ଚଳତବର୍ଷ ରାଜଧାନୀ ଦିଲ୍ଲୀରେ ଫୁଟିବାନି ବାଣ। ବଢୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ବାଣ ତିଆରି ଓ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଦିଲ୍ଲୀ ସରକାର । ବିଶେଷ କରି ଶୀତ ଋତୁର ଆଗମନ ସହ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ଅହେତୁକ ବୃଦ୍ଧି ପାଇଥାଏ । ଏଥିରେ ସାଧାରଣ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଥାନ୍ତି । ତେଣୁ ଏହାକୁ ଆଖି ଆଗରେ ରଖି ଦିଲ୍ଲୀ ସରକାର ସୋମବାର ଅର୍ଥାତ ଅକ୍ଟୋବର ୧୪ରୁ ଜାନୁଆରୀ ୧, ୨୦୨୫ ପର୍ଯ୍ୟନ୍ତ ଦିଲ୍ଲୀରେ ବାଣ ଫୁଟାଇବା, ବାଣ ଜମା ରଖିବା, ବିକ୍ରି ଏବଂ ଏହାର ବ୍ୟବହାର ଉପରେ କଟକଣା ଲାଗୁ କରାଯାଇଛି । ଦିଲ୍ଲୀ ସରକାରରେ ପରିବେଶ ମନ୍ତ୍ରୀ ଥିବା ଗୋପାଳ ରାୟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଜାରି କରାଯାଇଥିବା ଆଦେଶରେ ଦିଲ୍ଲୀ ସରକାର ବାୟୁ ପ୍ରଦୂଷଣ ରୋକିବା ଏବଂ ନିୟନ୍ତ୍ରଣ ଅଧିନିୟମ ୧୯୮୧ର ଧାରା ୩୧ (ଏ) ଅନୁଯାୟୀ ବାଣ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।

ରାଜଧାନୀ ଦିଲ୍ଲୀରେ ଶୀତ ଦିନ ଆରମ୍ଭ ହେବା ପୂର୍ବରୁ ପ୍ରଦୂଷଣର ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଦଶହରା ପରେ ଏନସିଆରରେ ପ୍ରଦୂଷଣ ସ୍ତର ବଢିବାରେ ଲାଗିଛି । ଫଳରେ ଦିଲ୍ଲୀର ଅଧିକାଂଶ ପ୍ରମୁଖ ସହରଗୁଡିକରେ ବାୟୁର ଗୁଣବତ୍ତା ସୂଚକାଙ୍କ ୨୦୦ ଟପି ଯାଇଛି । ତେଣୁ ଏହି କଟକଣା ମାନିବା ଓ ପ୍ରଦୂଷଣ ରୋକିବାରେ ଦିଲ୍ଲୀବାସୀଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଛି ।

ଏହା ସହ ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଲ ରାୟ ରାଜଧାନୀବାସୀଙ୍କୁ କଡା ଚେତାବନୀ ଦେଇ କହିଛନ୍ତି ଯଦି କେହି ଏହି କଟକଣା ନ ମାନି ପ୍ରଦୂଷଣ କରିବ, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Leave a Reply

Your email address will not be published. Required fields are marked *