ନୂଆପଡ଼ା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ସରିଛି। ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ନୂଆପଡ଼ା ପାଇଁ ଅନେକ ଉପହାର ଘୋଷଣା କରିସାରିଛନ୍ତି। କଂଗ୍ରେସ ସଭାପତି ଭକ୍ତଚରଣ ଦାସ ମଧ୍ଯ ନୂଆପଡ଼ାରେ। କିନ୍ତୁ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ କେଉଁଠି ? କେବେ ଆସିବେ ? ନୂଆପଡ଼ା ଯିବେ କି ନାହିଁ ? ଏସବୁ ପ୍ରଶ୍ନ ଏବେ ରାଜନୀତିକ ମହଲରେ ଧୁମ୍ ଚର୍ଚ୍ଚା ସୃଷ୍ଟି କରିଛି। ନୂଆପଡ଼ା ଆସନଟି ବିଜୁ ଜନତା ଦଳ ହାତରେ ଥିଲା। ଏହି ଦଳର ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ କାରଣରୁ ଉପନିର୍ବାଚନର ଆବଶ୍ୟକତା ପଡ଼ିଲା। ଏଣୁ ଆସନକୁ ନିଜ ହାତରେ ରଖିବା ଭଳି ବଡ଼ ଦାୟିତ୍ବ ବିଜୁ ଜନତା ଦଳର। କିନ୍ତୁ ନିର୍ବାଚନ ପରିଚାଳନା ପାଇଁ ବବି ଦାସ ସେଠାରେ ଡେରା ପକାଇଲେ ଦଳକୁ ବି ଶେଷ ଫାଇଦା ମିଳିବ ବୋଲି ମନେ କରାଯାଉ ନାହିଁ । ଯେତେହେଲେ ବି ନବୀନ ପଟ୍ଟନାୟକଙ୍କର ଏକ ବିଶେଷ ଆବେଦନ ଅଛି ଭୋଟରଙ୍କ ଉପରେ। କିନ୍ତୁ ନବୀନ ଓଡ଼ିଶାକୁ ଭୁଲିଗଲେ କି ? ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ନବୀନ ପଟ୍ଟନାୟକ ଦିଲ୍ଲୀ ଗଲେ। ଅର୍ଥାତ ସେପ୍ଟେମ୍ବର ୮ରୁ ସେ ଅଛନ୍ତି ଦିଲ୍ଲୀରେ । ମାସେ ହୋଇଗଲା। ଇତିମଧ୍ୟରେ ଓଡ଼ିଶାରେ ଅନେକ ଘଟଣା ଓ ଅଘଟଣା ଘଟିସାରିଛି। ନବୀନ ଦିଲ୍ଲୀରେ ୫ ତାରକା ହୋଟେଲ ଯାଉଛନ୍ତି ଖାନ୍ ମାର୍କେଟ୍କୁ ଯାଇ ବହି କିଣୁଛନ୍ତି। କିଛି ବିଶିଷ୍ଟ ବ୍ୟକ୍ତିଙ୍କୁ ଭେଟୁଛନ୍ତି। ହେଲେ ଓଡ଼ିଶା ଆସୁ ନାହାନ୍ତି କାହିଁକି ? ବିଧାନସଭାର ସଂକ୍ଷିପ୍ତ ଅଧିବେଶନ ଭିତରେ ଥରୁଟିଏ ବି ସେ ଗୃହକୁ ଯାଇନାହାନ୍ତି । ଓଡ଼ିଶାରୁ କୌଣସି ନେତା ତାଙ୍କୁ ଭେଟିବା ପାଇଁ ଯାଉନାହାନ୍ତି ଦିଲ୍ଲୀ। ଲାଗୁଛି ସତେ ଯେମିତି ସେ ନିଜକୁ ରାଜ୍ୟ ରାଜନୀତି ଓ ନିଜ ଦଳଠାରୁ ଦୂରେଇ ଯାଇଛନ୍ତି । ମଝିରେ ମଝିରେ ଓଡ଼ିଶାର କିଛି ଘଟଣାକୁ ନେଇ ସେ ସାମାଜିକ ଗଣମାଧ୍ଯମରେ ବ୍ୟକ୍ତିଗତ ପ୍ରତିକ୍ରିୟା ଦେଉଛନ୍ତି । କିନ୍ତୁ ତାଙ୍କ ଦଳର ଜଣେ ବରିଷ୍ଠ ନେତ୍ରୀ ତଥା ପିଏସି ସଦସ୍ୟା ଟୁକୁନୀ ସାହୁ ଓଡ଼ିଶାରେ ନେପାଳ ପରିସ୍ଥିତି ସୃଷ୍ଟି ପାଇଁ ଆହ୍ବାନ ଦେବା ସତ୍ତ୍ୱେ ସଭାପତି ଭାବେ ତାଙ୍କର କୌଣସି ପ୍ରତିକ୍ରିୟା ନାହିଁ। କିନ୍ତୁ ସବୁଠୁବଡ଼ ଚ୍ୟାଲେଞ୍ଜ ଅଛି ନୂଆପଡ଼ାରେ। ନୂଆପଡ଼ା ଆସନଟି ଯଦି ବିଜଦ ନିଜ ହାତରେ ରଖିନପାରେ ତେବେ ଏହି ଦଳର ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯିବ। ଏହି ଧକ୍କା ନବୀନ ପଟ୍ଟନାୟକ ସହିପାରିବେ ତ ? ଦଳ ଭିତରେ ସମନ୍ବୟ ନାହିଁ । ଦଳର କର୍ମୀ ଓ ନେତା ମାନେ ଅପେକ୍ଷା କରି ରହିଛନ୍ତି କେବେ ନବୀନ ବାବୁ ନୂଆଦିଲ୍ଲୀରୁ ଫେରିବେ ଓ ନୂଆପଡ଼ା ଯିବେ ? Post navigation ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ: ୩ ମୃତ ପୀତବାସ ପଣ୍ଡା ହତ୍ୟାକାଣ୍ଡ ତଦନ୍ତରେ ଦିଗହରା ପୁଲିସ୍ !