ଚିଟ୍ଫଣ୍ଡ ଦୁର୍ନୀତିର ସିବିଆଇ ତଦନ୍ତ କେଉଁଠି ଅଛି, କେଉଁ ପର୍ଯ୍ୟାୟରେ ଅଛି, ଏକଥା ବ୍ରହ୍ମା ବିଷ୍ଣୁ ମହେଶ୍ଵର ବି କହିପାରିବେ ନାହିଁ । କିନ୍ତୁ କହିପାରିବେ ନରେନ୍ଦ୍ର ମୋଦୀ କିମ୍ବା ଅମିତ ଶାହା । ପୁରା ୧୦ ବର୍ଷ ଚାଲିଗଲା ଚିଟ୍ଫଣ୍ଡ ଦୁର୍ନୀତିରେ କେହି ଜଣେ ବଡ଼ ଅଧିକାରୀ ଏବଂ ବଡ଼ ନେତା ଧରାପଡ଼ିଲେ ନାହିଁ । ତେଣୁ ବ୍ରିଜ୍ ଆଣ୍ଡ ରୁଫ୍ ଦୁର୍ନୀତିରେ ଜଣେ ବରିଷ୍ଠ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ଜେରା କଥା ଉଠିଲା ବେଳକୁ ଭୟଙ୍କର ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କିନ୍ତୁ ହେବ କ’ଣ ? ସିବିଆଇ ବିଷ୍ଣୁପଦଙ୍କୁ ଗିରଫ କରିପାରିବ କି ? ମୋହନ ସରକାର କି ପ୍ରକାର ଆଭିମୁଖ୍ୟ ଗ୍ରହଣ କରିବେ ? ଏସବୁ ପ୍ରଶ୍ନ ଉପରେ ଘନଘନ ହେଉଛି ବିଭିନ୍ନ ମହଲରେ ।
ଜଣେ ଠିକାଦାର-ଦଲାଲ ଦେବଦତ୍ତ ମହାପାତ୍ରଙ୍କ ଗାଡ଼ିରୁ ମିଳିଲା ୧୦ ଲକ୍ଷ ଟଙ୍କା। ସିବିଆଇ ତାଙ୍କର ଟ୍ରାକ୍ ରଖୁଥିଲା । ସେ ଏକ ତାରକା ହୋଟେଲରୁ ବାହାରିବା ମାତ୍ରେ ଚଢ଼ାଉ କଲା ସିବିଆଇ। ଟଙ୍କା ଜବତ ହେଲା । ଦେବଦତ୍ତଙ୍କ ଘର ଓ ଅଫିସରେ ଚଢ଼ାଉ ବେଳେ ବହୁ ଗୁରୁତ୍ୱପୂର୍ଣ କାଗଜପତ୍ର ମିଳିଲା। ଚେର ବାହାରିଲା ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ବା ବିଆରସିରେ। ବିଆରସିର ଟେଣ୍ଡର ଦୁର୍ନୀତି ବାବଦରେ ଅଭିଯୋଗ ସିବିଆଇ ପାଖରେ ଥିଲା। ଏହାର ଆଞ୍ଚଳିକ ମୁଖ୍ୟ ଚଞ୍ଚଲ ବାନାର୍ଜୀଙ୍କ ଉପରେ ନଜର ରଖୁଥିଲା ସିବିଆଇ। ଦେବଦତ୍ତ ଓ ଅନ୍ୟଜଣେ ଗିରଫ ହେଲେ। ପାଳି ପଡ଼ିଲା ଚଞ୍ଚଲଙ୍କର । ଏମାନଙ୍କ ଗିରଫ ପରେ ଆଳୁ ଖୋଳୁଖୋଳୁ ବାହାରିଲେ ମହାଦେବ। ଏହି ମହାଦେବ ହେଲେ ଏକାକ ବିଭାଗ ଦାୟିତ୍ଵରେ ଥିବା ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀ।
ଆସିଥିବା ଅଭିଯୋଗ ଅନୁସାରେ ୨୦୨୨ରେ ଯେତେବେଳେ ବିଷ୍ଣୁପଦ ଓଡ଼ିଶା ଜଳ ବିଦ୍ୟୁତ ନିଗମ (ଓଏଚପିସି)ର ସିଏମ୍ଡି ଥିଲେ, ସେତେବେଳେ ବାଲିମେଳାରେ ଇସିଓଡି ଟାଇପ୍ ଘର ନିର୍ମାଣ ଦାୟିତ୍ୱ ଦିଆଯାଇଥିଲା ବ୍ରିଜ୍ ଆଣ୍ଡ ରୂଫ୍ କମ୍ପାନୀକୁ । ଠିକାଦାର ହେଲେ ଦେବଦତ୍ତ ମହାପାତ୍ର । ବିଆରସି ମୁଖ୍ୟ ଥିଲେ ଚଞ୍ଚଲ ମୁଖାର୍ଜୀ। ୧୦୦ କୋଟି ଟଙ୍କାର ଠିକା। ଟଙ୍କା ଆଗତୁରା ଦିଆଗଲା । କାମ ସରିଲା କି ନସରିଲା ଆଉ କେହି ଖୋଳତାଡ଼ କଲେ ନାହିଁ । କାହା ପକେଟକୁ କେତେ ପିସି ଯାଇଥିବ ତାହା ଅନୁମାନ ସାପେକ୍ଷ । କିନ୍ତୁ ସିଏମଓ ବିନା ସିଗ୍ନାଲରେ ବିଷ୍ଣୁପଦ ୧୦୦ କୋଟି ଟଙ୍କାର ଠିକା ବିଆରସିକୁ କଦାପି ଦେଇ ନଥିବେ। ତେଣୁ ଚେର କେବଳ ବିଷ୍ଣୁ ପର୍ଯ୍ୟନ୍ତ ଯାଇ ଅଟକି ନଥିବ୍ । ନବୀନ ସରକାରଙ୍କର ଶକ୍ତିଶାଳୀ ଅମଲାମାନେ ମଧ୍ୟ ଏଥିରେ ସମ୍ପୃକ୍ତ ଥିବେ । ମୋହନ ସରକାର ସେମାନଙ୍କ ପର୍ଯ୍ୟନ୍ତ ଯାଇପାରିବେ ? ଲାଗୁନାହିଁ ।
ଅନ୍ୟପଟେ ବିଆରସି ସିବିଆଇ ଜାଲରେ ପଡ଼ିବା ପରେ ହଠାତ ବିଳିବିଳେଇ ନିଦରୁ ଉଠିଛି ଭୁବନେଶ୍ବର ମହାନଗର ନିଗମ । ୨୦୧୪ରେ ମଣ୍ଡପ ବସ୍ତି ନିର୍ମାଣ ପାଇଁ ବିଏମ୍ସି ଦାୟିତ୍ବ ଦେଇଥିଲା ବିଆର୍ସିକୁ । ଏଥିରେ ଦେବଦତ୍ତଙ୍କ ଭୂମିକା ଥିବା କୁହାଯାଉଛି । ପ୍ରକଳ୍ପ ୨୦୧୬ରେ ସରିବା କଥା। କିନ୍ତୁ ୨୦୨୪ ପର୍ଯ୍ୟନ୍ତ ସରିଲା ନାହିଁ । ଅଥତ ବିଆର୍ସିକୁ ୨୧ କୋଟି ଟଙ୍କା ସମ୍ପୂର୍ଣ ଭାବେ ଦେଇଥିଲା ବିଏମ୍ସି । ଏବେ ସିବିଆଇ କଥା ଉଠିବା ପରେ ବିଏମ୍ସି ଏଫ୍ଆଇଆର କରିଛି। କିନ୍ତୁ ଏତେଦିନ ଶୋଇଥିଲା କାହିଁକି ? କାହା ଏହା ଇଙ୍ଗିତରେ ଦିଆଯାଇଥିଲା ଏହି ମଣ୍ଡପ ବସ୍ତି ନିର୍ମାଣ ଦାୟିତ୍ବ ?