ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ କଟକଠାରେ ଅନୁଷ୍ଠିତ ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକର ଦ୍ଵିତୀୟ ଦିବସରେ ଆଜି ଯୋଗ ଦେଇ କାର୍ଯ୍ୟକାରିଣୀକୁ ସମ୍ବୋଧିତ କରିବା ଅବସରରେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ବି.ଏଲ.ସନ୍ତୋଷ କହିଛନ୍ତି ଯେ, ବିଜେପିର ମୂଳମନ୍ତ୍ର ହେଉଛି ସେବା ଭାବ । ସାଧାରଣ କାର୍ଯ୍ୟକର୍ତ୍ତା ଭାବେ ସାଧାରଣ ଲୋକଙ୍କ ପାଇଁ ମନ ପ୍ରାଣ ଦେଇ କାର୍ଯ୍ୟ କରିବା । ସମାଜର ଶେଷ ସୋପନରେ ଥିବା ବ୍ୟକ୍ତିପାଖରେ ପହଂଚି ତାଙ୍କୁ ସେବା, ସୁବିଧା ଓ ମୈାଳିକ ଅଧିକାର ପ୍ରଦାନ କରିବା ହେଉଛି ମୂଳ ଲକ୍ଷ୍ୟ । ଯେଉଁ ରାଜ୍ୟମାନଙ୍କରେ ବିଜେପି ଥରେ ଶାସନ ଦାୟୀତ୍ୱରେ ଆସିଛି, ଏହି ସେବା ମନୋଭାବ କାରଣରୁ ସେହି ରାଜ୍ୟବାସୀମାନେ ବାରମ୍ବାର ବିଜେପିକୁ ଶାସନ ଦାୟୀତ୍ୱ ପ୍ରଦାନ କରିଛନ୍ତି ।

ଓଡିଶାରେ ବିଜେପି ସରକାର ଗଠନ ହେବା ପରେ ସେବା ମନୋଭାବକୁ ଅଗ୍ରାଧିକାର ଦେଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସରକାର ନିୟମିତ ଭାବେ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ଏବଂ ତାଙ୍କ ସୁଖ ଦୁଃଖର ସାଥୀ ହୋଇ ଛିଡା ହେଉଛନ୍ତି । ଆଗାମୀ ପଂଚାୟତ, ନଗରପାଳିକା ଓ ସମବାୟ ନିର୍ବାଚନରେ ଲୋକଙ୍କ ସହ ଛିଡା ହେବା ସହିତ କଠିନ ପରିଶ୍ରମ କରି ଲୋକଙ୍କ ଆସ୍ଥାଭାଜନ ହେବା ବୋଲି ରାଷ୍ଟ୍ରୀୟ ସାଧାରଣ ସଂପାଦକ (ସଂଗଠନ) ବି.ଏଲ.ସନ୍ତୋଷ କହିଛନ୍ତି ।

ସେହିପରି ମାନନୀୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଏବଂ ଏହାର କାର୍ଯ୍ୟକାରିତା ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।ଆଗାମୀ ୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶା ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଳିଷ୍ଠ ନେତୃତ୍ୱ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅହରହ ପରିଶ୍ରମ ଏବଂ ଦେଶବାସିଙ୍କ ସଂକଳ୍ପକୁ ଆଦୈା ବୁଝି ପାରିନଥିବା ବିରୋଧୀ ଦଳମାନଙ୍କ ଆଚରଣ ଓ ଉଚ୍ଚାରଣ ଅତ୍ୟନ୍ତ ନିନ୍ଦନୀୟ ।

ଦୁଇ ଦିନିଆ ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀର ଦ୍ୱିତୀୟ ଦିନ ଅବସରରେ ଆଜି ରାଜନୈତିକ ଚିଠା ପ୍ରସ୍ତାବ ଆଗତ ହୋଇଥିଲା । ପ୍ରତିକୁଳ ପରିସ୍ଥିତିରେ ଭାରତବର୍ଷର ଆର୍ଥିକ ଅଭିବୃଦ୍ଧି ୭.୮ ପ୍ରତିଶତ ହାରରେ ବୃଦ୍ଧି ପାଉଥିବାବେଳେ ବିରୋଧୀ ଦଳଗୁଡିକ ଅପପ୍ରଚାର କରି ଭାରତବର୍ଷକୁ ବଦନାମ କରିବାର ଚକ୍ରାନ୍ତ କରୁଛନ୍ତି । ବିରୋଧିଦଳମାନେ ଦେଶ ବିଭାଜନକାରୀ ଶକ୍ତିମାନଙ୍କ ସହ ହାତ ମିଳାଇ, ବିଭିନ୍ନ ଦେଶ ବିରୋଧି ଗତିବିଧିରେ ସାମିଲ ହେଉଛନ୍ତି । ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ୍‌କୁ ସାରା ଦେଶବାସୀ ଗର୍ବର ସହ ଗାଉଥିବାବେଳେ କଂଗ୍ରେସ ଦଳ ଅବମାନନା କରିଛି ।

ଗତ ଅଗଷ୍ଟ ୧୫ ତାରିଖ ଦିନ ଦିଲ୍ଲୀସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀ ସଂପୂର୍ଣ୍ଣ ବନ୍ଦେ ମାତରମ୍ ଗାନ ବେଳେ ଯେଉଁ ଭଳି ଭାବରେ ଘୃଣା ଭାବ ପ୍ରକାଶ କଲେ, ତାହା ଅତ୍ୟନ୍ତ କ୍ଷୋଭର ବିଷୟ ଏବଂ ନିନ୍ଦନୀୟ । ଯାହା କଂଗ୍ରେସର ଦେଶବିରୋଧୀ ମାନସିକତାର ଏକ ନିଚ୍ଛକ ଦୃଷ୍ଟାନ୍ତ । ସଂସଦରେ ମହିଳା ଆରକ୍ଷଣ ବିଲ୍‌କୁ ବିରୋଧ କରି କଂଗ୍ରେସ ଓ ବିରୋଧୀଦଳମାନେ ତାଙ୍କ ମହିଳା ବିରୋଧୀ ମନୋଭାବକୁ ସ୍ପଷ୍ଟ ଭାବେ ପ୍ରକାଶିତ କରିଛନ୍ତି । ସେହିଭଳି ଅର୍ବାନ ଏବଂ ଦିମାଗୀ ନକ୍ସଲମାନଙ୍କୁ ସମର୍ଥନ, ଦେଶର ସୁରକ୍ଷା ଏବଂ ସାର୍ବଭୈାମତ୍ୱ ପ୍ରତି ବିପଦ ସୃଷ୍ଟି କରୁଥିବା ଏଫସିଆରଏ ଆଇନକୁ ବିରୋଧ କରି ବିରୋଧୀ ଦଳମାନେ ନିଜର ଭାରତ ବିରୋଧି ମାନସିକତାର ପରିଚୟ ଦେଇଛନ୍ତି । ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମ ସହ ଅନ୍ୟ ରାଷ୍ଟ୍ରମୁଖ୍ୟଙ୍କୁ ଯୋଡି ଆଶାଳୀନ ମନ୍ତବ୍ୟ ଦେଇଛନ୍ତି, ଯାହାକି ଆମ ଭାରତୀୟ ସଂସ୍କୃତି ଓ ପରଂପରାର ବିରୋଧୀ ।

ଅନ୍ୟ ପଟେ ରାଜ୍ୟରେ ବିଜେଡି ସରକାର ସମୟରେ ଘଟିଥିବା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡକୁ ନେଇ ଗଠିତ ହୋଇଥିବା ତଦନ୍ତ କମିଶନ ଫାଇଲ୍‌କୁ ନବୀନ ବାବୁଙ୍କ ସରକାର ଜାଣିଶୁଣି ଚୋରି କରିଛନ୍ତି । ହତ୍ୟାଭଳି ସମ୍ବେଦନଶୀଳ ଘଟଣାର ତଦନ୍ତ କମିଶନ ରିପୋର୍ଟକୁ ଗାଏବ କରିବା ଘଟଣା ଅତ୍ୟନ୍ତ ଚିନ୍ତାର ବିଷୟ । ବିଜେଡିର ବି-ଟିମ୍ ଭୂମିକାରେ ଅବତୀର୍ଣ୍ଣ ହୋଇ ଓଡ଼ିଶାରେ କଂଗ୍ରେସ ଦଳ ବିଜେଡି ନିର୍ଦ୍ଦେଶ ଅନୁସାରେ ପରିଚାଳିତ ହେଉଛି । ରାଜ୍ୟରେ ଏମ୍‌ଏମ୍‌ଡିଆର୍ ସଂଶୋଧନକୁ ଉଭୟ କଂଗ୍ରେସ ଏବଂ ବିଜେଡି ବିରୋଧ କରି ଭ୍ରମାତ୍ମକ ତଥ୍ୟ ଦେଇ ମିଛର ପ୍ରହେଳିକା ସୃଷ୍ଟି କରୁଛନ୍ତି । ଓଡ଼ିଶାରେ ଚଳିତବର୍ଷ ବ୍ୟାପକ ବନ୍ୟାରେ ୯ଟି ଜିଲ୍ଲା କ୍ଷତିଗ୍ରସ୍ତ ହୋଇଥିବାବେଳେ ବନ୍ୟାକୁ ନେଇ ବିଜେଡି ନେତୃତ୍ୱମାନଙ୍କର ତୁଚ୍ଛ ରାଜନୀତି ଏବଂ ହାଲ୍‌କା ମନ୍ତବ୍ୟ ବନ୍ୟା ପ୍ରଭାବିତ କ୍ଷତିଗ୍ରସ୍ତମାନଙ୍କ ମନରେ ଦୁଃଖ ଦେଇଛି । ଦେଶ ଓ ରାଜ୍ୟର ସାମ୍ପ୍ରତିକ ସ୍ଥିତିରେ ଉଭୟ କଂଗ୍ରେସ ଓ ବିଜେଡି ଦଳଗୁଡିକର ଆଚରଣ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଯାହାକୁ ଆଜିର ଏହି କାର୍ଯ୍ୟକାରିଣୀରେ ଦୃଢ଼ଭାବେ ନିନ୍ଦା କରାଯାଇ ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରାଯିବା ସହିତ ପାରିତ କରାଯାଇଛି ସମୃଦ୍ଧ ଓଡିଶା ଗଠନ ପାଇଁ ସମର୍ପିତ ହୋଇ କାର୍ଯ୍ୟ କରିବାକୁ ଏହି କାର୍ଯ୍ୟକାରିଣୀ ପ୍ରେରଣା ଯୋଗାଇଛି ବୋଲି ସାଂସଦ ଡ. ସମ୍ବିତ ପାତ୍ର ଗଣାମାଧ୍ୟମରେ ସୂଚନା ଦେଇଛନ୍ତି । ଏହି ଅବସରରେ ରାଜ୍ୟ ଉପସଭାପତି ଡ.ଯତୀନ ମହାନ୍ତି ଏବଂ ପ୍ରକୋଷ୍ଟ ସଂଯୋଜକ ସୁଦୀପ୍ତ ରାୟ ଉପସ୍ଥିତ ଥିଲେ ।

ଆଜିର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୁନୀଲ ବଂସଲ, ଉପମୁଖ୍ୟମନ୍ତ୍ରୀ କେ.ଭି.ସିଂହଦେଓ ଓ ପ୍ରଭାତୀ ପରିଡା, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ସହପ୍ରଭାରୀ ସୁଶ୍ରୀ ଲତା ଉସେଣ୍ଡି, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ମନ୍ତ୍ରୀଗଣ, ସାଂସଦ ଓ ବିଧାୟକ, ରାଜ୍ୟ ପଦାଧିକାରୀ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *