଜପା ସରକାରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଥିବାବେଳେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ବଲାଙ୍ଗୀର ଓ ପ୍ରଭାତୀ ପରିଡ଼ା ପୁରୀ ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *