ଦିନକ ପରେ ବିଧାନସଭାର ଶୀତକାଳୀନ ଅଧିବେଶନ। ଏଥର ଅଧିବେଶନ ରାଷ୍ଟ୍ରପତିଙ୍କ ସମ୍ବୋଧନ କାରଣରୁ ସ୍ମରଣୀୟ ହୋଇ ରହିବ । ୨୭ ତାରିଖ ଅପରାହ୍ନରେ ମହାମହିମ ଦ୍ରୌପଦୀ ମୁର୍ମୁ ବିଧାନସଭା ଅଧିବେଶନକୁ ସମ୍ବୋଧନ କରିବେ । ପୂର୍ବରୁ ଅନ୍ୟ କେହି ରାଷ୍ଟ୍ରପତି ବିଧାନସଭାରେ ଅଭିଭାଷଣ ଦେଇଛନ୍ତି କି ନାହିଁ ସ୍ମରଣ ହେଉନାହିଁ । ଏଣୁ ସପ୍ତଦଶ ବିଧାନସଭାର ପଞ୍ଚମ ଅଧିବେଶନଟି ଏକ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହୋଇ ରହିବ। ଅଧିବେଶନ ଚାଲିବ ବର୍ଷ ଶେଷ ଅର୍ଥାତ ଡିସେମ୍ବର ୩୧ ପର୍ଯ୍ୟନ୍ତ । ଏତେଦିନ ଚାଲିବ କି ନାହିଁ, ତାହା ମଧ୍ୟ ସନ୍ଦେହଜନକ। ଗତ ଦୁଇଟି ଅଧିବେଶନ ପୂର୍ଣ୍ଣ ଦିବସ ଯାଏଁ ଚାଲିପାରି ନାହିଁ । ତୃତୀୟ ଅଧିବେଶନକୁ କଂଗ୍ରେସ ଚଲାଇବାକୁ ଦେଇନାହିଁ। ୧୪ ଜଣ କଂଗ୍ରେସ ବିଧାୟକଙ୍କୁ ସସପେଣ୍ଡ କରିବାକୁ ଗୃହ ବାଧ୍ୟ ହୋଇଛି । ତେଣୁ ସ୍ଵାଭାବିକ ଭାବେ ପ୍ରଶ୍ନ ଉଠିଛି ଯେ ଶୀତ ଅଧିବେଶନ ସୁରୁଖୁରୁରେ ଚାଲିବ କି ? ରାଷ୍ଟ୍ରପତିଙ୍କ ଅଭିଭାଷଣ ପରଦିନରେ ଗୃହର ଚିତ୍ରରୁ ଅନୁମାନ କରାଯାଇପାରିବ ଯେ ବିରୋଧୀ ଦଳ ଗୃହ ଚଳାଇବାକୁ ବାତାବରଣ ସୃଷ୍ଟି କରୁଛନ୍ତି କି ନାହିଁ ! କିନ୍ତୁ ଶୀତ ଅଧିବେଶନରେ ଏଥର ଏକ ନୂଆ ଚିତ୍ର ଦେଖିବାକୁ ମିଳିବ । ଚିତ୍ରଟି ହେଲା ଭାରତୀୟ ଜନତା ପାର୍ଟିର ବିକଳ୍ପର ଆଭାସ ଗୃହରେ ଦେବା ପାଇଁ ପ୍ରତିଦ୍ୱାନ୍ଦ୍ବିତା କରିବେ ବିଜୁ ଜନତା ଓ କଂଗ୍ରେସ । ଗତ ଅଧିବେଶନଗୁଡ଼ିକରେ କଂଗ୍ରେସ ଭାରୀ ପଢୁଥିଲା ବିଜଦ ଉପରେ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପ୍ରାୟତଃ ଆସୁ ନଥିଲେ। ଏଥର ଆସିବେ ବୋଲି କିଛି ଗ୍ୟାରେଣ୍ଟି ନାହିଁ । ତେଣୁ ପଞ୍ଚମ ଅଧିବେଶନଟିରେ କଂଗ୍ରେସ ଭାରୀ ପଢ଼ିବାକୁ ଚେଷ୍ଟା କରିବ। ନୂଆପଡ଼ା ଉପନିର୍ବାଚନର ଫଳ କଂଗ୍ରେସକୁ ଉତ୍ସାହିତ କରିଛି ଛି । ପିସିସି ସଭାପତି ଭକ୍ତ ଦାସ କଂଗ୍ରେସ ବିକଳ୍ପ ହୋଇଗଲା ବୋଲି ଘୋଷଣା କରିସାରିଛନ୍ତି । ତେଣୁ ଏହାକୁ ଗୃହରେ ଜାହିର କରିବା ପାଇଁ କଂଗ୍ରେସ ଉଦ୍ଯମ କରିବ । କିନ୍ତୁ ସମସ୍ୟା ହେଲା ୧୪ ଜଣିଆ ଦଳ ଆଉ ଭକ୍ତଙ୍କ ନିୟନ୍ତ୍ରଣରେ ରହିବେ ନାହିଁ । ତାଙ୍କ ବିଭୀଷଣ ଉପାଖ୍ୟାନ ବିଧାୟକ ଦଳ ଭିତରେ ପାଟ ପକାଇ ଦେଇସାରିଛି । ସବୁଠୁ ବୋବାଲ୍ କରୁଥିବା ବରିଷ୍ଠ ବିଧାୟକ ତାରା କାହିନୀପତି ଅସୁସ୍ଥତା କାରଣରୁ ଅନୁପସ୍ଥିତ ରହିପାଇନ୍ତି । ଯଦି ବି ଆସନ୍ତି, ଆଉ ପୋଡ଼ିୟମ ଉପରକୁ ଚଢ଼ିବା, ମାଇକ୍ ଭାଙ୍ଗିବା ଭଳି ଦୃଶ୍ୟରେ ସେ ଅଂଶ ଗ୍ରହଣ କରିବେ ନାହିଁ । ତା’ଛଡ଼ା ଭକ୍ତଙ୍କ ଉପରେ ତାରାଙ୍କର ଅନେକ କ୍ଷୋଭ ମଧ୍ଯ ଅଛି । ତାଙ୍କ ଘନିଷ୍ଠ ମିତ୍ର ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କୁ ବିଭୀଷଣ ଖେଞ୍ଚା ଭକ୍ତ ମାରିଛନ୍ତି ବୋଲି ଆଲୋଚନା ହେଉଛି। ଉକ୍ତଙ୍କ କାର୍ଯ୍ୟଧାରାକୁ ନେଇ କିଛି ବିଧାୟକ ଅସନ୍ତୁଷ୍ଟ ମଧ୍ୟ । ମହମ୍ମଦ ମୋକିମ ବିଧାୟକ ନାହାନ୍ତି । କିନ୍ତୁ ତାଙ୍କ ଝିଅ ସୋଫିଆ ଅଛନ୍ତି । ସେ ସେହି ବିଭୀଷଣକୁ ନେଇ ମୋକିମ୍ କ୍ଷୁବ୍ଧ । ଏଣୁ ମୋଟାମୋଟି ଭାବେ କଂଗ୍ରେସ ବିଧାୟକ ଦଳ ଭକ୍ତଙ୍କ କଥାରେ ଉଠବସ୍ ହେବା ଭଳି ଜଣାପଡୁ ନାହିଁ । ନୂଆପଡ଼ାରେ ତୃତୀୟ ସ୍ଥାନକୁ ଯାଇଛି ବିଜଦ । ତା’ଛଡ଼ା ଆଭ୍ୟନ୍ତରୀଣ ଅସନ୍ତୋଷ ପଦାରେ ପଡ଼ିଲାଣି । ରାଜ୍ୟସଭା ସଦସ୍ୟ ଦେବାଶିଷ ସାମନ୍ତରାୟଙ୍କ ନବୀନଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଚର୍ଚ୍ଚାର ଝଡ ସୃଷ୍ଟି କରିଛି । ଏପରି ଅବସ୍ଥାରେ କଂଗ୍ରେସ ପାଖରେ ବିଜଦ ନିଜକୁ ସରେଣ୍ଡର କରିବା ପାଇଁ କଦାପି ଚାହିଁବ ନାହିଁ । ଏଣୁ ଗୃହରେ ମୁଖ୍ୟ ବିରୋଧୀ ଦଳ ଭାବେ ପତିଆରା କରିବାକୁ ବିଜଦ ଚେଷ୍ଟା କରିବ। ଏହାଫଳରେ ଦୁଇ ବିରୋଧୀ ଦଳ ଭିତରେ ଯେଉଁ ପଡିଆରା ତିଆରା ଲଢ଼େଇ ହେବ, ତାହା ସୁହାଇବ ଶାସକ ଦଳକୁ । Post navigation Assembly Winter Session: ଶୀତକାଳୀନ ଅଧିବେଶନ ପୂର୍ବରୁ ବସିଲା ସର୍ବଦଳୀୟ ବୈଠକ