ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ଓ ତାଙ୍କ ପରିବାର ନାମରେ ଉଠିଛି ଏକ ଜମିବିବାଦ ମାମଲା । ଯତନନଗରରେ ପ୍ରାୟ ୫୨ ଏକର ଜମି ପାଇଁ ଆବେଦନ କରିଥିଲେ ପାତ୍ର ପରିବାର । ଇଏ ହେଉଛି ୨୦୧୬ର ମାମଲା । ୨୦୧୬ରେ ରାଜ୍ୟରେ ନବୀନ ସରକାର। ସେତେବେଳେ ପାଣ୍ଡିଆନ ବାବୁ ମାତିନଥିଲେ । ଯାହା କରୁଥିଲେ ଭିତରେ ଭିତରେ । ଢେଙ୍କାନାଳ ତହସିଲଦାର ଯତନନଗର ପାହାଡର ୫୨ ଏକର ଜମିକୁ ପାତ୍ର ପରିବାର ନାମରେ ରେକର୍ଡ କରିବାପାଇଁ ସାହସ କରି ପାରିନଥିଲେ । ପାତ୍ର ପରିବାରର ଆବେଦନର ଯୁକ୍ତିସଙ୍ଗତ କାରଣ ଥିଲା କି ନାହିଁ ତାହା ଅଲଗା କଥା । ଯଦି ଥିଲା ଜମି ରେକର୍ଡ ଭୁକ୍ତ ହୋଇଥାନ୍ତା । ଯଦି ନଥିଲା ଆବେଦନକୁ ଖାରଜ କରିଦେଇଥାନ୍ତେ । ପାତ୍ର ପରିବାର ତହସିଲଦାରଙ୍କ ନିଷ୍ପତ୍ତି ବିରୋଧରେ ଉପରକୁ ଯାଇଥାନ୍ତେ। କିନ୍ତୁ ୮ ବର୍ଷ କାହିଁକି ପକେଇ ରଖୁଥିଲେ ଆବେଦନକୁ ?

ସରକାର ବଦଳିଗଲା ୨୦୨୪ ଜୁନ୍‌ରେ । ଶଙ୍ଖ ଯାଇ ପଦ୍ମ ଆସିଲା । ସବୁ ଅଫିସରମାନେ ନ୍ୟାୟମୂର୍ତ୍ତି ପାଲଟିଗଲେ। ଗତବର୍ଷ ସେପ୍ଟେମ୍ବରରେ ଢେଙ୍କାନାଳ ତହସିଲଦାର ୮ବର୍ଷ ତଳେ ପଡିଥିବା ପାତ୍ର ପରିବାରର ଆବେଦନକୁ ଗ୍ରହଣ କରି ୫୨ ଏକର ଜମି ରେକର୍ଡଭୁକ୍ତ କରାଇଦେଇଛନ୍ତି । ଅର୍ଥାତ ସରକାର ବଦଳିବାର ୩ ମାସ ପରେ ଏହି ନିଷ୍ପତ୍ତି ନେଇଛନ୍ତି ତହସିଲଦାର ।

ସ୍ବାଭାବିକ ଭାବେ ବିବାଦ ଉଠିବ । ଯେହେତୁ ମନ୍ତ୍ରୀଙ୍କ ପରିବାର ନାମ ଉଠୁଛି, ସେହେତୁ ବିବାଦକୁ କିଏ ରୋକିବ ? ଆବେଦନର ଯଥାର୍ଥ ତାକୁ ନେଇ ଯେତେ ପ୍ରଶ୍ନ ନ ଉଠୁଛି ତାଠୁ ବଡ ବିବାଦ ଉଠିଛି ତହସିଲଦାରଙ୍କୁ ନେଇ। ସରକାର ବଦଳିବା ପରେ ହଠାତ ଏମିତି ନିଷ୍ପତି କାହିଁକି ନେଲେ ତହସିଲଦାର ? ମନ୍ତ୍ରୀଙ୍କ ଚାପରେ ନା ତାଙ୍କୁ ଖୁସି କରିବା ପାଇଁ ? ଏତେ ତରବର ଭାବେ କାହିଁକି ନିଆଗଲା ନିଷ୍ପତି ? ମନ୍ତ୍ରୀ, ତାଙ୍କ ଭାଇ ରାମଚନ୍ଦ୍ର ଓ ସ୍ତ୍ରୀ ଗୀତାଙ୍କ ନାମରେ ଜମି ରେକର୍ଡଭୁକ୍ତ ହୋଇଥିବାରୁ ସମସ୍ତେ ଏବେ ତହସିଲଦାର ଓ ପଦ୍ମଦଳକୁ ସନ୍ଦେହ ଦୃଷ୍ଟିରେ ଦେଖୁଛନ୍ତି । ଉଚ୍ଚସ୍ତରୀୟ ତର୍ଜମାପାଇଁ ତହସିଲଦାର ରିପୋର୍ଟ ସହ ରଜସ୍ଵବିଭାଗକୁ ଅନୁମୋଦନ ନିମନ୍ତେ ପଠାଇପାରିଥାନ୍ତେ।

ଯେହେତୁ ମନ୍ତ୍ରୀଙ୍କ ନା ଉଠିଲାଣି ମୋହନ ସରକାରଙ୍କ ନାମରେ ଅପବାଦ ବି ଉଠିବ। ଲୋକେ ଧରି ନେବେ ଯେ କ୍ଷମତାକୁ ଆସିବା ପରେ ଏମାନେ ଜମି ଗିଳିବା ଆରମ୍ଭ କରିଦେଇଛନ୍ତି । ଏହାର କି ଉତ୍ତର ଦେବେ ପଦ୍ମ ଦଳିଆ ?

Leave a Reply

Your email address will not be published. Required fields are marked *