ରାଜ୍ୟରେ ଗୌରବ ଓ ଶ୍ରଦ୍ଧାର ସହ ପାଳିତ ହୋଇଯାଇଛି ୬୭ତମ ପୋଲିସ ଶହୀଦ ସ୍ମୃତି ଦିବସ। ଦେଶର ସୁରକ୍ଷା, ଶାନ୍ତି ଶୃଙ୍ଖଳା ରକ୍ଷା ଏବଂ ଜନସାଧାରଣଙ୍କ ସେବା ପାଇଁ ନିଜର ଅମୂଲ୍ୟ ଜୀବନ ବଳିଦାନ ଦେଇଥିବା ବୀର ପୋଲିସ ଶହୀଦମାନଙ୍କ ସ୍ମୃତିରେ ରାଜ୍ୟବ୍ୟାପୀ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହି ଅବସରରେ କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟ ଏବଂ ଭୁବନେଶ୍ୱରର କମିଶନରେଟ୍ ପୋଲିସ ପକ୍ଷରୁ ଭାବପୂର୍ଣ୍ଣ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇ ଶହୀଦମାନଙ୍କ ଅମର ଆତ୍ମା ପ୍ରତି ଗଭୀର ସମ୍ମାନ ଜଣାଯାଇଛି।

ଭୁବନେଶ୍ୱରସ୍ଥିତ OSAP ୭ମ ବାଟାଲିୟନ ପଡ଼ିଆରେ ଆୟୋଜିତ ଶହୀଦ ଦିବସ ପରେଡରେ କମିଶନରେଟ୍ ପୋଲିସ ପକ୍ଷରୁ ଅମର ଶହୀଦମାନଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପୋଲିସ କମିଶନର ଡଃ ସୁରେଶ ଦେବ ଦତ୍ତ ସିଂହ, ଆଇପିଏସ, ଅତିରିକ୍ତ ପୋଲିସ କମିଶନର ନରସିଂହ ଭୋଳ, ଆଇପିଏସ, ଏବଂ ଭୁବନେଶ୍ୱର ଡିସିପି ଡଃ ସର୍ବଣା ବିବେକ ଏମ, ଆଇପିଏସଙ୍କ ସମେତ ଅନ୍ୟାନ୍ୟ ପୋଲିସ ଅଧିକାରୀ ଓ ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଶହୀଦମାନଙ୍କ ସ୍ମୃତିଚାରଣ କରିଥିଲେ।

ସେହିପରି କଟକଠାରେ ଆୟୋଜିତ ସ୍ମୃତି ସମାରୋହରେ ପୋଲିସ ମହାମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର, ଆଇପିଏସ ଯୋଗଦେଇ ବୀର ଶହୀଦମାନଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଶହୀଦମାନଙ୍କ ସର୍ବୋଚ୍ଚ ତ୍ୟାଗ ଓ କର୍ତ୍ତବ୍ୟନିଷ୍ଠାର ସ୍ମରଣ କରିବା ସହ ସେମାନଙ୍କର ଅଦମ୍ୟ ସାହସ ସଦାସର୍ବଦା ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇରହିବ ବୋଲି ସେ ପ୍ରକାଶ କରିଥିଲେ। ଏହାସହିତ ଶହୀଦ ପରିବାରବର୍ଗଙ୍କ ଅତୁଲନୀୟ ତ୍ୟାଗ ଓ ଧୈର୍ଯ୍ୟ ପ୍ରତି ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ଗଭୀର କୃତଜ୍ଞତା ଓ ସମ୍ମାନ ବ୍ୟକ୍ତ କରାଯାଇଥିଲା।

Leave a Reply

Your email address will not be published. Required fields are marked *