ଆଜି ହେଉଛି ପବିତ୍ର ରାମ ନବମୀ । ଚୈତ୍ର ମାସ ନବମୀ ଆଜିର ଦିନରେ ମର୍ଯ୍ୟଦା ପୁରୁଷ ଶ୍ରୀରାମ ଜନ୍ମ ଗ୍ରହଣ କରିଥିଲେ । ସେଥିପାଇଁ ଆଜିର ଦିନକୁ ରାମ ନବମୀ ଭାବେ ପାଳନ କରାଯାଇଥାଏ । ଏହି ଅବସରରେ ସ୍ବତନ୍ତ୍ର ଭାବେ ସଜେଇ ହୋଇଛି ରାଜ୍ୟର ସମସ୍ତ ରାମ ମନ୍ଦିର। ପ୍ରଭୁଙ୍କ ଦର୍ଶନ ପାଇଁ ରାମ ମନ୍ଦିରରେ ଲାଗିଛି ଭକ୍ତଙ୍କ ଭିଡ଼। ଏଥିପାଇଁ ରାଜଧାନୀର ରାମ ମନ୍ଦିର ସମେତ ସମସ୍ତ ମଠ ମନ୍ଦିରରେ ହୋଇଛି ବ୍ୟାପକ ବ୍ୟବସ୍ଥା।

ଏହାରି ମଧ୍ୟରେ ରାମ ନବମୀ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ କହିଛନ୍ତି ଶ୍ରୀରାମଙ୍କ ଆଶୀର୍ବାଦରେ ସମସ୍ତଙ୍କ ଜୀବନ ସୁଖ, ଶାନ୍ତିରେ ପରିପୂର୍ଣ୍ଣ ହେଉ। ଶ୍ରୀରାମଙ୍କ ଆଦର୍ଶରେ ସମାଜର ମଙ୍ଗଳ କାର୍ଯ୍ୟରେ ନିୟୋଜିତ ରହିବା ।

ସୂଚନା ଯୋଗ୍ୟ; ପବିତ୍ର ଶ୍ରୀରାମ ନବମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀରାମଙ୍କ ଜନ୍ମନୀତି ଅନୁଷ୍ଠିତ ହୋଇଥାଏ । ସ୍ୱୟଂ ପ୍ରଭୁ ଶ୍ରୀଜଗନ୍ନାଥ ମାତା ରୂପରେ ବିଳମ୍ବିତ ରାତ୍ରରେ ଶ୍ରୀରାମଙ୍କୁ ଜନ୍ମଦେବେ, ତେଣୁ ପ୍ରସବ ବେଦନାକୁ ଲାଘବ କରିବା ନିମନ୍ତେ ଅଷ୍ଟମୀ ଦିନ ସନ୍ଧ୍ୟାଧୂପ ପରେ ମହାପ୍ରଭୁଙ୍କୁ ଯେଉଡ଼ ଭୋଗ କରାଯିବା ସଙ୍ଗେ ସଙ୍ଗେ ଗର୍ଭଉଦକ ଦିଆଯାଏ । ନବମୀ ଦିନ ଠାକୁରମାନଙ୍କର ମଧ୍ୟାହ୍ନ ଧୂପ ନୀତି ଶେଷ ହେବା ପରେ ଜନ୍ମନୀତି ଅନୁଷ୍ଠିତ ହୋଇଥାଏ । ୨ଜଣ ମହାଜନ ସେବକ ଦଶରଥ ଓ କୌଶଲ୍ୟା ହୋଇ ଜନ୍ମବିଧି ପାଳନ ହୋଇଥାଏ । ଏହି ଗୁପ୍ତନୀତିକୁ କେହି ଯେପରି ଦେଖି ନ ପାରିବେ ସେଥିଲାଗି ଗର୍ଭଗୃହରେ ଥିବା ଜୟବିଜୟ ଦ୍ୱାରକୁ ବନ୍ଦ କରାଯାଇଥାଏ । ଶ୍ରୀରାମ ଜନ୍ମ ହେବା ପରେ କର୍ପୁର ଆଳତି ବନ୍ଦାପନା ହୋଇ ମହାସୁଆର ଗଣ୍ଡୁସ ମସଲା, କ୍ଷୀର ମଣୋହୀ କରାଯାଏ । ଏହା ପରେ ପଣ୍ଡା ଶୀତଳଭୋଗ କରାଇବା ସହ ମହାସୁଆର ଜୟବିଜୟ ଦ୍ୱାରଠାରେ ଚରୁଭାତ ମଣୋହୀ କରାଇଥାନ୍ତି ।

Leave a Reply

Your email address will not be published. Required fields are marked *