ଆଜି ହେଉଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ । ୧୯୯୭ ମସିହା ଏପ୍ରିଲ ୧୭ରେ ବିଜୁବାବୁଙ୍କ ତିରୋଧାନ ହୋଇଥିଲା । ବିଜୁ ବାବୁଙ୍କ ପୂଣ୍ୟତିଥି ଅବସରରେ ବିଜେଡ଼ି ଏବଂ ବିଭିନ୍ନ ସଂଗଠନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ବିଜେଡ଼ି ରାଜ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଇଛି । ୧୯୬୧ରେ ପ୍ରଥମ ଥର ମୁଖ୍ୟମନ୍ତ୍ରୀ ନିର୍ବାଚିତ ହୋଇ ୧୯୬୩ ଯାଏ ଓଡ଼ିଶାର ନେତୃତ୍ବ ନେଇଥିଲେ। ତାଙ୍କ ଉଦ୍ୟମରେ ଓଡ଼ିଶାରେ ବହୁ ଶିଳ୍ପକାରଖାନା ପ୍ରତିଷ୍ଠିତ ହୋଇଥିଲା। ବିଜ୍ଞାନର ପ୍ରସାର ଓ ଲୋକପ୍ରିୟତା ପାଇଁ ୧୯୫୧ରେ ସେ ଜାତିସ˚ଘର ଶିକ୍ଷା, ବିଜ୍ଞାନ ଓ ସ˚ସ୍କୃତି ସ˚ସ୍ଥା (‘ୟୁନେସ୍କୋ’) ମାଧ୍ୟମରେ ‘କଳିଙ୍ଗ ପୁରସ୍କାର’ ସ୍ଥାପନ କରିଥିଲେ। ପାରାଦୀପରେ ଏକ ବୃହତ୍ ବନ୍ଦର ସ୍ଥାପନ ପାଇଁ ସେ ହିଁ ପ୍ରଥମେ ପଦକ୍ଷେପ ନେଇଥିଲେ। ନିଜର ଦ୍ବିତୀୟ ଶାସନ କାଳରେ ସେ ରାଜ୍ୟରେ ଜିଲ୍ଲା ପୁର୍ନଗଠନ କରି ଓଡ଼ିଶାର ଜିଲ୍ଳା ସଂଖ୍ୟା ୧୩ରୁ ୩୦କୁ ବୃଦ୍ଧି କରିଥିଲେ। ତାଙ୍କ ସମୟରେ ପଞ୍ଚାୟତ ଓ ନଗରପାଳିକା ବ୍ୟବସ୍ଥାରେ ମହିଳାଙ୍କ ନିମନ୍ତେ ସ୍ଥାନ ସ˚ରକ୍ଷଣ କାର୍ଯ୍ୟକାରୀ ହୋଇଥିଲା। ଶ୍ରମିକଙ୍କ ପାଇଁ ଐତିହାସିକ ପଦକ୍ଷେପ ନେଇ ସେ ସର୍ବନିମ୍ନ ମଜୁରିକୁ ଏଗାର ଟଙ୍କାରୁ ପଚିଶ ଟଙ୍କାକୁ ବଢ଼ାଇ ଦେଇଥିଲେ। ସେ କିଛି କାଳ କେନ୍ଦ୍ରରେ ଖଣି ଓ ଇସ୍ପାତ ମନ୍ତ୍ରୀ ହୋଇଥିଲେ। ୧୯୯୭ ମସିହା ଏପ୍ରିଲ ଆଜି ଦିନରେ ତାଙ୍କର ପରଲୋକ ହୋଇଥିଲା। ଆଜି ଏହି ଅବସରରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଜୁ ବାବୁଙ୍କ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ସେହିପରି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ତାଙ୍କ ସ୍ୱର୍ଗୀୟ ପିତାଙ୍କୁ ଶ୍ରଦ୍ଧାସୁମନ ଜ୍ଞାପନ କରିଛନ୍ତି । ୧୯୧୬ ମସିହା ମାର୍ଚ୍ଚ ୫ ତାରିଖରେ କଟକର ତୁଳସୀପୁରଠାରେ ବିଜୁ ବାବୁ ଜନ୍ମ ଗ୍ରହଣ କରିଥିଲେ । ସେ ଏକାଧାରାରେ ଜଣେ ଦକ୍ଷ ରାଜନୀତିଜ୍ଞ, ବିମାନ ଚାଳକ ଏବଂ ଫୁଟବଲ୍ ଖେଳାଳୀ ଥିଲେ । କଟକର ରେଭେନ୍ସା କଲେଜିଏଟ ସ୍କୁଲରେ ସ୍କୁଲଶିକ୍ଷା ସାରିଲା ପରେ ରେଭେନ୍ସା କଲେଜରେ ବିଜ୍ଞାନ ପଢ଼ିଥିଲେ । ପାଠପଢ଼ା ସହିତ ଖେଳ ପ୍ରତି ତାଙ୍କର ବେଶ୍ ରୁଚି ରହିଥିଲା । ସେ ଦିଲ୍ଲୀର ଏରୋନଟିକ୍ସ ଟ୍ରେନିଂ ଶିକ୍ଷାନୁଷ୍ଠାନରେ ବିମାନ ଉଡ଼ାଣ ଶିକ୍ଷାରେ ଯୋଗଦେଇଥିଲେ । ସେ ନିଜେ ବିମାନ ଚଳାଇ ଇଣ୍ଡୋନେସିଆର ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଡଚମାନଙ୍କଠାରୁ ଉଦ୍ଧାର କରିଥିଲେ । ଏହି ଦୁଃସାହସିକ କାର୍ଯ୍ୟପାଇଁ ତାଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ “ଭୂମିପୁତ୍ର” ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି ସମ୍ମାନ ସହ, ପୁରସ୍କାର ସ୍ୱରୂପ ମିଳିଥିବା କୋଟି କୋଟି ଟଙ୍କା ସେ ଇଣ୍ଡୋନେସିଆର ଜନସାଧାରଣଙ୍କ ପାଇଁ ଉତ୍ସର୍ଗ କରିଦେଇଥିଲେ । ବିଜୁ ପଟ୍ଟନାୟକ ଡାକୋଟା ବିମାନ ଚଳାଉଥିଲେ । ବିଜୁ ବାବୁ ଜଣେ ଦକ୍ଷ ରାଜନୀତିଜ୍ଞ ଥିଲେ । ୧୯୯୦ ମାର୍ଚ୍ଚ ୫ରୁ ୧୯୯୫ ମସିହା ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଓ ୧୯୬୧ ଜୁନ ୨୩ରୁ ୧୯୬୩ ମସିହା ଅକ୍ଟୋବର ୨ ପର୍ଯ୍ୟନ୍ତ ସେ ଦୁଇ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ୧୯୪୬ରେ ପ୍ରଥମ ଥର ପାଇଁ ନିର୍ବିରୋଧ ଭାବେ ଓଡ଼ିଶା ବିଧାନ ସଭାକୁ ଉତ୍ତର କଟକ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ଏହା ପରେ ସେ ଏକାଧିକ ବାର ନିର୍ବାଚନ ଜିତିଛନ୍ତି । ସେ କଳିଙ୍ଗ ଟାଇଲ୍ସ୍, କଳିଙ୍ଗ ଟ୍ୟୁବ୍ସ୍, କଳିଙ୍ଗ ଆଇରନ ୱାର୍କ୍ସ୍, କଳିଙ୍ଗ ଏୟାରଲାଇନ୍ସ୍ ଓ କଳିଙ୍ଗ ରିଫ୍ରାକଟୋରିଜ୍ ଆଦି ନିଜ ଉଦ୍ୟମରେ ପ୍ରତିଷ୍ଠା କରିଥିଲେ । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ବା ଓୟୁଏଟି, ଆଞ୍ଚଳିକ ଶିକ୍ଷାନୁଷ୍ଠାନ, ଆଞ୍ଚଳିକ ଗବେଷଣା କେନ୍ଦ୍ର, ଭୁବନେଶ୍ୱର ସୈନିକ ସ୍କୁଲ, ଜାତୀୟ ପ୍ରୌଦ୍ୟୋଗିକ ସଂସ୍ଥାନ , ସୁନାବେଡ଼ା ମିଗ୍ ବିମାନ କାରଖାନା, ପାରାଦ୍ୱୀପ ବନ୍ଦର, ଚୌଦ୍ୱାର ଓଡ଼ିଶା ବୟନଶିଳ୍ପ କଳ, ରାଉରକେଲା ଇସ୍ପାତ କଳ ଓ ତାଳଚେର ଥର୍ମାଲ ପ୍ରକଳ୍ପ ଇତ୍ୟାଦି ତାଙ୍କର ଅବଦାନ ଅଟେ । ଅନ୍ୟପଟେ ବିଜୁବାବୁଙ୍କ ଶ୍ରାଦ୍ଧ ଦିବସରରେ ବିଜେଡିକୁ ଟାର୍ଗେଟ କଲେ ବରିଷ୍ଠ ନେତ୍ରୀ ଶ୍ରୀମୟୀ ମିଶ୍ର। ବିଜୁ ଜନତା ଦଳରେ ମହିଳାଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ କରି ତୀବ୍ର ସମାଲୋଚନା କରିଛନ୍ତି ଶ୍ରୀମୟୀ। ସାମାଜିକ ଗଣମାଧ୍ୟମରେ ଏକ ବାର୍ତ୍ତା ପୋଷ୍ଟ କରି ସମାଲୋଚନା କରିଛନ୍ତି ଶ୍ରୀମୟୀ ମିଶ୍ର। Post navigation Security Officers Will be Appointed in Medical Colleges: ଡାକ୍ତରଙ୍କ ସୁରକ୍ଷା ପାଇଁ ନିଯୁକ୍ତ ହେବେ ସିକ୍ୟୁରିଟି ଅଫିସର୍ Chemical Ripening Fruits Alert: ବେଆଇନ ଫଳ ପାଚିବା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା FSSAI